The Economic Times
ନୂଆଦିଲ୍ଲୀ: ଆପ୍ ଶାସିତ ଦିଲ୍ଳୀକୁ ପାଣି େଯାଗାଣ ବନ୍ଦ କରିଦେଇଛି ବିଜେପି ଶାସିତ ହରିୟାଣା। ଫଳରେ ଦିଲ୍ଲୀର ଜଳ ସଙ୍କଟ ଗୁରୁତର ଆକାର ଧାରଣ କରିଛି। ସଙ୍କଟର ସମାଧାନ ପରିବର୍ତ୍ତେ ଏହାକୁ ନେଇ ରାଜନୀତି ଦିନକୁ ଦିନ ସରଗରମ ହେବାରେ ଲାଗିଛି। ଏହାକୁ ନେଇ ଦିଲ୍ଳୀ ଉପରାଜ୍ୟପାଳ ଓ ଶାସକ ଆମ୍ ଆଦ୍ମୀ ପାର୍ଟି ମୁହାଁମୁହିଁ ହୋଇଛନ୍ତି। ଦିଲ୍ଲୀ ଉପରାଜ୍ୟପାଳ ଜଳ ସଙ୍କଟର ରାଜନୀତୀକରଣ କରିବାରୁ ଆପ୍କୁ ବାରଣ କରିବା ସହ ହରିୟାଣା ସହ ପରସ୍ପର ବୁଝାମଣାରେ ସମସ୍ୟାର ସମାଧାନ କରିବାକୁ ପରାମର୍ଶ ଦେଇଛନ୍ତି।। ଆଜି ଆପ୍ର ବରିଷ୍ଠ ନେତାଙ୍କ ଏକ ପ୍ରତିନିଧି ଦଳ ଉପରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କୁ ଭେଟି ହରିୟାଣାରୁ ଜାତୀୟ ରାଜଧାନୀର ଜଳ ଭାଗ ଦାବି କରିଛନ୍ତି। ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ, ଏନ୍ ଡି ଗୁପ୍ତା, ସାଧାରଣ ସମ୍ପାଦକ ପଙ୍କଜ ଗୁପ୍ତା ଏବଂ ଅନ୍ୟମାନଙ୍କୁ ନେଇ ଗଠିତ ୧୦ ଜଣିଆ ପ୍ରତିନିଧି ଦଳ ଦର୍ଶାଇଛି ଯେ ଦିଲ୍ଲୀକୁ ଦୈନିକ ୧୧୩ ଏମଜିଡି (ମିଲିୟନ ଗ୍ୟାଲନ୍) କମ୍ ପାଣି ମିଳୁଛି।
ଜଳ ସଙ୍କଟ ପ୍ରସଙ୍ଗରେ ମନ୍ତ୍ରୀ ଆତିଶୀଙ୍କ ଆମରଣ ଅନଶନ ଓ ଆପ୍ର ରାଜନୀତିକୁ ଦିଲ୍ଳୀ ଉପରାଜ୍ୟପାଳ କଠୋର ଭାଷାରେ ସମାଲୋଚନା କରିଛନ୍ତି। ଦିଲ୍ଲୀର ରାଜନେତାମାନେ ସଙ୍କଟକୁ ନିଜର ସ୍ବାର୍ଥ ପାଇଁ ବ୍ୟବହାର କରୁଛନ୍ତି। ପଡ଼ୋଶୀ ରାଜ୍ୟକୁ ଦୋଷ ଦେଇ ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି। ଉପରାଜ୍ୟପାଳ ସକ୍ସେନା କହିଛନ୍ତି, ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଳୀ ଓ ପଡୋଶୀ ରାଜ୍ୟରେ ମଧ୍ୟ ଜଳ ସମସ୍ୟା ଅଳ୍ପ ବହୁତ ରହିଛି। ହରିୟାଣା ନିର୍ଦ୍ଧାରିତ ଜଳ ଯୋଗାଇବା ସତ୍ତ୍ବେ ଦିଲ୍ଲୀରେ ୧୦ ବର୍ଷ ଶାସନ କରିବା ପରେ ମଧ୍ୟ ଆପ୍ ସରକାର ଜଳ ପରିଶୋଧନ କ୍ଷମତାକୁ ବୃଦ୍ଧି କରିପାରିନାହିଁ। ରାଜନୈତିକ ପ୍ରୋତ୍ସାହନରେ ଟ୍ୟାଙ୍କର ମାଫିଆ ମାତିଛନ୍ତି।
Follow Us