ଅମିତ ଶାହଙ୍କ ଗସ୍ତ ଆଗରୁ ଗୁଜରାଟର ବୋର୍‌ସଦ୍‌ରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଭୀଷଣ ସଂଘର୍ଷ

ଅମିତ ଶାହଙ୍କ ଗସ୍ତ ଆଗରୁ ଗୁଜରାଟର ବୋର୍‌ସଦ୍‌ରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଭୀଷଣ ସଂଘର୍ଷ

Image Courtesy of India Today

ଆନନ୍ଦ: ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଆନନ୍ଦ ଜିଲ୍ଲା ଗସ୍ତର କିଛି ସମୟ ପୂର୍ବରୁ ବୋର୍‌ସାଦ୍‌ସ୍ଥିତ ଏକ ହନୁମାନ ମନ୍ଦିର ନିକଟରେ ଜମି ବିବାଦକୁ କେନ୍ଦ୍ର କରି ଦୁଇ ସମ୍ପ୍ରଦାୟ ମଧ୍ୟରେ ଭୀଷଣ ସଂଘର୍ଷ ଲାଗିଥିଲା।

ଉଭୟ ସମ୍ପ୍ରଦାୟ ପରସ୍ପର ଉପରକୁ ଟେକାପଥର ଫିଙ୍ଗିଥିଲେ। ଏଥିରେ ଜଣେ ପୁଲିସ କନେଷ୍ଟବଳଙ୍କ ସମେତ ସମୁଦାୟ ୪ଜଣ ବ୍ୟକ୍ତି ଆହତ ହୋଇଛନ୍ତି।

ପରିସ୍ଥିତି ନିୟନ୍ତ୍ରଣ କରିବା ଲାଗି ‘ଡିଏସ୍‌ପି’ଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀମାନ‌େ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ଲାଗି ପୁଲିସ ୫୦ଟି ଲୁହବୁହା ସେଲ୍‌ ଛାଡ଼ିବା ସହିତ ୩୦ ରାଉଣ୍ଡ୍‌ ରବର ଗୁଳି ମାରିଥିଲା।

ଜଣେ ପୁଲିସ ଅଧିକାରୀ କହିଛନ୍ତି, ଶନିବାର ରାତି ୯.୩୦ରେ ଗୋଟାଏ ସମ୍ପ୍ରଦାୟର ଲୋକେ ବିବାଦୀୟ ଜମିରେ ଇଟା ରଖୁଥିଲେ। ଅନ୍ୟ ସମ୍ପ୍ରଦାୟର କେତେକ ଲୋକେ ବିରୋଧ କରିବାରୁ ଉଭୟ ସମ୍ପ୍ରଦାୟ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ପରେ ବିବାଦ ତେଜିବାରୁ ଉଭୟ ସମ୍ପ୍ରଦାୟର ଲୋକେ ପରସ୍ପର ଉପରକୁ ଟେକାପଥର ଫିଙ୍ଗିଥିଲେ।

ଘଟଣା ସଂକ୍ରାନ୍ତରେ ଅବଗତ ହେବା ପରେ ସ୍ଥାନୀୟ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଶାନ୍ତି ବଜାୟ ରଖିବା ପାଇଁ ଉଭୟ ସମ୍ପ୍ରଦାୟକୁ କହିଥିଲେ ବୋଲି ସେ କହିଛନ୍ତି।

publive-image Image Courtesy of India Today

ସମସ୍ୟା ସମାଧାନ ନ ହେବା ପର୍ଯ୍ୟନ୍ତ ସେ ଜମିରେ ଇଟା ନ ରଖିବା ଲାଗି ସ୍ଥାନୀୟ ପୌର ମୁଖ୍ୟ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ କହିଥିଲେ।

କିନ୍ତୁ, ଉଭୟ ସମ୍ପ୍ରଦାୟର ସଦସ୍ୟମାନେ ପରସ୍ପର ଉପରକୁ ଟେକାପଥର ଫିଙ୍ଗା ଜାରି ରଖିଥିଲେ। ହିଂସାକାଣ୍ଡରେ ଜଣେ ପୁଲିସ କନେଷ୍ଟବଳ ଏବଂ ଆଉ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ସେମାନଙ୍କ ଛଡ଼ା ଆହୁରି ୨ଜଣ ଲୋକ ମଧ୍ୟ ଆହତ ହୋଇଛନ୍ତି।

ପୁଲିସ ସହରର ୧୫ଟି ସ୍ପର୍ଶକାତର ଅଞ୍ଚଳ ଚିହ୍ନଟ କରି ବ୍ୟାପକ ନିରାପତ୍ତା ବ୍ୟବସ୍ଥା କରିଛି। ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ବଜାୟ ରଖିବା ନିମନ୍ତେ ଦୁଇ କମ୍ପାନି ‘ଷ୍ଟେଟ୍‌ ରିଜର୍ଭ ପୁଲିସ’ ମଗାଯାଇଛି ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି।

ଶନିବାର ବିଳମ୍ବିତ ରାତ୍ରରେ ଆଉ କୌଣସି ପ୍ରକାରର ହିଂସାକାଣ୍ଡ ଘଟି ନ ଥିବାରୁ ଆଜି ପରିସ୍ଥିତି ଶାନ୍ତ ଅଛି। ତେଣୁ, ଅମିତ ଶାହଙ୍କ କାର୍ଯ୍ୟକ୍ରମ ପ୍ରଭାବିତ ହେବ ନାହିଁ ବୋଲି ପୁଲିସ କହିଛି।

ହିଂସାକାଣ୍ଡରେ ସମୁଦାୟ ୧୪ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe