Image Courtesy of India Today
ପାଟନା: କ୍ରମାଗତ ଦ୍ବିତୀୟ ଦିନରେ ପହଞ୍ଚିଛି ‘ଅଗ୍ନିପଥ’ ବିରୋଧୀ ଆନ୍ଦୋଳନ। ଆଜି ସଶସ୍ତ୍ରବାହିନୀରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନାକୁ ବିରୋଧ କରି ବିହାରରେ ଉତ୍ତ୍ୟକ୍ତ ପ୍ରତିବାଦକାରୀମାନେ ଭଭୁଆ ରୋଡ୍ ରେଳ ଷ୍ଟେସନ୍ରେ ଇଣ୍ଟର୍ସିଟି ଏକ୍ସପ୍ରେସ୍ର ଝରକା କାଚକୁ ପିଟି ଭାଙ୍ଗି ପକାଇବା ସହ ଗୋଟାଏ ବଗିରେ ନିଆଁ ଲଗାଇ ଦେଇଥିବା ପୁଲିସ ସୂତ୍ରରୁ ପ୍ରକାଶ।
‘ଇଣ୍ଡିଆନ୍ ଆର୍ମି ଲଭର୍ସ’ ଲେଖାଥିବା ବ୍ୟାନର୍ ଧରି ସେମାନେ ନୂଆ ନିଯୁକ୍ତି ଯୋଜନାକୁ ପ୍ରତ୍ୟାହାର କରିବା ଲାଗି ସ୍ଲୋଗାନ୍ ଦେଉଛନ୍ତି।
ଆରା ରେଳବାଇ ଷ୍ଟେସନ୍ରେ ପୁଲିସ ଉପରକୁ ଟେକାପଥର ଫିଙ୍ଗିବାରୁ ବିପୁଳ ସଂଖ୍ୟକ ପ୍ରତିବାଦକାରୀଙ୍କୁ ଘଉଡ଼ାଇବା ନିମନ୍ତେ ପୁଲିସ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା। ରେଳ ଧାରଣା ଉପରେ ଆସବାବ୍ପତ୍ର ପକାଇ ପ୍ରତିବାଦକାରୀମାନେ ଲଗାଇ ଥିବା ନିଆଁ ଲିଭାଇବା ଲାଗି ରେଳବାଇ କର୍ମଚାରୀମାନେ ‘ଫାୟାର୍ ଏକ୍ଷ୍ଟିଙ୍ଗୁଇସର୍’ ବ୍ୟବହାର କରୁଥିବା ଦୃଶ୍ୟ ଭିଡିଓରେ ଦେଖାଯାଉଛି।
Image Courtesy of NDTVସେହିପରି, ଜେହାନାବାଦ୍ରେ ଛାତ୍ରମାନଙ୍କ ଟେକାପଥର ମାଡ଼ରେ କେତେକ ସାଧାରଣ ଜନତା ଓ ପୁଲିସ ଆହତ ହୋଇଛନ୍ତି। ରେଳ ରାସ୍ତା ଫାଙ୍କା କରିବା ଲାଗି ପୁଲିସ ପ୍ରତିବାଦକାରୀମାନଙ୍କୁ ତଡ଼ି ଦେବାକୁ ଉଦ୍ୟମ କରୁଥିବା ବେଳେ ଗଣ୍ଡଗୋଳ ଘଟିଥିଲା। ଉତ୍ତୋଳିତ ଫଟୋରେ ଦେଖାଯାଉଛି, ପୁଲିସ ଓ ପ୍ରତିବାଦକାରୀମାନେ ପରସ୍ପର ଉପରକୁ ଟେକାପଥର ଫିଙ୍ଗୁଛନ୍ତି। ପ୍ରତିବାଦକାରୀମାନଙ୍କୁ ଭୟଭୀତ କରି ଘଉଡ଼ାଇ ଦେବା ଲାଗି କେତେକ ପୁଲିସ କର୍ମଚାରୀ ବନ୍ଧୁକ ମଧ୍ୟ ଦେଖାଉଛନ୍ତି।
ନୱାଦାରେ ଦଳେ ଲୋକ ଛକ ଜାଗାଗୁଡ଼ିକରେ ପୁରୁଣା ଟାୟାର୍ ପୋଡ଼ି ଯୋଜନା ପ୍ରତ୍ୟାହାର କରିବା ଲାଗି ଦାବି କରି ସ୍ଲୋଗାନ୍ ଦେଇଥିଲେ। ସେମାନଙ୍କ ମଧ୍ୟରୁ କେତେକ ଡ଼ୱାଦା ରେଳ ଷ୍ଟେସନ୍ ଏବଂ ଧାରଣା ଅବରୋଧ କରିବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ସ୍ଲୋଗାନ୍ ଦେଇଥିଲେ।
ଉଲ୍ଲେଖଯୋଗ୍ୟ, ‘ଟୁର୍ ଅଫ୍ ଡିୟୁଟି ସ୍କିମ୍’ ‘ଅଗ୍ନିପଥ’ ଯୋଜନାରେ ୪ ବର୍ଷ ନିମନ୍ତେ ଯବାନମାନଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ମିଳିବ। ୪ ବର୍ଷ ପରେ ଗ୍ରାଚୁଇଟି ଏବଂ ପେନ୍ସନ୍ ବିନା ବାଧ୍ୟତାମୂଳକ ଅବସର ଦିଆଯିବ। ଅସ୍ତ୍ରଶସ୍ତ୍ର ବାବଦ ଖର୍ଚ୍ଚ ପାଇଁ ପାଣ୍ଠି ବୃଦ୍ଧି କରିବା ଲାଗି ସରକାର ସେନାରେ ନିଯୁକ୍ତି ନିମନ୍ତେ ‘ଅଗ୍ନିପଥ’ ଯୋଜନା କରିଛନ୍ତି।
Follow Us