ବେଙ୍ଗାଲୁରୁ: ହିଜାବକୁ ନେଇ କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଛି। ଏଥିରେ ସଂପୃକ୍ତ ୧୫ ଜଣଙ୍କୁ ପୁଲିସ ଗିରଫ କରିଛି। ଶିବମୋଗା ଜିଲ୍ଲାରେ କର୍ଫ୍ୟୁ ଆଦେଶ ସତ୍ତ୍ବେ ବୁଧବାର ଏନ୍ଏସ୍ୟୁଆଇ ସଦସ୍ୟମାନେ ବିଭିନ୍ନ ଡିଗ୍ରି କଲେଜ ଓ ପିଜି ରିସର୍ଚ୍ଚ ସେଣ୍ଟରରେ ପ୍ରବେଶ କରିଥିଲେ। ସେମାନେ ଗେରୁଆ ପତାକା ତଳକୁ ଖସାଇଦେଇ ତ୍ରିରଙ୍ଗା ଉଡ଼ାଇଥିଲେ। ପୁଲିସ ଘଟଣାସ୍ଥଳକୁ ଯାଇ ଲୋକଙ୍କୁ ଘଉଡ଼ାଇ ଗହଳି ଭାଙ୍ଗିଦେଇଥିଲା ଓ ଦୁଇଟା ଯାକ ପତାକା ନେଇଯାଇଥିଲା। ମଙ୍ଗଳବାରର ହିଂସା ଘଟଣାରେ ପୁଲିସ ୧୫ ଜଣଙ୍କୁ ଗିରଫ କରି ବିଚାରବିଭାଗୀୟ ହାଜତକୁ ପଠାଇଦେଇଛି। ପାଞ୍ଚଟି ଜିଲ୍ଲାର ୭ଟି କଲେଜରେ ହିଂସାତ୍ମକ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ୧୯ଟି ଜିଲ୍ଲାର ୫୫ଟି କଲେଜରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ଅନ୍ୟପକ୍ଷରେ ହିଜାବ ବିବାଦର ଶୁଣାଣି କରୁଥିବା କର୍ଣ୍ଣାଟକ ହାଇକୋର୍ଟର ଜଣିକିଆ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣିକୁ ୩ ଜଣିଆ ବୃହତ୍ତର ଖଣ୍ଡପୀଠକୁ ପଠାଇ ଦେଇଛନ୍ତି। ଆସନ୍ତାକାଲି ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଶୁଣାଣି ହେବ। ଶ୍ରେଣୀଗୃହରେ ହିଜାବକୁ ବିରୋଧ କରି ହୋଇଥିବା ଆବେଦନ ମାମଲାରେ ଗତକାଲିଠାରୁ କର୍ଣ୍ଣାଟକ ହାଇକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି।
Follow Us