ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ୮ମ ତଥା ଚୂଡ଼ାନ୍ତ ପର୍ଯ୍ୟାୟରେ ୩୫ଟି ଆସନ ପାଇଁ ଭୋଟ୍‌ ଗ୍ରହଣ ଆରମ୍ଭ

Advertisment

ଆଜି ସନ୍ଧ୍ୟା ୭ଟା ପରେ ଘୋଷଣା କରାଯିବ ‘ଏକ୍ଜିଟ୍‌ ପୋଲ୍‌’ ଫଳାଫଳ

ଆଜି ସନ୍ଧ୍ୟା ୭ଟା ପରେ ଘୋଷଣା କରାଯିବ ‘ଏକ୍ଜିଟ୍‌ ପୋଲ୍‌’ ଫଳାଫଳ

କୋଭିଡ ଗାଇଡଲାଇନ୍ ଅନୁସାରେ ହେବ ମତଦାନ ଓ ଗଣତି

Image Courtesy of Zee News

କୋଲକାତା: କୋଭିଡ୍‌-୧୯ ସଂକ୍ରମଣ ବିଭୀଷିକା ମଧ୍ୟରେ ଆଜି ସକାଳ ୭ଟାରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ୮ମ ତଥା ଚୂଡ଼ାନ୍ତ ପର୍ଯ୍ୟାୟରେ ୩୫ଟି ଆସନ ପାଇଁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ତେଣୁ, କୋଭିଡ୍-୧୯ ନିୟମ ଅନୁସରଣ କରି ଭୋଟ୍‌ ଦେବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୋଟର୍‌ମାନଙ୍କୁ ଅନୁରୋଧ କରିଛନ୍ତି।

ଟୁଇଟ୍‌ କରି ସେ ଲେଖିଛନ୍ତି, ଆଜି ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଚାଲିଛି। ଜନସାଧାରଣଙ୍କୁ ଅନୁରୋଧ କୋଭିଡ୍-୧୯ ନିୟମାନୁସାରେ ସେମାନେ ଭୋଟ୍‌ ଦେଇ ଗଣତନ୍ତ୍ରର ଏହି ଉତ୍ସବକୁ ସମୃଦ୍ଧ କରନ୍ତୁ।

ପ୍ରାପ୍ତ ସୂଚନା ଅନୁସାରେ, ଭୋଟ୍‌ ଦେବା ନିମନ୍ତେ ଭୋଟର୍‌ମାନେ ଶାନ୍ତିନିକେତନ, ବୋଲପୁର ଆଦି କେନ୍ଦ୍ରମାନଙ୍କରେ ଧାଡ଼ି ବାନ୍ଧି ଅପେକ୍ଷା କରିଛନ୍ତି। ଭୋଟ୍‌ ଗ୍ରହଣ ଆରମ୍ଭ ପୂର୍ବରୁ ବିଭିନ୍ନ ବୁଥ୍‌ରେ ‘ମକ୍ ପୋଲିଙ୍ଗ୍‌’ ମଧ୍ୟ କରାଯାଇଥିଲା।

ସେହିଭଳି, ଆଜିର ଏହି ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନରେ ଉତ୍ତର କୋଲ୍‌କାତାର କାଶୀପୁର-ବେଲଗାଛିଆସ୍ଥିତ ଏକ ମତଦାନ କେନ୍ଦ୍ରରେ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ଭୋଟ୍‌ ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି, ପୂର୍ବରୁ କେବେ ମୁଁ ଏମିତି ଶାନ୍ତିରେ ଭୋଟ୍‌ ଦେଇ ନ ଥି‌ଲି। ସମସ୍ତ ନିରାପତ୍ତା କର୍ମଚାରୀଙ୍କୁ ଅଭିନନ୍ଦନ।

ମାଲଦା, ମୁର୍ଶିଦାବାଦ, ବୀରଭୂମ ଏବଂ କୋଲ୍‌କାତା ଅଞ୍ଚଳର ଏହି ଆସନଗୁଡ଼ିକରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ସମୁଦାୟ ୨୮୩ଜଣଙ୍କ ମଧ୍ୟରୁ ୩୫ଜଣ ହେଉଛନ୍ତି ମହିଳା। ଏଥିରେ ମାଲ୍‌ଦାର ୬ଟି, ମୁର୍ଶିଦାବାଦ ଓ ବୀରଭୂମରେ ୧୧ଟି ଲେଖାଏଁ ଓ କୋଲ୍‌କାତାର ୭ଟି ଆସନ ଅନ୍ତର୍ଭୁକ୍ତ। ଏଥିପାଇଁ ୧୧,୮୬୦ଟି ଭୋଟ୍‌ ଗ୍ରହଣ କେନ୍ଦ୍ର ଖୋଲିଛି।

ଆଜି ସନ୍ଧ୍ୟା ୭ଟା ପରେ ‘ଏକ୍ଜିଟ୍‌ ପୋଲ୍‌’ ଫଳାଫଳ ଘୋଷଣା କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe