କୋଲକାତା: ବିଶ୍ବକବି ରବୀନ୍ଦ୍ରନାଥଙ୍କ ଦ୍ବାରା ପ୍ରତିଷ୍ଠିତ ତଥା ପଶ୍ଚିମବଙ୍ଗର ଏକମାତ୍ର କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ବିଶ୍ବଭାରତୀ ନୋବେଲ ବିଜେତା ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନଙ୍କ ପାଖକୁ ସେ ବେଆଇନ ଭାବେ ଦଖଲ କରିଥିବା ବିଶ୍ବବିଦ୍ୟାଳୟ କ୍ୟାମ୍ପସର ଏକ ଜାଗାରୁ ଚାଲିଯିବା ପାଇଁ ନୋଟିସ୍ ଜାରି କରିଛି। ସେ କହିବା ସତ୍ତ୍ବେ ଦଖଲ ଛାଡ଼ୁ ନ ଥିବାରୁ ତାଙ୍କ ବିରୋଧରେ କାହିଁକି ବେଦଖଲ ଆଦେଶନାମା ଜାରି କରା ନ ଯିବ ତାହାର କାରଣ ଦର୍ଶାଇବାକୁ ବିଶ୍ବବିଦ୍ୟାଳୟ ପକ୍ଷରୁ ଉକ୍ତ ନୋଟିସ୍ରେ କୁହାଯାଇଛି।
ସୂଚନାଯୋଗ୍ୟ, ସେନଙ୍କ ଘର ‘ପ୍ରତିଚୀ’ ବୀରଭୂମି ଜିଲ୍ଲା ଅନ୍ତର୍ଗତ ବିଶ୍ବବିଦ୍ୟାଳୟର ବୋଲପୁର କ୍ୟାମ୍ପସ ଭିତରେ ଅବସ୍ଥିତ। ତାଙ୍କ ବିରୋଧରେ କାହିଁକି ବେଦଖଲ ଆଦେଶନାମା ଜାରି କରା ନ ଯିବ ମାର୍ଚ୍ଚ ୨୪ ସୁଦ୍ଧା ତାହାର କାରଣ ଦର୍ଶାଇବା ପାଇଁ ମାର୍ଚ୍ଚ ୧୭ରେ ସେନଙ୍କୁ ନୋଟିସ୍ ଦିଆଯାଇଛି। ମାର୍ଚ୍ଚ ୨୯ ତାରିଖ ଅପରାହ୍ଣ ୪ଟା ୪୫ରେ ବିଶ୍ବବିଦ୍ୟାଳୟର କେନ୍ଦ୍ରୀୟ ପ୍ରଶାସନିକ ଭବନରେ ବ୍ୟକ୍ତିଗତ ଭାବେ ବା ପ୍ରତିନିଧି ଦ୍ବାରା ହାଜର ହେବା ପାଇଁ ମଧ୍ୟ ନୋଟିସ୍ରେ ଉଲ୍ଲେଖ କରାଯାଇଛି। ସେ ଯଦି ହାଜର ନ ହୁଅନ୍ତି ବା ପ୍ରତିନିଧି ନ ପଠାନ୍ତି, ତେବେ ଏକପାଖିଆ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି। ତେବେ ଅମର୍ତ୍ତ୍ୟ ସେନ ଉକ୍ତ ନୋଟିସ୍ ପାଇଛନ୍ତି କି ନା ଜଣାପଡ଼ି ନାହିଁ।
ବିଶ୍ବଭାରତୀର କୁଳାଧିପତି ହେଉଛନ୍ତି ଭାରତର ପ୍ରଧାନମନ୍ତ୍ରୀ। କୁଳପତି ବିଦ୍ୟୁତ୍ ଚକ୍ରବର୍ତ୍ତୀ ୨୦୨୨ରୁ ଅଭିଯୋଗ କରି ଆସୁଛନ୍ତି ଯେ ଅମର୍ତ୍ତ୍ୟ ସେନ ଶାନ୍ତି ନିକେତନ କ୍ୟାମ୍ପସର ୧.୩୮ ଏକର ଜାଗା ଦଖଲରେ ରଖିଛନ୍ତି। ଚକ୍ରବର୍ତ୍ତୀ କହିଛନ୍ତି ଯେ ସେନଙ୍କ ବାପା ଆଶୁତୋଷ, ଯେ କି ବିଶ୍ବବିଦ୍ୟାଳୟର ପ୍ରଫେସର ଥିଲେ, ତାଙ୍କୁ ୧.୨୫ ଏକର ଜାଗା ୯୯ ବର୍ଷିଆ ଲିଜ୍ରେ ଦିଆଯାଇଥିଲା। ତେଣୁ ବାକି ୧୩ ଡିସିମିଲ ଜାଗା ସେ ବିଶ୍ବବିଦ୍ୟାଳୟକୁ ଫେରାଇଦେବା ଉଚିତ। ଗତ ଜାନୁଆରି ୨୪ ତାରିଖରୁ ସେନଙ୍କୁ ଏପର୍ଯ୍ୟନ୍ତ ତିନୋଟି ଚିଠି ଦିଆ ସରିଲାଣି। ମାତ୍ର ସେ ଗୋଟିଏ ବି ଚିଠିର ଉତ୍ତର ଦେଇନାହାନ୍ତି। ସେଥିପାଇଁ ତାଙ୍କୁ ନୋଟିସ୍ ପଠାଇବାକୁ ବିଶ୍ବବିଦ୍ୟାଳୟ ବାଧ୍ୟ ହେଲା।
Follow Us