Photograph: (Sambad.in)
ନୂଆଦିଲ୍ଲୀ: ହଠାତ୍ ମାଡିଆସିଲା ଘନ ଅନ୍ଧାର । ବିଜୁଳି... ଘଡ଼ଘଡ଼ି ସହ ବର୍ଷା ପବନ... କାଳବୈଶାଖୀର ତାଣ୍ଡବ ଏତେ ଥିଲା ଯେ ଦିଲ୍ଲୀବାସୀଙ୍କୁ ଏକ ଛୋଟ ବାତ୍ୟାର ଅନୁଭବ ହେଲା । ସୁ ସୁ ଗର୍ଜୁଥିଲା ପବନ, ଜୋରଦାର ବର୍ଷୁଥିଲା ବର୍ଷା... ଢୋ ଢା ଘଡ଼ଘଡ଼ିରେ ତାବଦା ହେଉଥିଲା କାନ । ଘର ଭିତରୁ ଲୋକେ ବାହାରେ ହେଉଥିବା ପ୍ରକୃତିର ତାଣ୍ଡବଲୀଳାକୁ ଅନୁଭବ କରିପାରୁଥିଲେ ମାତ୍ରା ଝରକା ଖୋଲି ଦେଖି ପାରୁନଥିଲା କାରଣ ପବନର ବେଗ୍ ଅସହ୍ୟ ଥିଲା... ରାସ୍ତାରେ କଡମଡ ହୋଇ ଭାଙ୍ଗି ପଡୁଥିଲା ଗଛଡାଳ, ଉପୁଡି ପଡୁଥିଲା ବିରାଟ ଗଛ ଆଉ ଉଡିଯାଉଥିଲା ଟିଣ ଛପର...
ସକାଳେ ସକାଳେ ଲୋକେ ଘରୁ ବାହାରିବା ବେଳକୁ ରାସ୍ତା ପାଲଟି ଯାଇଥିଲା ନଈ । ଚାରିଆଡ଼େ ପାଣି... ଚାରିଆକେ ପ୍ରକୃତିର ଧ୍ବଂସଲୀଳା । ଅଦିନିଆ ଜଳ ଯନ୍ତ୍ରଣାରେ ଜଳବନ୍ଦୀ ଅଧା ଦିଲ୍ଲୀ । ଖରାଦିନରେ ବର୍ଷା ଦିନ ପରି ସ୍ଥିତି । ଏୟାରପୋର୍ଟ, ମୋତି ବାଗ୍, ମିଣ୍ଟୋ ରୋଡ୍ ଆଦି ବିଭିନ୍ନ ଅଞ୍ଚଳରେ ପେଟେ ପେଟେ ପାଣି ରାସ୍ତାରେ ଛିଡା ହୋଇଥିଲା ।
ଡ୍ରେନ୍ ଜାମ ପାଇଁ ଜଳ ନିଷ୍କାସନ ହୋଇପାରୁନଥିଲା ଫଳରେ ରାସ୍ତାରେ ନାହିଁ ନଥିବା ସମସ୍ୟା ଭୋଗିଥିଲେ ଲୋକେ । ଓଭର ବ୍ରିଜ ତଳେ ପାଣି ଛିଡା ହେବା କାରଣରୁ ଅନେକ ସ୍ଥାନରେ ବସ ଫସି ଯାଇଥିଲା । ବାଇକ୍, ସାଇକେଲ୍, ଟ୍ରଲି ଚାଳକ ପାଣିରେ ଫଶି ଯାଇଥିଲା । ବାହାରିବା ସେମାନଙ୍କ ପାଇଁ କଷ୍ଟକର ହୋଇଥିଲା ।
ଜଳବନ୍ଦୀ ପାଇଁ ରାସ୍ତାରେ ଟ୍ରାଫିକ ଜାମ ହୋଇଥିଲା । ପାଣି ପଶିଯିବାରୁ ଅନେକ ଗାଡି ରାସ୍ତାରେ ହିଁ ବନ୍ଦ ହୋଇଯାଉଥିଲା ତେଣୁ ଲମ୍ବା ଟ୍ରାଫିକ ଜାମ୍ ଦେଖିବାକୁ ମିଳିଥିଲା । ସେପଟେ ଗଡ ପଡ଼ି ଘର ଭାଙ୍ଗି ଜଫରପୁରରେ ୪ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି । ମାଆ ସମେତ ୩ ଛୁଆଙ୍କ ଜୀବନ ନେଇଛି ଝଡବର୍ଷା । ଖରାପ ପାଣିପାଗ ପାଇଁ ୪୦ଟି ବିମାନର ଗତିପଥ ବଦଳାଯାଇଥିଲା । ସେହିପରି ୧୦୦ରୁ ଅଧିକ ବିମାନ ବିଳମ୍ବ ହୋଇଛି । ପ୍ରବଳ ବର୍ଷା ପବନ ନେଇ ଭାରତୀୟ ପାଣିପାଗ ବିଭାଗ ରେଡ ଆଲର୍ଟ ଜାରି କରିଛି ।
ପ୍ରବଳ ବର୍ଷା ଯୋଗୁଁ ଜନ ଜୀବନ ବାଧାପ୍ରାପ୍ତ ହୋଇଥିବା ବେଳେ କିଛି ସ୍ଥାନରେ କୁଆପଥର ମା଼ରେ ଘରଦ୍ବାରା ଭାଙ୍ଗି ଯାଇଛି । ତଳିଆ ଅଂଚଳରେୱ ଉବୁଟୁବୁ ପାଣି । ବିଭିନ୍ନ ସ୍ଥାନରେ ପାଣି ଜମି ରହିବା କାରଣରୁ ଜଳବନ୍ଦୀ ସମସ୍ୟା ଦେଖା ଦେଇଛି । ଯାହା ଫଲରେ ଲୋକ ନାହିଁ ନଥିବା ଅସୁବିଧାର ସାମ୍ନା କରିଛନ୍ତି । ଆଉ ଏତିକି ବେଳେ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ଜଳବନ୍ଦୀ ସମସ୍ୟାର ସମୀକ୍ଷା କରିଛନ୍ତି ଖୋଦ୍ ଦିଲ୍ଲୀ ମୁଖ୍ଯମନ୍ତ୍ରୀ ରେଖା ଗୁପ୍ତା ।
ପାଣି ଜମିଥିବା ସ୍ଥାନକୁ ନିଜେ ମୁଖ୍ଯମନ୍ତ୍ରୀ ଯାଇ ସ୍ଥିତିର ଅନୁଧ୍ୟାନ କରିବା ସହ ଜଳବନ୍ଦୀ ସମସ୍ୟାର ସମାଧାନ କେମିତି ଖୁବଶୀଘ୍ର ହୋଇପାରିବ ସେନେଇ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଏହାର ସ୍ଥାୟୀ ସମାଧାନ ପାଇଁ ତାଙ୍କ ସରକାର ଚେଷ୍ଟା କରୁଛି ବୋଲି କହିଛନ୍ତି ରେଖା । ତେବେ ଦିଲ୍ଲୀ ଜଳବନ୍ଦୀ ହେବା ପୂର୍ବ ସରକାରଙ୍କ ରୋଗ, ଯାହାର ନିରାକରଣ ପାଇଁ ସମୟ ଲାଗିବ କହି ଆପ୍ ସରକାରକୁ ଟାର୍ଗେଟ୍ କରିଛନ୍ତି ଦିଲ୍ଲୀ ମୁଖ୍ଯମନ୍ତ୍ରୀ । ସେପଟେ ରେଖା ସରକାରଙ୍କ ମନ୍ତ୍ରୀ ପ୍ରବେଶ ବର୍ମା ମଧ୍ଯ ସକାଳେ ସକାଳେ ଦିଲ୍ଲୀର ଜଳବନ୍ଦୀ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି ।
Follow Us