Times of India
ନୂଆଦିଲ୍ଲୀ : ପୂର୍ବ ୟୁକ୍ରେନ୍ର କ୍ରାମାତୋର୍ସ୍କ ସହରରେ ଆଜି ଏକ ରେଳ ଷ୍ଟେସନ୍ ଉପରେ ରକେଟ୍ ଆକ୍ରମଣ ଯୋଗୁଁ ୫୦ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୦୦ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୬ ଜଣ ଶିଶୁ ଅଛନ୍ତି। ନାଗରିକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଉଥିବା ବେଳେ ଟ୍ରେନ୍ ଷ୍ଟେସନ୍ ଉପରେ ଏହି ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ ପାଇଁ ୟୁକ୍ରେନ୍ ରୁଷ୍କୁ ଦାୟୀ କରିଥିବା ବେଳେ ରୁଷ୍ ସେନା ଏହାକୁ ଖଣ୍ଡନ କରିଛି। ଏହି ଆକ୍ରମଣ ରୁଷ୍ ସେନା କରିନାହିଁ ବୋଲି ସେନା ମୁଖପାତ୍ର କହିଛନ୍ତି। କ୍ରାମାତୋର୍ସ୍କ ରେଳ ଷ୍ଟେସନ୍ରେ ୨ଟି ରକେଟ୍ ମାଡ଼ ହୋଇଛି ବୋଲି ୟୁକ୍ରେନ୍ ରେଳବାଇ ଏକ ବିବୃତି ଜାରି କରି କହିଛି। ଏଭଳି ବର୍ବର ଆକ୍ରମଣ ପରେ ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ୍କି କହିଛନ୍ତି, ରୁଷ୍ ପାପର ସୀମା ନାହିଁ। ସେମାନେ ଜାଣିଶୁଣି ନାଗରିକଙ୍କ ଉପରେ ଆକ୍ରମଣ କରୁଛନ୍ତି। ଉକ୍ତ ଟ୍ରେନ୍ ଷ୍ଟେସନ୍ରେ ନାଗରିକଙ୍କ ଭିଡ଼ ହୋଇଥିବା ନେଇ ରୁଷ୍ ସେନା ଜାଣିଥିଲେ ବୋଲି ୟୁକ୍ରେନ୍ ବିଦେଶ ମନ୍ତ୍ରୀ ଦାବି କରିଛନ୍ତି।
ରୁଷ୍ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ ରେଳ ଷ୍ଟେସନ୍ ଆକ୍ରମଣରେ ଯେଉଁ କ୍ଷେପଣାସ୍ତ୍ର ବ୍ୟବହାର ହୋଇଛି ତାହା କେବଳ ୟୁକ୍ରେନ୍ ସେନା ହିଁ ବ୍ୟବହାର କରେ। ଏହାର ଟିକିନିଖି ତଦନ୍ତ ହେବା ଆବଶ୍ୟକ ବୋଲି ରୁଷ୍ କହିଛି। ଡୋନେସ୍କ ଗଭର୍ଣ୍ଣର କହିଛନ୍ତି, ହଜାର ହଜାର ଲୋକ ଉଦ୍ଧାର ପାଇଁ ଅପେକ୍ଷା କରିଥିବା ବେଳେ ରକେଟ୍ ମାଡ଼ ହୋଇଥିଲା। ସେହିପରି ଅନ୍ୟ ଏକ ଘଟଣାରେ ଉକ୍ତ ସମାନ ଅଞ୍ଚଳରେ ୩ଟି ଟ୍ରେନ୍ ଉଦ୍ଧାର ହୋଇଥିବା ନାଗରିକଙ୍କୁ ନେଇ ଯାଉଥିବାବେଳେ ବିମାନ ଆକ୍ରମଣ ହୋଇଥିଲା। ଇତି ମଧ୍ୟରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ କହିଛନ୍ତି, ଆସନ୍ତା ସପ୍ତାହରେ ପୂର୍ବ ଡୋନବାସ ଅଞ୍ଚଳରେ ରୁଷ୍ର ଆକ୍ରମଣ ଜୋରଦାର ହେବ। ରୁଷ୍ ଆକ୍ରମଣ ସଂକ୍ରାନ୍ତରେ ଆଲୋଚନା ପାଇଁ ଆଜି ଇସ୍ତାନବୁଲ୍ରେ ତୁର୍କୀ, ବ୍ରିଟେନ ଏବଂ ଇଟାଲି ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକ ଅନୁଷ୍ଠିତ ହୋଇଛି। ପୂର୍ବ ୟୁକ୍ରେନ୍କୁ ଧ୍ବଂସରୁ ରକ୍ଷା କରିବା ପାଇଁ ସେମାନେ ଗୁରୁତ୍ବାରୋପ କରିଛନ୍ତି।
Follow Us