Bar and Bench
ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି)ର ମୁମ୍ବାଇ ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖଡ଼େଙ୍କ ପିତା ଜ୍ଞାନଦେବ କାଚରୁଜି ୱାଙ୍ଖଡ଼େ ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲିକଙ୍କ ବିରୋଧରେ କରିଥିବା ମାନହାନି ମାମଲାର ଶୁଣାଣିକୁ ବମ୍ବେ ହାଇକୋର୍ଟ ୧୦ ତାରିଖ ପର୍ଯ୍ୟନ୍ତ ମୁଲତବି ରଖିଥିବା ବେଳେ ମନ୍ତ୍ରୀ ମଲିକଙ୍କୁ ମଙ୍ଗଳବାର ସୁଦ୍ଧା ତାଙ୍କ ବିରୋଧରେ ଆଗତ ଅଭିଯୋଗର ଉତ୍ତର ଦେବା ପାଇଁ ଆଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ବରିଷ୍ଠ ଏନ୍ସିବି ଅଧିକାରୀଙ୍କ ପିତା ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲିକଙ୍କ ବିରୋଧରେ ୧.୨୫ କୋଟି ଟଙ୍କାର ମାନହାନି ମାମଲା ରୁଜୁ କରିଛନ୍ତି। ମଲିକ ସାମାଜିକ ଗଣମାଧ୍ୟମରେ ତାଙ୍କ ପୁଅ ଓ ପରିବାର ସମ୍ପର୍କରେ ମାନହାନିକର ଓ ଆପତ୍ତିଜନକ ମନ୍ତବ୍ୟ ଦେଉଥିବାରୁ ସେ ଏହା ବିରୋଧରେ ମାମଲା ଦାୟର କରିଛନ୍ତି। ମଲିକ ଓ ତାଙ୍କ ଅନୁଗତମାନେ ଯେପରି ତାଙ୍କ ପରିବାର ବିଷୟରେ ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ଓ ଅପମାନକର କିଛି ପୋଷ୍ଟ ନ କରନ୍ତି, ସେ ବିଷୟରେ ଆଦେଶ ଦେବା ପାଇଁ ସେ ମାନ୍ୟବର କୋର୍ଟଙ୍କୁ ଅନୁରୋଧ କରିଛନ୍ତି। ସମୀର ୱାଙ୍ଖଡ଼େଙ୍କ ବିରୋଧରେ ଲାଞ୍ଚ ନେବାଠାରୁ ଆରମ୍ଭ କରି ଜାତି ପ୍ରମାଣପତ୍ରରେ ଜାଲିଆତି କରିବା ଏବଂ ନିଜେ ମୁସଲମାନ ହୋଇ ଦଳିତ କୋଟାରେ ଚାକିରି କରିବା ଆଦି ଅନେକ ଅଭିଯୋଗ କରିଛନ୍ତି ନୱାବ ମଲିକ। ସୋମବାର ସେ ପୁଣି ଅଭିଯୋଗ କରିଛନ୍ତି ଯେ ୱାଙ୍ଖଡ଼େଙ୍କ ଶଳା କୁଆଡ଼େ ଡ୍ରଗ୍ ବ୍ୟବସାୟରେ ସମ୍ପୃକ୍ତ।
Follow Us