ଗାନ୍ଧୀନଗର: ରାମ ନବମୀରେ ଆଜି ଗୁଜରାଟ, ପଶ୍ଚିମବଂଗ ଓ ମହାରାଷ୍ଟ୍ରରେ ହିଂସା ଉପୁଜିଛି। ଗୁଜରାଟ ବଡ଼ୋଦରା ସହରର ଫତେପୁରା ଅଞ୍ଚଳରେ ଶୋଭାଯାତ୍ରାକାରୀଙ୍କ ଉପରକୁ ଟେକାପଥର ଫିଙ୍ଗାଯାଇଛି। ଦିନରେ ଏବଂ ସନ୍ଧ୍ୟାବେଳେ ଏପରି ଘଟଣା ଦେଖାଦେବାରୁ ସେଠାରେ ତୁରନ୍ତ ପୁଲିସ ପହଞ୍ଚିଛି। ପରିସ୍ଥିତିକୁ ନିୟନ୍ତ୍ରଣ ମଧ୍ୟକୁ ଆଣିବା ଲାଗି ପୁଲିସ ଉଦ୍ୟମ ଚଳାଇଛି। କେତେକ ଭିଡ଼ିଓରୁ ଦେଖିବାକୁ ମିଳିଛି ଯେ ଶୋଭାଯାତ୍ରା ଉପରେ ଟେକାପଥର ମାଡ଼ ହେଉଛି ଏବଂ ଶୋଭାଯାତ୍ରାକାରୀ ହିଂସା ଭିଆଉଛନ୍ତି। ହିଂସାଗ୍ରସ୍ତ ଅଂଚଳରେ ଉତ୍ତ୍ୟକ୍ତ ଲୋକମାନେ ଗାଡ଼ି ପୋଡ଼ାଜଳା କରିଛନ୍ତି। ବଜରଙ୍ଗ ଦଳର ଜଣେ ସ୍ଥାନୀୟ ନେତାଙ୍କ କହିବାନୁଯାୟୀ, ଅତୀତରେ ଏଭଳି ହିଂସା ଦେଖାଦେଇଥିଲେ ମଧ୍ୟ ଏଠାରେ ପୁଲିସ ମୁତୟନ କରାଯାଇ ନଥିଲା। ତେବେ ଡିସିପି ଯଶପାଲ ଜଗାନିୟାଙ୍କ କହିବାନୁଯାୟୀ, ଗୁରୁବାର ସହରରେ ସବୁ ଶୋଭାଯାତ୍ରାକୁ ପୁଲିସ ସୁରକ୍ଷା ଯୋଗାଇ ଦିଆଯାଇଥିଲା। ଏକ ମସଜିଦ ନିକଟରେ ଶୋଭାଯାତ୍ରା ପହଞ୍ଚିବା ପରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ତେବେ ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି।
ଏହା ସାଂପ୍ରଦାୟିକ ଦଙ୍ଗା ନୁହେଁ। ଆମେ ଲୋକଙ୍କୁ ସେଠାରୁ ହଟାଇ ଦେଇଥିଲୁ। ବଡ଼ୋଦରା ବଜରଙ୍ଗ ଦଳ ସଭାପତି କେତନ ତ୍ରିବେଦୀଙ୍କ କହିବାନୁଯାୟୀ, ଷଡ଼ଯନ୍ତ୍ର କରି ଟେକା ପଥର ଫିଙ୍ଗା ଯାଇଛି। ପ୍ରତିବର୍ଷ ଏହି ସ୍ଥାନରେ ଶୋଭାଯାତ୍ରାକୁ ଟାର୍ଗେଟ କରାଯାଇଥାଏ। ଏହା ସତ୍ତ୍ବେ ଉକ୍ତ ଅଞ୍ଚଳରେ କୌଣସି ପୁଲିସ ମୁତୟନ ହୋଇ ନଥିଲା। ମହାରାଷ୍ଟ୍ରର ଔରଙ୍ଗାବାବାଦ ବା ଛତ୍ରପତି ସମ୍ଭାଜୀନଗରର କିରାଡ଼ପୁରାରେ ଦୁଇ ଗୋଷ୍ଠୀ ମଧ୍ୟରେ ବଡ଼ଧରଣର ଗଣ୍ଡଗୋଳ ହୋଇଛି। କିରାଡ଼ପୁରାସ୍ଥିତ ରାମ ମନ୍ଦିର ବାହାରେ ଗତକାଲି ୧୨ଟା ୩୦ ମିନିଟ ସମୟରେ ଦୁଇ ଯୁବକଙ୍କ ମଧ୍ୟରେ ଛୋଟ ଧରଣର ପାଟିତୁଣ୍ଡ ହୋଇଥିଲା। ଏହାପରେ ବହୁସଂଖ୍ୟାରେ ଲୋକ ରୁଣ୍ଡ ହୋଇ ପରସ୍ପର ଉପରକୁ ଟେକାପଥର ଫିଙ୍ଗିଥିଲେ। ଅସାମାଜିକ ବ୍ୟକ୍ତିମାନେ କିଛି ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଏଥିରେ ପୁଲିସ ଗାଡ଼ି ମଧ୍ୟ ରହିଛି। ଏହାପରେ ବୋମାମାଡ଼ ଘଟଣା ମଧ୍ୟ ସାମ୍ନାକୁ ଆସିଛି। ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପୁଲିସକୁ ଲୁହବୁହା ବାଷ୍ପ ପ୍ରୟୋଗ କରିବାକୁ ପଡ଼ିଛି। ଗାଡ଼ିଗୁଡ଼ିକରେ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗର ତିନିଟି ଗାଡ଼ିକୁ କାର୍ଯ୍ୟରେ ଲଗାଯାଇଛି।
ଉପରୋକ୍ତ ଦୁଇ ରାଜ୍ୟ ବ୍ୟତୀତ ପଶ୍ଚିମବଙ୍ଗର ହାଓଡ଼ାରେ ବି ଆଜି ରାମନବମୀରେ ହିଂସା ଦେଖିବାକୁ ମଳିଛି। ହାଓଡ଼ାରେ ରାମ ନବମୀ ଶୋଭଯାତ୍ରା ଅତିକ୍ରମ କରିବା ପରେ ଗଣ୍ଡଗୋଳ ହୋଇଥିଲା। ଏଠାରେ ଅନେକ ଗାଡ଼ିକୁ ପୋଡ଼ାଯାଇଥିବା ଭିଡ଼ିଓ ଦେଖିବାକୁ ମିଳିଛି। ଦଙ୍ଗା ନିୟନ୍ତ୍ରଣ ବଳ ସମେତ ବହୁସଂଖ୍ୟାରେ ପୁଲିସ ମୁତୟନ ହୋଇଛି। ଗୋଟିଏ ପୁଲିସ ଭ୍ୟାନ ଏବଂ ଏକ କାରକୁ ଭଙ୍ଗାରୁଜା କରାଯାଇଛି। ପୁଲିସ ଲୁହବୁହା ବାଷ୍ପ ପ୍ରୟୋଗ କରିବା ସହିତ ଦଙ୍ଗାସୃଷ୍ଟିକାରୀଙ୍କୁ ଗୋଡ଼ାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ରାଜ୍ୟକୁ କେନ୍ଦ୍ର ସରକାରଙ୍କ ଅବହେଳାକୁ ବିରୋଧ କରି ଦୁଇ ଦିନିଆ ଆନ୍ଦୋଳନ ଚଳାଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦଙ୍ଗା ସୃଷ୍ଟିକାରୀମାନେ ଦେଶର ଶତ୍ରୁ ବୋଲି କହିଛନ୍ତି।
Follow Us