ମନ୍ଦିରରେ ମାଂସ ଖଣ୍ଡ ଓ ଭଙ୍ଗା ପ୍ରତିମା ଦେଖିବା ପରେ କନ୍ନୌଜରେ ହିଂସାକାଣ୍ଡ

ମନ୍ଦିରରେ ମାଂସ ଖଣ୍ଡ ଓ ଭଙ୍ଗା ପ୍ରତିମା ଦେଖିବା ପରେ କନ୍ନୌଜରେ ହିଂସାକାଣ୍ଡ

Image Courtesy of OPIndia

କନ୍ନୌଜ: ଉତ୍ତର ପ୍ରଦେଶର କନ୍ନୌଜ ଅନ୍ତର୍ଗତ ତଳଗ୍ରାମ ଅଞ୍ଚଳ‌ର ରସୁଲ୍‌ବାଦ୍‌ ଗାଁ’ ମନ୍ଦିର ପରିସରକୁ ମାଂସ ଖଣ୍ଡ ଫିଙ୍ଗା ହେବା ଓ ଅନ୍ୟ ଏକ ମନ୍ଦିରରେ ବିଗ୍ରହ ଭଙ୍ଗାରୁଜା ହୋଇଥିବା ଜଣାପଡ଼ିବା ପରେ ଶନିବାର ଦିନ ସେଠାରେ ହିଂସାକାଣ୍ଡ ଘଟି କେତେକ ଦୋକାନ ପୋଡ଼ାଯାଇଛି ବୋଲି ପୁଲିସ କହିଛି।

ଏହାଛଡ଼ା, ଉକ୍ତ ହିଂସାକାଣ୍ଡରେ ଗୋଟାଏ କବରସ୍ତାନର ଫାଟକ ମଧ୍ୟ ନଷ୍ଟ ହୋଇଥିବା କଥା ପୁଲିସ କହିଛି।

ପୁଲିସ କହିବା ଅନୁସାରେ, ରସୁଲବାଦ ଗାଁ ବାହାରେ ଥିବା ଶିବ ମନ୍ଦିର ପରିସରକୁ ଶୁକ୍ରବାର ରାତିରେ କେହି ଜଣେ ମାଂସ ଖଣ୍ଡେ ପକାଇ ଦେଇଥିଲା। ସକାଳେ ଦୈନନ୍ଦିନ ପୂଜା କରିବା ଲାଗି ଆସୁଥିବା ପୂଜକ ଜଗଦୀଶ ଚନ୍ଦ୍ର ତାହା ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ। ଏ ସଂକ୍ରାନ୍ତରେ ପୁଲିସକୁ ସୂଚନା ମିଳିବା କ୍ଷଣି ସର୍କଲ୍‌ ଅଫିସର୍‌ ଶିବପ୍ରତାପ ସିଂହ ଏବଂ ଷ୍ଟେସନ୍‌ ହାଉସ୍‌ ଅଫିସର୍‌ ହରିଶ୍ୟାମ ସିଂହ ଘଟଣାସ୍ଥଳରେ ପହଞ୍ଚି ମନ୍ଦିର ପରିସର ପରିଷ୍କାର କରିଥିଲେ। କିନ୍ତୁ, ଘଟଣା ସଂକ୍ରାନ୍ତରେ ପୁଲିସ ନିରବ ରହୁଛି ବୋଲି ଦୋଷାରୋପ କରି ଉତ୍ତ୍ୟକ୍ତ ଜନତା ପ୍ରାୟ ୩ ଘଣ୍ଟା କାଳ ତଳଗ୍ରାମ-ଇନ୍ଦରଗଡ଼ ରାସ୍ତା ଅବରୋଧ କରିଥିଲେ। ପରେ ବୁଝାଶୁଝା କରି ପୁଲିସ ଉତ୍ତ୍ୟକ୍ତ ଜନତାଙ୍କୁ ଶାନ୍ତ କରିବା ପରେ ରାସ୍ତା ଅବରୋଧ ହଟିଥିଲା।

publive-image Image Courtesy of Zee News

ପରେ ପରେ ଏ ଖବର ଚାରିଆଡ଼େ ପ୍ରଘଟ ହେବାରୁ ଲୋକେ ଅଧିକ ଉତ୍ତ୍ୟକ୍ତ ହୋଇ ସ୍ଥାନୀୟ ଅଞ୍ଚଳରେ ଥିବା କେତୋଟି ମାଂସ ଦୋକାନରେ ନିଆଁ ଲଗାଇ ଦେଇଥିଲେ। ତା’ପରେ ଖବର ମିଳିଲା କି, କେହି ଦୁର୍ବୃତ୍ତ ସ୍ଥାନୀୟ ମନ୍ଦିରରେ (ଅନ୍ୟ କୌଣସି ମନ୍ଦିର) ଥିବା ଦେବ ପ୍ରତିମା ଭଙ୍ଗାରୁଜା କରିଛି। ଫଳରେ ଲୋକେ ଆହୁରି କ୍ରୋଧାନ୍ବିତ ହୋଇ ଗୋଟାଏ କବରସ୍ତାନର ଫାଟକ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ।

ପରିସ୍ଥିତି ଅଣାୟତ୍ତ ହେବାରୁ କନ୍ନୌଜରୁ ଅତିରିକ୍ତ ଫୋର୍ସ ମଗାଯାଇ ଥିଲା। ସମ୍ପ୍ରତି ଘଟଣାସ୍ଥଳରେ ପୁଲିସ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଦୋକାନ ବଜାର ବନ୍ଦ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe