ନିରବ ମୋଦି ମାମଲାରେ ମୁହଁ ଖୋଲିଲା ବଲିଉଡ୍‌ ! ଟ୍ଵିଟ୍‌ କରି ମତ ରଖିଲେ ସିନେ-ବ୍ୟକ୍ତିତ୍ୱ

Advertisment
ନିରବ ମୋଦି ମାମଲାରେ ମୁହଁ ଖୋଲିଲା ବଲିଉଡ୍‌ ! ଟ୍ଵିଟ୍‌ କରି ମତ ରଖିଲେ ସିନେ-ବ୍ୟକ୍ତିତ୍ୱ

Moneycontrol

ନୂଆଦିଲ୍ଲୀ : ପିଏନ୍‌ବିର ମୁମ୍ବାଇ ଶାଖାରୁ ୧୧,୩୦୦ କୋଟି ଟଙ୍କା ଠକେଇ କରି ଫେରାର ଥିବା ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ୨୦୧୧ରେ ସେ ହଜାର ହଜାର କୋଟି ଋଣ ନେଇଥିବା ବେଳେ ଏତେ ବର୍ଷ ମଧ୍ୟରେ ଏ ନେଇ କିପରି କୌଣସି ତଦନ୍ତ କରାଯାଇନଥିଲା ବୋଲି ସମସ୍ତେ ପ୍ରଶ୍ନ କରିବା ଆରମ୍ଭ କରି ଦେଇଛନ୍ତି । କିଛି ବଲିଉଡ୍‌ କଳାକାର ସିଷ୍ଟମ୍‌ ଏବଂ ରାଜନେତାଙ୍କ ଉପରେ ପ୍ରଶ୍ନ କରିଛନ୍ତି ।
ନିଜର ରୋକ୍‌ଠୋକ୍‌ ଟ୍ଵିଟ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଋଷି କପୁର ଏ ନେଇ ସ୍ୱର ଉଠାଇଛନ୍ତି । “୨୦୧୧ରୁ ଜଣେ ୧୧ହଜାର ୩ଶହ କୋଟି ଟଙ୍କା ଲୋନ ନେଇ ମଧ୍ୟ କ’ଣ ପାଇଁ ଆଗରୁ ଏ ନେଇ କୌଣସି ତଦନ୍ତ ହୋଇ ନ ଥିଲା ବୋଲି ପ୍ରଶ୍ନ କରିଛନ୍ତି । ଏଥିରେ କେବଳ ସେ ନୁହେଁ, ଆହୁରି ଅନେକ ଲୋକ ମଧ୍ୟ ସାମିଲ ଅଛନ୍ତି” ବୋଲି ସେ ଟ୍ଵିଟ୍‌ କରି କହିଛନ୍ତି ।

ଏଥିରେ ପଛରେ ନାହାନ୍ତି ବଲିଉଡ୍‌ ନାୟିକା ରିଚ୍ଚା ଚଢ଼ା । ସେ କହିଛନ୍ତି, “ଆମେ ପ୍ରତି ଜିନିଷ କିଣିବା ପରେ ୩୦.୯ପ୍ରତିଶତ ଆୟକର, ୧୮ପ୍ରତିଶତ ଜିଏସ୍‌ଟି ଏବଂ ଭ୍ୟାଟ୍‌ ଦେଉଛୁ । କିନ୍ତୁ ଏହି ଖବର ଶୁଣିବା ପରେ ଏହା ପରଠାରୁ ଆୟକର ଦେବାକୁ ମୁଁ ଚାହୁଁ ନାହିଁ । ଆମେ ଦେଉଥିବୁ ଏବଂ ନିରବ ମୋଦିଙ୍କ ଭଳି ଲୋକ ଏହାକୁ ଠକି ନେଇ ଚାଲିଥିବେ।”

ଫେବୃଆରି ୧୪ରେ ଏହି ଘଟଣାଟି ସାମ୍ନାକୁ ଆସିବା ପରେ ସବୁ ମହଲରୁ ତୀବ୍ର ପ୍ରତିକ୍ରିୟା ଦେଖା ଦେଇଥିଲା । ସମସ୍ତେ ନିରବ ମୋଦିଙ୍କୁ ଦୋଷ ଦେଉଥିବା ବେଳେ ପ୍ରସିଦ୍ଧ ଲେଖକ ଚେତନ ଭଗତ ପିଏନ୍‌ବି ଉପରେ ପ୍ରଶ୍ନ ଉଠାଇଛନ୍ତି।
“ଏହା କି ପ୍ରକାରର ଘୋଟାଲା ତାହା ପିଏନ୍‌ବି ବିସ୍ତାର ରୂପେ କହି ପାରିବ କି? ଆପଣ ଜଣଙ୍କୁ ଋଣ ନେବା ଲାଗି ବ୍ୟାଙ୍କ ଗ୍ୟାରେଣ୍ଟି ଦେଉଛନ୍ତି, ଏହା ଦ୍ୱାରା ସେ ଋଣ ଉଠାଇବା ଧୋକା କିପରି ହେବ? ସାହାସୀ ହୁଅ ଏବଂ କ’ଣ ବୋକାମୀ କରିଛ ତାହା ଆମକୁ ସ୍ପଷ୍ଟ କର” ବୋଲି ପିଏନ୍‌ବିକୁ ପ୍ରଶ୍ନ କରିଛନ୍ତି ଲେଖକ ଚେତନ ଭଗତ ।

ଅନ୍ୟ ପକ୍ଷରେ ଦୁର୍ନୀତି ଅଭିଯୋଗରେ ନିରବ ମୋଦି ଫେରାର ହେବା ନେଇ ଅନ୍ୟମାନେ ତାଙ୍କ ସହ କରିଥିବା ଚୁକ୍ତିକୁ ଫେରାଇ ନେଇଛନ୍ତି । ସେଥି ମଧ୍ୟରେ ଅଛନ୍ତି ନିରବ ମୋଦିଙ୍କ ପାଇଁ ଗ୍ଲୋବାଲ ଆମ୍ବାସଡ଼ର ଭାବେ କାମ କରୁଥିବା ବଲିଉଡ଼ ନାୟିକା ପ୍ରିୟଙ୍କା ଚୋପ୍ରା । ତେବେ ନିରବ ନ୍ୟୁୟର୍କରେ ଥିବା ନେଇ ଖବର ଆସିବା ପରେ ତାଙ୍କୁ ଧରିବା ପାଇଁ ସିବିଆଇ ଜୋର୍‌ସୋର୍‌ ଚେଷ୍ଟା ଚଳାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe