ନୂଆଦିଲ୍ଲୀ: ‘ଜଣେ ସାଂସଦ ହିସାବରେ ମୋର ପ୍ରଥମ ଦାୟିତ୍ୱ ସଂସଦରେ ଉତ୍ତର ଦେବା; ଏହା ପରେ ହିଁ ମୁଁ ଗଣମାଧ୍ୟମ ଆଗରେ ସ୍ପଷ୍ଟୀକରଣ ଦେଇ ପାରିବି। ମୁଁ ଆଶାବାଦୀ; ଯଦିଓ ନିଶ୍ଚିତ ନୁହେଁ ଯେ ସେମାନେ ମୋତେ ଶୁକ୍ରବାର ସଂସଦରେ ଭାଷଣ ଦେବାକୁ ଅନୁମତି ଦେବେ’ ବୋଲି କହିଛନ୍ତି କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ।
ଆଜି ରାହୁଲ ଗାନ୍ଧୀ କହିଛନ୍ତି, ‘ମୁଁ ଲୋକସଭା ବାଚସ୍ପତିଙ୍କୁ କହିଥିଲି ଯେ ମୁଁ ସଂସଦରେ କହିବାକୁ ଚାହୁଁଛି। ୪ ଜଣ ମନ୍ତ୍ରୀ ମୋ ବିରୋଧରେ ଅଭିଯୋଗ ଆଣିଛନ୍ତି ଏବଂ ଏହାର ଜବାବ ଦେବାର ଅଧିକାର ମୋର ରହିଛି। ଯଦି ଭାରତୀୟ ଗଣତନ୍ତ୍ର କାର୍ଯ୍ୟ କରୁଥାନ୍ତା, ତେବେ ମୁଁ ସଂସଦରେ ଭାଷଣ ଦେଇ ପାରିବି। ଅଦାନୀ ଗ୍ରୁପ୍ ବିଷୟରେ ମୁଁ ଗତ ସଂସଦ ଭାଷଣରେ ପଚାରିଥିବା ପ୍ରଶ୍ନର ଉତ୍ତର ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଦେଇନାହାନ୍ତି’ ବୋଲି ରହୁଲ ଅଭିଯୋଗ କରିଛନ୍ତି।
ବିଦେଶରୁ ଫେରିବା ପରେ ରାହୁଲ ଗାନ୍ଧୀ ସଂସଦ ଭବନରେ ପହଞ୍ଚିଥିଲେ ଏବଂ ଲଣ୍ଡନରେ ଦେଇଥିବା ମନ୍ତବ୍ୟ ପାଇଁ କ୍ଷମା ମାଗିବେ କି ବୋଲି ପଚରାଯିବାରୁ ସେ ହସିଥିଲେ।
ଉଲ୍ଲେଖଯୋଗ୍ୟ, ବ୍ରିଟେନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ ଅଭିଯୋଗ କରିଥିଲେ ଯେ ଭାରତୀୟ ଗଣତନ୍ତ୍ରର ଢାଞ୍ଚା ଉପରେ ଆକ୍ରମଣ ହେଉଛି ଏବଂ ଦେଶର ଅନୁଷ୍ଠାନ ଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ଆକ୍ରମଣ ହେଉଛି। ତେବେ, ଭାରତ ଏବଂ ସଂସଦ ସମେତ ଦେଶର ଅନୁଷ୍ଠାନ ବିରୋଧରେ ରାହୁଲ ମୁହଁ ଖୋଲିଥିବା ଅଭିଯୋଗ କରି ବିଜେପି ତାଙ୍କୁ କ୍ଷମା ମାଗିବାକୁ ଦାବି କରିଛି।
Follow Us