Image Courtesy of Times Now
ଜାତିସଂଘ: ମଙ୍ଗଳବାର ଦିନ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଜାତିସଂଘ ମହାସଭା (ୟୁଏନ୍ଜିଏ) ୟୁକ୍ରେନ୍ ସଙ୍କଟ ଉପରେ ଅଭିଭାଷଣ ଦେବା ବେଳେ ଜାତିସଂଘସ୍ଥିତ ରୁଷୀୟ ରାଷ୍ଟ୍ରଦୂତ ଭାସିଲି ନେବେଞ୍ଜିୟା ମୋବାଇଲ୍ ଫୋନ୍ ‘ସ୍କ୍ରଲ୍’ କରୁଥିଲେ ବୋଲି ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
ଅଭିଭାଷଣ ଦେବା ସମୟରେ ବାଇଡେନ୍ ରୁଷ୍କୁ ଆକ୍ରମଣକାରୀ ଏବଂ ଶାନ୍ତିର ପଥ ଅବରୋଧକାରୀ ବୋଲି କହୁଥିଲେ। ସେତେବେଳେ ଶ୍ରୋତାମାନଙ୍କ ମଧ୍ୟରେ ଭ୍ଲାଦିମିର୍ ଜେଲେନ୍ସ୍କି ବି ଉପସ୍ଥିତ ଥିଲେ।
ଅଭିଭାଷଣରେ ଆମେରିକାର ରାଷ୍ଟ୍ରପତି ବାଇଡେନ୍ ଆହୁରି ମଧ୍ୟ କହିଲେ ଯେ, ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଏବଂ ତାଙ୍କ ସେନା ଆଶା କରୁଛନ୍ତି ଯେ, ୟୁକ୍ରେନ୍କୁ ସମର୍ଥନ କରି କରି ବିଶ୍ବ କ୍ଳାନ୍ତ ହୋଇଯିବ।
Image Courtesy of Republic Worldଉପସ୍ଥିତ ଶ୍ରୋତାମାନେ ବାଇଡେନ୍ଙ୍କ କଥାକୁ ସ୍ବୀକୃତି ଦେଇ ମୁଣ୍ଡ ଟୁଙ୍ଗାରୁ ଥିବା ବେଳେ ନେବେଞ୍ଜିୟା ସେଥିପ୍ରତି ତିଳେ ମାତ୍ର ଧ୍ୟାନ ନ ଦେଇ ବା ଖାତର ନ କରି ନିଜ ମୋବାଇଲ୍ ଫୋନ୍କୁ ଚାହିଁ ରହିଥିଲେ।
ଉଲ୍ଲେଖଯୋଗ୍ୟ, ଜାତିସଂଘ ବୈଠକରେ ନେବେଞ୍ଜିୟା ଏମିତି କରିବା ପ୍ରଥମ ଘଟଣା ନୁହେଁ। ଚଳିତ ବର୍ଷ ପ୍ରାରମ୍ଭିକ ସମୟରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ଉଦ୍ବୋଧନ ଦେବା ବେଳେ ମଧ୍ୟ ନେବେଞ୍ଜିୟା ସେଠାରେ ବସି ତାଙ୍କ ମୋବାଇଲ୍ ଫୋନ୍ ଦେଖିବାରେ ବ୍ୟସ୍ତ ଥିଲେ। ଫଳରେ ଜାତିସଂଘ ମୁଖ୍ୟ କ’ଣ କହିଲେ ତାହା ସେ ଶୁଣି ପାରି ନ ଥିଲେ। ତେଣୁ, ଯୁଦ୍ଧରେ ନିହତ ୟୁକ୍ରେନୀୟଙ୍କ ପ୍ରତି ୧ ମିନିଟ୍ ନିରବ ପ୍ରାର୍ଥନା ନିମନ୍ତେ ୟୁକ୍ରେନ୍ର ବୈଦେଶିକ ମନ୍ତ୍ରୀ ଡିମିଟ୍ରିଓ କୁଲେବା ପ୍ରସ୍ତାବ ଦେବାକ୍ଷଣି ରୁଷୀୟ ରାଷ୍ଟ୍ରଦୂତ ନେବେଞ୍ଜିୟା ଆପତ୍ତି କରିଥିଲେ ବୋଲି ‘ଦି ଜାପାନ ଟାଇମ୍ସ୍’ ରିପୋର୍ଟ କରିଥିଲା।
Follow Us