ଆଇପିସିସି ରିପୋର୍ଟରେ ଚେତାବନୀ: ବିଶ୍ବତାପନ ପାଇଁ ବିପର୍ଯ୍ୟୟର ସାମ୍ନା କରିପାରେ ଭାରତ

Advertisment
ଆଇପିସିସି ରିପୋର୍ଟରେ ଚେତାବନୀ: ବିଶ୍ବତାପନ ପାଇଁ ବିପର୍ଯ୍ୟୟର ସାମ୍ନା କରିପାରେ ଭାରତ

ନୂଆଦିଲ୍ଲୀ: ନିକଟରେ ପ୍ରକାଶିତ ଜାତିସଂଘ ଆନ୍ତଃସରକାରୀ ଜଳବାୟୁ ପରିବର୍ତ୍ତନ କମିଟି (ଆଇପିସିସି)ର ରିପୋର୍ଟ ଅନୁସାରେ ଆଗାମୀ ଦିନରେ ଭାରତ ତାପମାତ୍ରା ବୃଦ୍ଧି, ସାମୁଦ୍ରିକ ଜଳପତ୍ତନ ବୃଦ୍ଧି, ଜୀବନ ଓ ଜୀବିକା ଉପରେ ବିପର୍ଯ୍ୟୟକର ପ୍ରଭାବ ଆଦି ବିରାଟ ଆହ୍ବାନର ସମ୍ମୁଖୀନ ହୋଇପାରେ। ଛଅଟି ଭିନ୍ନ ଭିନ୍ନ ରିପୋର୍ଟକୁ ଆଧାର କରି ଉକ୍ତ ସଂଶ୍ଳେଷିତ ରିପୋର୍ଟ ପ୍ରକାଶ ପାଇଛି।

ରିପୋର୍ଟ ଅନୁସାରେ ଭାରତ ଆଗାମୀ ଦିନରେ ନାନା ଚରମ ଜଳବାୟୁଗତ ବିପର୍ଯ୍ୟୟର ସମ୍ମୁଖୀନ ହୋଇପାରେ। କୃଷି ଓ ଜନସ୍ବାସ୍ଥ୍ୟ ଉପରେ ଏହାର ଘୋର ପ୍ରତିକୂଳ ପ୍ରଭାବ ପଡ଼ିପାରେ। ଏଣୁ ନୀତି-ନିର୍ଦ୍ଧାରକମାନେ ବିପର୍ଯ୍ୟୟ-ପ୍ରଶମନମୂଳକ ନିବେଶ ଉପରେ ଅଧିକ ଗୁରୁତ୍ବ ଦେବା ଉଚିତ ବୋଲି ରିପୋର୍ଟରେ ପରାମର୍ଶ ଦିଆଯାଇଛି। ଏହି ପଦକ୍ଷେପଗୁଡ଼ିକ ଭିତରେ ରହିଛି ବନ୍ୟା, ବାତ୍ୟା, ଭୂକମ୍ପ ଆଦି ସମ୍ଭାବ୍ୟ ବିପର୍ଯ୍ୟୟ ପୂର୍ବରୁ ଲୋକଙ୍କୁ ସଚେତନ କରାଇବା ବ୍ୟବସ୍ଥାକୁ ସୁଦୃଢ଼ କରିବା, ଏଭଳି ବିପତ୍ତି ଆସିବା ପୂର୍ବରୁ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ଲାଗି ପ୍ରାକ୍-ଯୋଜନା କରିବା, ବିପର୍ଯ୍ୟୟ ଦ୍ବାରା ପ୍ରଭାବିତ ହେବାର ଅଧିକ ସମ୍ଭାବନା ଥିବା ଜନସାଧାରଣଙ୍କ ସୁରକ୍ଷା ପାଇଁ ଭିତ୍ତିଭୂମିର ବିକାଶ କରିବା ଇତ୍ୟାଦି।

ଆଇପିସିସିର ଦୁଇଟି ରିପୋର୍ଟର ପ୍ରମୁଖ ଲେଖକ ତଥା ଭାରତୀ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ପଲିସି, ଇଣ୍ଡିଆନ ସ୍କୁଲ୍ ଅଫ୍ ବିଜ୍‌ନେସ୍‌ର ରିସର୍ଚ୍ଚ ଡାଇରେକ୍ଟର ଡ ଅଞ୍ଜଲ ପ୍ରକାଶ ଏହା କହିଛନ୍ତି। ରିପୋର୍ଟରେ ସ୍ପଷ୍ଟଭାବରେ କୁହାଯାଇଛି ଯେ, ତାପମାତ୍ରା ବୃଦ୍ଧିକୁ ୨୦୩୦ ସୁଦ୍ଧା ୧.୫ ଡିଗ୍ରି ସେଲସିୟସ ଭିତରେ ସୀମିତ ରଖିବା କେବଳ କାଗଜକଲମରେ ସମ୍ଭବ, ବାସ୍ତବରେ ନୁହେଁ। କାରଣ ଏଥିପାଇଁ ସାରା ବିଶ୍ବରେ ଏବେ ଯେତିକି ପ୍ରଚେଷ୍ଟା କରାଯାଉଛି ତାହା ଯଥେଷ୍ଟ ନୁହେଁ ବୋଲି ରିପୋର୍ଟର ଅନ୍ୟତମ ଲେଖିକା ଏନର୍ଜି ଇକୋନମିକ୍ସ ପ୍ରୋଗ୍ରାମ, ଏସିଆନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ପ୍ରଫେସର ଜୟଶ୍ରୀ ରାୟ କହିଛନ୍ତି।

ରିପୋର୍ଟରେ କୁହାଯାଇଛି ୨୦୩୦ ସୁଦ୍ଧା ଶିଳ୍ପବିପ୍ଳବ ପୂର୍ବ ଅବସ୍ଥାଠାରୁ ୧.୫ ଡିଗ୍ରି କଥା ଛାଡ଼ ୨ ଡିଗ୍ରି ଭିତରେ ବି ତାପମାତ୍ରା ବୃଦ୍ଧିକୁ ସୀମିତ ରଖିବା ଲାଗି ଭାରତ ଏବେ ସମର୍ଥ ନୁହେଁ। ତାପମାତ୍ରାର ଏକ ଡିଗ୍ରି ବା ସାମାନ୍ୟ ବୃଦ୍ଧି ବି ଜଳବାୟୁ ଉପରେ ତଥା ଭାରତୀୟଙ୍କ ଜୀବନ-ଜୀବିକା ଉପରେ ଭୀଷଣ ପ୍ରତିକୂଳ ପ୍ରଭାବ ପକାଇପାରେ। ଏଣୁ ଜଳବାୟୁ ପରିବର୍ତ୍ତନ ଓ ତାପମାତ୍ରା ବୃଦ୍ଧିକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ଉପରେ ଅଧିକ ପୁଞ୍ଜିନିବେଶର ଆବଶ୍ୟକତା ଅଛି ବୋଲି ରିପୋର୍ଟରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe