ପ୍ରିଗୋଜିନ୍‌ ଯାଉଥିବା ବିମାନକୁ ଗୁଳିମାରି ଖସାଇଛି ରୁଷ୍‌ର ‘ଏୟାର୍‌ ଡିଫେନ୍‌ସ୍‌’: ‘ୱାଗ୍‌ନର୍‌’ ଚାନେଲ୍‌

Advertisment
ପ୍ରିଗୋଜିନ୍‌ ଯାଉଥିବା ବିମାନକୁ ଗୁଳିମାରି ଖସାଇଛି ରୁଷ୍‌ର ‘ଏୟାର୍‌ ଡିଫେନ୍‌ସ୍‌’: ‘ୱାଗ୍‌ନର୍‌’ ଚାନେଲ୍‌

Image Courtesy of London Loves Business

ମସ୍କୋ: ରୁଷ୍‌ର ଘରୋଇ ସେନା ‘ୱାଗ୍‌ନର୍‌’ର ମୁଖ୍ୟ ୟେଭ୍‌ଜେନି ପ୍ରିଗୋଜିନ୍‌ ଯାତ୍ରା କରୁଥିବା ଘରୋଇ ଜେଟ୍‌ ବିମାନକୁ ‘ରଷିଆନ୍‌ ଏୟାର୍‌ ଡିଫେନ୍‌ସ୍‌’ ଗୁଳି କରି ଖସାଇ ଦେଇଥିବା କଥା ‘ୱାଗ୍‌ନର୍‌’ ଚାନେଲ୍‌ ‘ଗ୍ରେଜୋନ୍‌’ ଅଭିଯୋଗ କରିଛି।

‘ୱାଗ୍‌ନର୍‌’ର ମୁଖ୍ୟ ୟେଭ୍‌ଜେନି ପ୍ରିଗୋଜିନ୍‌ ଯାଉଥିବା ଜେଟ୍‌ ବିମାନ (ଆର୍‌ଏ-୦୨୭୯୫) ପ୍ରାୟ ୨୮, ୦୦୦ ଫୁଟ୍‌ ଉଚ୍ଚରେ ଘଣ୍ଟାପ୍ରତି ୬୯୦ କିଲୋମିଟର୍‌ ବେଗରେ ଉଡୁଥିବା ବେଳେ ବୁଧବାର ଦିନ ସ୍ଥାନୀୟ ସମୟ ଅପରାହ୍ଣ ୩ଟାରେ ହଠାତ୍‌ ତଳକୁ ଖସି ଆସିଥିଲା।

ଉଡ଼ାଣର ପ୍ରାୟ ଅଧଘଣ୍ଟା ପରେ ଟିଭର୍‌ ଅନ୍ତର୍ଗତ କୁଜେକିନୋ ଗ୍ରାମ ନିକଟରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଭୂଇଁରେ ଖସିପଡ଼ି ଜଳି ଯାଇଥିଲା।

ୱାଗ୍‌ନର୍‌ ଚାନେଲ୍‌ ‘ଗ୍ରେଜୋନ୍‌’ କହିଛି ଯେ, ପୁଟିନ୍‌ ଓ ପ୍ରିଗୋଜିନ୍‌ଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଯେ ରକ୍ତପାତରେ ଶେଷ ହେବ, ତାହା ଥିଲା ଅନିବାର୍ଯ୍ୟ।

ବିଶ୍ବର ଅନ୍ୟାନ୍ୟ ନେତାମାନେ ମଧ୍ୟ ପ୍ରିଗୋଜିନ୍‌ଙ୍କ ମୃତ୍ୟୁ ସଂକ୍ରାନ୍ତରେ ନିଜ ନିଜର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି, କ’ଣ ହେଲା ସେ କଥା ମୁଁ ଜାଣେ ନାହିଁ, କିନ୍ତୁ ମୁଁ ବିସ୍ମିତ ନୁହେଁ। ପୁଟିନ୍‌ଙ୍କ ହାତ ଥାଇ ରୁଷ୍‌ରେ ଅନେକ କିଛି ଘଟେ। କିନ୍ତୁ, ଏ ଘଟଣାର ଉତ୍ତର ଦେବା ପାଇଁ ମୁଁ ବିଶେଷ କିଛି ଜାଣିନାହିଁ।

publive-image Image Courtesy of WSJ

ସେହିପରି, ୟୁକ୍ରେନ୍‌ର ରାଷ୍ଟ୍ରପତିଙ୍କ ସହଯୋଗୀ ମାଇଖେଲୋ ପୋଦୋଲିୟାକ୍‌ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି ଯେ, ଅବିଶ୍ବସ୍ତଙ୍କ ପ୍ରତି ଏହି ବିମାନ ଦୁର୍ଘଟଣା କ୍ରେମ୍‌ଲିନ୍‌ର ସତର୍କ ସୂଚନା। ସାବଧାନ୍‌! ଅବିଶ୍ବସ୍ତତା ମୃତ୍ୟୁ ସଙ୍ଗେ ସମାନ।

ରୁଷ୍‌ ସରକାରଙ୍କ ବିମାନ ଚଳାଚଳ ଏଜେନ୍‌ସି ‘ରସାଭିଏତ୍‌ସିଆ’ କହିଛି, ପ୍ରିଗୋଜିନ୍‌ ନାମଧାରୀ ଜଣେ ବ୍ୟକ୍ତି ବିମାନରେ ଥିଲେ। ପ୍ରିଗୋଜିନ୍‌ଙ୍କ ଅବସ୍ଥା ଏବଂ ଅବସ୍ଥିତି ବିଷୟରେ ଏବେ କିଛି ଜଣାପଡ଼ିନାହିଁ।

‘ସିଏନ୍‌ଏନ୍‌’କୁ ଦେଇଥିବା ସାକ୍ଷାତ୍‌କାରରେ ଏସ୍ତୋନିଆର ପ୍ରଧାନମନ୍ତ୍ରୀ କାଜା କାଲ୍ଲାସ୍‌ କହିଛନ୍ତି, ପୁଟିନ୍‌ ବିରୋଧୀମାନଙ୍କୁ ନିପାତ କରିଦେବେ। ଭିନ୍ନ ମତ ପୋଷଣ କରିବାକୁ ଚିନ୍ତା କରୁଥିବା ବ୍ୟକ୍ତିଙ୍କୁ ଏହି ଘଟଣା ଭୟଭୀତ କରିପକାଇବ।

ପୋଲାଣ୍ଡ୍‌ର ବୈଦେଶିକ ମନ୍ତ୍ରୀ ଜିଗ୍‌ନ୍ୟୁ ରଉ ରାଷ୍ଟ୍ରାୟତ ନିଉଜ୍‌ ଚାନେଲ୍‌ ‘ଟିଭିପି ଇମ୍ଫୋ’ରେ କହିଛନ୍ତି, ପୁଟିନଙ୍କ କ୍ଷମତା ପ୍ରତି ବିପଦ ହେଉଥିବା ବ୍ୟକ୍ତିମାନଙ୍କର ‘ସ୍ବାଭାବିକ ମୃତ୍ୟୁ’ ହୁଏନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe