Image Courtesy of India Today
ମାଡ୍ରିଡ୍: ସପ୍ତାହେବ୍ୟାପୀ ଭୂକମ୍ପନ ପ୍ରକ୍ରିୟା ଜାରି ରହିବା ପରେ ରବିବାର ଦିନ ସ୍ପେନ୍ର ଆଟ୍ଲାଣ୍ଟିକ୍ ମହାସାଗର ମଧ୍ୟସ୍ଥ ଲା ପାଲ୍ମା ଦ୍ବୀପରେ ରବିବାର ଦିନ ଆଗ୍ନେୟଗିରି ଉଦ୍ଗୀରଣ ହୋଇଛି। ନିକାଞ୍ଚନ ପାର୍ବତ୍ୟ ଅଞ୍ଚଳରେ ଥିବା ବାସଗୃହ ଆଡ଼କୁ ଆଗ୍ନେୟଗିରି ଉଦ୍ଗୀରଣଜନିତ ଗଳିତଧାତୁ (ଲାଭା) ସ୍ରୋତ ମାଡ଼ି ଯିବାର ଆଶଙ୍କା କରି ସରକାରୀ କର୍ତ୍ତୃପକ୍ଷମାନେ ତୁରନ୍ତ ୧୦୦୦ ବାସିନ୍ଦାଙ୍କୁ ସ୍ଥାନାନ୍ତର କରିଥିଲେ।
‘କେନେରି ଆଇଲାଣ୍ଡ୍ସ୍ ଭଲକାନୋଲୋଜି ଇନ୍ଷ୍ଟିଚ୍ୟୁଟ୍’ ରିପୋର୍ଟ ଅନୁସାରେ, ଦ୍ବୀପର ଦକ୍ଷିଣ ସୀମାନ୍ତ ନିକଟରେ ଉପରୋକ୍ତ ଉଦ୍ଗୀରଣ ସଙ୍ଘଠିତ ହୋଇଛି। ପୂର୍ବରୁ ୧୯୭୧ ମସିହାରେ ମଧ୍ୟ ସେଠାରେ ଆଗ୍ନେୟଗିରି ଉଦ୍ଗୀରଣ ହୋଇଥିଲା।
ଗତକାଲି ‘କୁମ୍ବ୍ରେ ଭିଏଜ୍ ଆଗ୍ନେୟଗିରି ହିଡ଼ ଅଞ୍ଚଳରେ ଉଦ୍ଗୀରଣ ହେବା ପରେ ଶୀର୍ଷରେ କଳା ଓ ଧଳା ଧୂଆଁ ଥାଇ ପ୍ରକାଣ୍ଡ ଲାଲ୍ ସ୍ତମ୍ଭାକୃତି ଧୂମ୍ରକୁଣ୍ଡଳ ଶୂନ୍ୟକୁ ଉଠିଥିଲା। ସେଠାରେ ସପ୍ତାହେ ଧରି ସଂଘଠିତ ହୋଇଥିବା ଛୋଟ ଛୋଟ ଭୂମିକମ୍ପ ଏବଂ ଭୂପୃଷ୍ଠ ତଳେ ଜମା ହେଉଥିବା ଗଳିତଧାତୁ ଉପରେ ବୈଜ୍ଞାନିକମାନେ ଦୃଷ୍ଟି ରଖିଥିଲେ।
Image Courtesy of Nation World News୮୫୦୦୦ ଜନତା ବାସ କରୁଥିବା ଲା ପ୍ଲାମା ଦ୍ବୀପରେ ଆଗ୍ନୟଗିରି ଉଦ୍ଗୀରଣ ହେବା ପୂର୍ବରୁ କ୍ୟାବେଜା ଡି ଭାକା ରୂପେ ପରିଚିତ ଅଞ୍ଚଳରେ ୪.୨ ତୀବ୍ରତାସମ୍ପନ୍ନ ଭୂମିକମ୍ପ ହୋଇଥିଲା। ଉଦ୍ଗୀରଣ ଯୋଗୁଁ ନିର୍ଗତ ହୋଇଥିବା ଘନ କଳାଧୂଆଁର ତଳ ଭାଗରୁ ଲାଲ୍ ପଥରଖଣ୍ଡମାନ ଶୂନ୍ୟକୁ ଛିଟିକି ପଡୁଥିବା ଦେଖାଯାଇଥିଲା।
ଏଥିସହ, ସମ୍ମୁଖଭାଗ ଜଳୁଥିବା ଉତ୍ତପ୍ତ କଳା ଗଳିତଧାତୁର ସ୍ରୋତ ଏଲ୍ ପାସୋ ଗାଁରେ ଥିବା ଘରଗୁଡ଼ିକ ଆଡ଼କୁ ଗଡ଼ି ଆସୁଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ମେୟର୍ ସର୍ଜିଓ ରୋଡ୍ରିଗୁଏଜ୍ କହିଛନ୍ତି, ବିପଦରେ ପଡ଼ିବାର ଆଶଙ୍କା ଥିବା ୩୦୦ ଲୋକଙ୍କୁ ତୁରନ୍ତ ଏଲ୍ ପାସୋ ଫୁଟ୍ବଲ୍ ପଡ଼ିଆକୁ ସ୍ଥାନାନ୍ତର କରାଯାଇଥିଲା।
ଆଗ୍ନେୟଗିରି ଉଦ୍ଗୀରଣ ଯୋଗୁଁ କେହି ମୃତାହତ ହୋଇଥିବା ଖବର ଏପର୍ଯ୍ୟନ୍ତ ଆସି ନ ଥିବା କଥା ଲା ପ୍ଲାମା ଦ୍ବୀପର ରାଷ୍ଟ୍ରପତି ମାରିନାଓ ହର୍ଣ୍ଣାନଡେଜ୍ କହିଛନ୍ତି। କିନ୍ତୁ, ଗଳିତଧାତୁ ପ୍ରବାହିତ ହୋଇଥିବାରୁ ଜନାକୀର୍ଣ୍ଣ ଉପକୂଳ ଅଞ୍ଚଳ କଥା ନେଇ ସେ ଚିନ୍ତିତ ଅଛନ୍ତି ବୋଲି ସୂଚନା ଦେଇଛନ୍ତି।
Follow Us