Latestly
କୋଲକତା:: ପଶ୍ଚିମବଙ୍ଗ ବାଙ୍କୁରା ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ ପାଣିଟାଙ୍କି ଆଖି ପିଛୁଳାକେ ଭୁଶୁଡ଼ି ପଡ଼ି ମାଟିରେ ମିଶି ଯାଇଥିଲା। ସୋସିଆଲ୍ ମିଡିଆରେ ଏହି ପାଣିଟାଙ୍କି ଭୁଶୁଡ଼ିବାର ଭିଡିଓ ଭାଇରାଲ ହେବାରେ ଲାଗିଛି।
ବାଙ୍କୁରା ଜିଲ୍ଲାର ସେରେଙ୍ଗା ଗାଁରେ ଥିବା ଏକ ପାଣିଟାଙ୍କି ଗତ ବୁଧବାର ଅପରାହ୍ନ ୩ଟାରେ ହଠାତ ଭୁଶୁଡ଼ି ପଡ଼ିଥିଲା। ଯାହାକୁ ଦେଖି ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମନରେ କୋକୁଆ ଭୟ ଖେଳି ଯାଇଥିଲା। ପାଣିଟାଙ୍କି ଭୁଶୁଡ଼ି ପଡ଼ିବା ହେତୁ ଗାଁରେ କିଛି ସମୟ ପାଇଁ ପାଣି ଭରି ଯାଇଥିଲା। କିଛିଲୋକ ଏହାର ମଜା ନେଉଥିବା ବେଳେ ଅନେକ ଏ ଦୃଶ୍ୟ ଦେଖି ଭୟଭୀତ ହୋଇଯାଇଥିଲେ। ପାଣି ଟାଙ୍କିଟି ପାଣି ଭାର ସହି ନ ପାରି ଭୁଶୁଡ଼ି ପଡ଼ିଥିବା କୁହାଯାଉଛି।
ଏହି ଘଟଣାର ଦୃଶ୍ୟକୁ ସ୍ଥାନୀୟଲୋକ ନିଜନିଜ ଫୋନ୍ରେ କୈଦ୍ କରି ନେଇଥିଲେ। ଫେସବୁକ୍, ଟୁଇଟର ଆଦି ସୋସିଆଲ୍ ମିଡିଆ ସାଇଟ୍ରେ ପୋଷ୍ଟ କରିବା ପରେ ବ୍ୟବହାରକାରୀ ଏହାକୁ ଅଧିକରୁ ଅଧିକ ସଂଖ୍ୟାରେ ସେୟାର କରୁଥିବା ଜଣାପଡ଼ିଛି।
ସ୍ଥାନୀୟଲୋକଙ୍କ ଅଭିଯୋଗଅନୁସାରେ, ବାଙ୍କୁରା ଜିଲ୍ଲାର ସେରେଙ୍ଗା ଗାଁରେ ୭୦୦ଲିଟର ପାଣିର କ୍ଷମତା ରଖୁଥିବା ଏହି ପାଣିଟାଙ୍କିକୁ ୨୦୧୭ ମସିହାରେ ନିର୍ମାଣ କରାଯାଇଥିଲା। ପ୍ରଥମ ଦିନରୁ ହିଁ ଏହି ପାଣିଟାଙ୍କି ନିର୍ମାଣରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। କାରଣ ଠିକାଦାର ଟଙ୍କା ଖାଇ ଯାଇଥିଲେ। ଆଉ ନିମ୍ନମାନର ସାମଗ୍ରୀରେ ପ୍ରୟୋଗ କରି ଏହି ପାଣିଟାଙ୍କି ନିର୍ମାଣ କରିଥିଲେ। ଯାହାଫଳରେ କି ଏହି ପାଣିଟାଙ୍କି ପାଣି ଭାର ସମ୍ଭାଳି ନପାରି ଆଖି ପିଛୁଳାକେ ଭୁଶୁଡ଼ି ପଡ଼ିଥିଲା। ପାଣିଟାଙ୍କି ଭୁଶୁଡ଼ି ପଡ଼ିବା ପରେ ଗ୍ରାମବାସୀଙ୍କୁ ପାଣିର ସମସ୍ୟା ବି ହୋଇଥିଲା।
Follow Us