Image Courtesy of Zee News
ତେହ୍ରାନ୍: ଯୁକ୍ତରାଷ୍ଟ୍ର ଆମେରିକା ଏବଂ ୟୁରୋପ୍ର ଚାଲେଞ୍ଜ୍କୁ ମୁକାବିଲା କରିବା ଲାଗି ଆଞ୍ଚଳିକ ପ୍ରଭାବଶାଳୀ ଦେଶମାନଙ୍କ ସହିତ ଘନିଷ୍ଠତା ନିବିଡ଼ କରିବା କ୍ରମରେ ମଙ୍ଗଳବାର ଦିନ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ ଇରାନ୍ର ରାଜଧାନୀ ତେହ୍ରାନ୍ରେ ପହଞ୍ଚିଛନ୍ତି।
ସ୍ମରଣଯୋଗ୍ୟ, ୟୁକ୍ରେନ୍ ବିପକ୍ଷରେ ଅନ୍ତଃହୀନ ସାମରିକ ଅଭିଯାନ ଚଳାଇଥିବାରୁ ରୁଷ୍ ଉପରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ୟୁରୋପୀୟ ରାଷ୍ଟ୍ରସମୂହ କଠୋର କଟକଣା ଲାଗୁ କରିଛନ୍ତି।
ଗତ ଫେବ୍ରୁଆରି ମାସରେ ୟୁକ୍ରେନ୍ ଆକ୍ରମଣ କରିବା ପରଠାରୁ ଏହା ହେଉଛି ପୁଟିନ୍ଙ୍କର ଦ୍ବିତୀୟ ବିଦେଶ ଗସ୍ତ। ତେହ୍ରାନ୍ରେ ସେ ଇରାନ୍ର ରାଷ୍ଟ୍ରପତି ଇବ୍ରାହିମ୍ ସାଇସି ଏବଂ ତୁର୍କୀର ରାଷ୍ଟ୍ରପତି ରେସେପ୍ ତାୟିପ୍ ଏର୍ଡୋଗାନ୍ଙ୍କୁ ଭେଟି ସିରିୟା ସହ ସେ ଅଞ୍ଚଳର ସଂଘର୍ଷ ଓ ବୈଶ୍ବିକ ଖାଦ୍ୟ ସଙ୍କଟ ଲାଘବ କରିବା ଲାଗି ୟୁକ୍ରେନୀୟ ଖାଦ୍ୟଶସ୍ୟର ପୁନଃ ରପ୍ତାନି ନିମନ୍ତେ ଜାତିସଂଘ ସମର୍ଥିତ ପ୍ରସ୍ତାବ ସଂକ୍ରାନ୍ତରେ ଆଲୋଚନା କରିବେ।
Image Courtesy of AP Newsହ୍ବାଇଟ୍ ହାଉସ୍ ଅଭିଯୋଗ କରିଛି ଯେ, ୟୁକ୍ରେନ୍ ଯୁଦ୍ଧରେ ଉପଯୋଗ କରିବା ଲାଗି ତେହ୍ରାନ୍ର ଯୁଦ୍ଧାସ୍ତ୍ରବାହୀ ଡ୍ରୋନ୍ର ସାମର୍ଥ୍ୟ ସମୀକ୍ଷା କରିବା ନିମନ୍ତେ ଅଳ୍ପ କିଛି ସପ୍ତାହ ତଳେ ରୁଷୀୟ ସରକାରୀ ଅଧିକାରୀମାନେ କେନ୍ଦ୍ରୀୟ ଇରାନ୍ରେ ଥିବା ଏକ ‘ଏୟାର୍ଫିଲ୍ଡ୍’ ଗସ୍ତ କରିଥିଲେ।
ମଙ୍ଗଳବାର ଦିନ ପୁଟିନ୍ଙ୍କୁ ତେହ୍ରାନ୍ର ମେହ୍ରାବାଦ୍ ବିମାନ ବନ୍ଦରରେ ଇରାନୀୟ ତୈଳମନ୍ତ୍ରୀ ଜାଭେଦ୍ ଅୱିଜି ଭବ୍ୟ ସ୍ବାଗତ କରି ରାଷ୍ଟ୍ରପତିଙ୍କ ଗାଡ଼ିରେ ନଗରୀ ମଧ୍ୟକୁ ନେଇଯାଇଥିଲେ। କୁହାଯାଉଛି, ରୁଷ୍-ୟୁକେ୍ରନ୍ ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନ ନିମନ୍ତେ ମଧ୍ୟସ୍ଥତା କରିବା ଲାଗି ଆଗ୍ରହୀ ତୁର୍କୀର ରାଷ୍ଟ୍ରପତି ରେସେପ୍ ତାୟିପ୍ ଏର୍ଡୋଗାନ୍ଙ୍କ ସହିତ ପୁଟିନ୍ ଉଚ୍ଚସ୍ତରୀୟ ଆଲୋଚନା କରିପାରନ୍ତି। ଏହାଛଡ଼ା, ୟୁକ୍ରେନୀୟ ଶସ୍ୟ ରପ୍ତାନି ନିମନ୍ତେ ଅବରୋଧ କରାଯାଇଥିବା କୃଷ୍ଣସାଗର ଜଳପଥ ଖୋଲିବା ପାଇଁ ବୁଝାମଣା ମଧ୍ୟ ହୋଇପାରେ।
Follow Us