ପୂର୍ବ ୟୁକ୍ରେନ୍‌ରେ ପ୍ରଚଣ୍ଡ ଆକ୍ରମଣ ଜାରି, ଚେର୍ନିହିବରେ ରାସ୍ତାଘାଟରେ ଲଢ଼େଇ

କର୍ଫ୍ୟୁ ମଧ୍ୟରେ କିବ୍‌ରେ ବିମାନ ଆକ୍ରମଣ ଜାରି, ପ୍ରମୁଖ ସହରରେ ୩-୪ ଦିନରେ ଖାଦ୍ୟ ସରିଯିବ, ଯୋଗାଣ ଠପ୍‌

ପୂର୍ବ ୟୁକ୍ରେନ୍‌ରେ ପ୍ରଚଣ୍ଡ ଆକ୍ରମଣ ଜାରି, ଚେର୍ନିହିବରେ ରାସ୍ତାଘାଟରେ ଲଢ଼େଇ

Al Jazeera

କିବ୍‌ : ପୂର୍ବ ୟୁକ୍ରେନ୍‌ରେ ରୁଷ୍‌ର ବିମାନ ଆକ୍ରମଣ ଯୋଗୁଁ ୫ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୨ରୁ ଅଧିକ ଆହତ ହୋଇଛନ୍ତି। ସୋମବାର ବିଳମ୍ବିତ ରାତିରେ ଡୋନେସ୍କ ଅଞ୍ଚଳରେ ରୁଷ୍‌ ବିମାନ ଆକ୍ରମଣ କରିଛି। ରୁଷ୍‌ ଲଗାତାର ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ସାଧାରଣ ଜନବସତି ଅଞ୍ଚଳକୁ ଟାର୍ଗେଟ୍‌ କରି ଆକ୍ରମଣ କରୁଛି ବୋଲି ୟୁକ୍ରେନ୍‌ ଦାବି କରିଛି। କିନ୍ତୁ ରୁଷ୍‌ ଏହି ଦାବି ପ୍ରତ୍ୟାଖ୍ୟାନ କରିଛି ଏବଂ ୟୁକ୍ରେନ୍‌ ସାଧାରଣ ନାଗରିକଙ୍କୁ ୟୁକ୍ରେନ୍‌ ସେନା ମଣିଷ ଢାଲ ଭାବେ ବ୍ୟବହାର କରୁଛି ବୋଲି ରୁଷ୍‌ ଦାବି କରିଛି। ୟୁକ୍ରେନ୍‌ ପକ୍ଷରୁ ଆଜି ଏକ ବିବୃତି ଜାରି କରି କୁହାଯାଇଛି ଯେ ଖାରକିଭରେ ଏକ ରୁଷ୍‌ ଟ୍ୟାଙ୍କ୍‌ ଏକ କାର୍‌କୁ ଟାର୍ଗେଟ୍ କରି ଆକ୍ରମଣ କରିବାଦ୍ବାରା ଜଣେ ଶିଶୁ ସମେତ ୪ ନାଗରିକଙ୍କ ମୃତ୍ୟୁ ହୋଇଛି।

କିବ୍‌ରେ ଗତକାଲି ସନ୍ଧ୍ୟାରୁ ୩୬ ଘଣ୍ଟିଆ କର୍ଫ୍ୟୁ ଆରମ୍ଭ ହୋଇଥିବା ବେଳେ ସହରରେ ପ୍ରବଳ ବିସ୍ଫୋରଣ ହୋଇଛି। ଗୋଟିଏ ବିସ୍ଫୋରଣ ଏତେ ଶକ୍ତ ଥିଲା ଯେ ଏହା ସହରର କେନ୍ଦ୍ର ସ୍ଥଳକୁ ଦୋହଲାଇ ଦେଇଥିଲା। ଅନ୍ୟପକ୍ଷେ ଚେର୍ନିହିବରେ ମଧ୍ୟ ଆକ୍ରମଣ ଜୋରଦାର ହୋଇଛି। ‌ଚେର୍ନିହିବ‌ରେ ଏବେ ରାସ୍ତାଘାଟ‌ରେ ଲଢ଼େଇ ଜାରି ରହିଛି। ୟୁକ୍ରେନ୍‌ର ପ୍ରାୟ ପ୍ରତ୍ୟେକ ଅଞ୍ଚଳରେ ଏୟାର ରେଡ୍‌ ଆଲର୍ଟ ଜାରି ହୋଇଛି। ୟୁକ୍ରେନ୍‌ର କିଛି ପ୍ରମୁଖ ସହରରେ ୩-୪ ଦିନ ମଧ୍ୟରେ ଖାଦ୍ୟ ସରିଯିବ ବୋଲି ଏକ ସହାୟକ ସଂସ୍ଥା (ମର୍ସି କର୍ପ‌୍ସ) ପକ୍ଷରୁ କୁହାଯାଇଛି। ୟୁକ୍ରେନ୍‌ରେ ଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଛି ବୋଲି ଉକ୍ତ ସଂସ୍ଥା ପକ୍ଷରୁ କୁହାଯାଇଛି। ପ୍ରମୁଖ ସହରମାନଙ୍କୁ ଯୋଗାଣ ବନ୍ଦ ‌ହୋଇଯାଇଛି। ତେଣୁ ୩-୪ ଦିନ ମଧ୍ୟରେ ଖାଦ୍ୟ ସରିଯିବ ଓ ଭୟାନକ ସ୍ଥିତି ଆସିବ ବୋଲି ଚେତାବନୀ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe