ହିମାଳୟ ଅଞ୍ଚଳରେ ଯେ କୌଣସି ସମୟରେ ହୋଇପାରେ ୮. ୫ ତୀବ୍ର ଭୂମିକମ୍ପ!

ହିମାଳୟ ଅଞ୍ଚଳରେ ଯେ କୌଣସି ସମୟରେ ହୋଇପାରେ ୮. ୫ ତୀବ୍ର ଭୂମିକମ୍ପ!

ନୂଆଦିଲ୍ଲୀ: ହିମାଳୟ ଅଞ୍ଚଳରେ ଭୟାବହ ଭୂମିକମ୍ପ ହେବ ବୋଲି ବୈଜ୍ଞାନିକମାନେ ସତର୍କ ସୂଚନା ଜାରି କରିଛନ୍ତି।

ଭବିଷ୍ୟତରେ ଯେ କୌଣସି ସମୟରେ କେନ୍ଦ୍ରୀୟ ହିମାଳୟ ଅଞ୍ଚଳରେ (ଉତ୍ତରାଖଣ୍ଡରୁ ଆରମ୍ଭ କରି ନେପାଳ ଯାଏଁ) ୮. ୫ ରୁ ଅଧିକ ତୀବ୍ର ଭୂମିକମ୍ପ ହୋଇ ପାରେ ବୋଲି ଦଳେ ଭାରତୀୟ ବୈଜ୍ଞାନିକ ଏକ ଅଧ୍ୟୟନରେ ପ୍ରକାଶ କରିଛନ୍ତି।

ତୁଳନାରୁ ଦେଖାଯାଇଛି: ୨୦୧୫ ନେପାଳରେ ହୋଇଥିବା ୮. ୧ ତୀବ୍ର ଭୂମିକମ୍ପରେ ପ୍ରାୟ ୯୦୦୦ ଲୋକ ପ୍ରାଣ ହରାଇଥିଲେ। ୨୦୦୧ରେ ଗୁଜରାଟରେ ୭. ୭ ତୀବ୍ର ଭୂମିକମ୍ପ ହେବାରୁ ୧୩, ୦୦୦ ଲୋକ ଜୀବନ ହରାଇଥିଲେ।

ବେଙ୍ଗାଲୁରୁସ୍ଥିତ ‘ଜବାହରଲାଲ୍‌ ନେହେରୁ ସେଣ୍ଟର୍‌ ଫର୍‌ ଆଡ୍‌ଭାନ୍‌ସ୍‌ ସାଇଣ୍ଟିଫିକ୍‌ ରିସର୍ଚ’ର ଭୂକମ୍ପବିତ୍‌ ସିପି ରାଜେନ୍ଦ୍ରନ୍‌ଙ୍କ ନେତୃତ୍ୱାଧୀନ ଗବେଷକଗଣ ଏହି ନୂତନ ଅଧ୍ୟୟନରେ ଉଲ୍ଲେଖ କରିଛନ୍ତି ଯେ ୧୪ଶ କିଂବା ୧୫ଶ ଶତାବ୍ଦୀରେ ଏହା ଠାରୁ ଅଧିକ ବିପର୍ଯ୍ୟୟକାରୀ ଭୂମିକମ୍ପ କେନ୍ଦ୍ରୀୟ ହିମାଳୟ ଅଞ୍ଚଳରେ ସଂଘଠିତ ହୋଇଥିଲା।

ଗବେଷକଗଣ କହିଛନ୍ତି କି, ସେମାନଙ୍କ ଅଧ୍ୟୟନ ଜିଓଲୋଜିକାଲ୍‌ ସର୍ଭେ ଅଫ୍‌ ଇଣ୍ଡିଆ ପ୍ରକାଶିତ ଭୂତାତ୍ତ୍ୱିକ ତଥ୍ୟ ଏବଂ ମାନଚିତ୍ର, ଗୁଗଲ୍‌ ଆର୍ଥ ଏବଂ ଇସ୍ରୋର କାର୍ଟୋଷ୍ଟାଟ୍‌-ଓ୍ଵାନ୍‌ କୃତ୍ରିମ ଉପଗ୍ରହର ଚିତ୍ରାବଳୀ ଉପରେ ଆଧାରିତ।

ଏହାକୁ ଅନୁଶୀଳନ କରି ଗବେଷକମାନେ କହୁଛନ୍ତି କି ୧୩୧୫ ମସିହାରୁ ୧୪୪୦ ମସିହା ମଧ୍ୟରେ କେନ୍ଦ୍ରୀୟ ହିମାଳୟରେ ୮. ୫ ତୀବ୍ରତାରୁ ଅଧିକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ଫଳରେ ୬୦୦ କିଲୋମିଟର୍‌ ଦୀର୍ଘ ଭୂମି ଫାଟି ମୁକୁଳା ହୋଇ ଯାଇଥିଲା। ଏହି ଦୂରତା ଦିଲ୍ଲୀରୁ ଲକ୍ଷ୍ନୌ ମଧ୍ୟରେ ଥିବା ଦୂରତା ଠାରୁ ଅଧିକ ହେବ।

ଗବେଷକମାନେ ସୂଚନା ଦେଉଛନ୍ତି ଯେ ସମ୍ପୃକ୍ତ ଅଞ୍ଚଳରେ ମାତ୍ରାଧିକ ଚାପ ସଞ୍ଚିତ ହୋଇ ରହିଥିବାରୁ ଯେ କୌଣସି ମୁହୂର୍ତ୍ତରେ ଭୂମିକମ୍ପ ଘଟିବା ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe