ନୂଆଦିଲ୍ଲୀ: ଭାରତୀୟ ସ୍ଥଳସେନା ଉଚ୍ଚକୋଟୀର ପ୍ରସ୍ତୁତି ସହ ନିଜକୁ ସଜାଗ କରି ରଖିଛି। ଦେଶର ଉତ୍ତର ସୀମାରେ ଚୀନ୍ ସେନାର ଯେ କୌଣସି ପ୍ରକାର ଅପ୍ରୀତିକର ଉଦ୍ୟମକୁ ପଣ୍ଡ କରିବା ଲାଗି ଆମ ଯବାନମାନେ ସକ୍ଷମ ବୋଲି ସ୍ଥଳସେନା ମୁଖ୍ୟ ଜେନେରାଲ୍ ଏମ୍ ଏମ୍ ନରବଣେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସେହିପରି ଭାରତୀୟ ଯବାନମାନେ ପୂର୍ବ ଲଦାଖର ଦେପସାଙ୍ଗ ଉପତ୍ୟକାରେ ଅଧିକ କିଛି ହାସଲ ନକରିବା ସତ୍ତ୍ବେ କୈଳାସ ପାର୍ବତ୍ୟାଞ୍ଚଳରେ ଶକ୍ତି ପ୍ରତ୍ୟାହାର କରି ନିଜ ସ୍ଥିତିକୁ ଦୁର୍ବଳ କରିଦେଇଛନ୍ତି ବୋଲି ଉଠିଥିବା ଗୁଜବକୁ ସେ ଖଣ୍ଡନ କରିଛନ୍ତି। ବାସ୍ତବ କ୍ଷେତ୍ରରେ ଯାବତୀୟ ସାମରିକ ଆକଳନକୁ ତର୍ଜମା କରି ପାଙ୍ଗଙ୍ଗ ସୋ' ହ୍ରଦର ଉଭୟ ଉପକୂଳକୁ ଉଭୟ ପକ୍ଷ ସେନା ପ୍ରତ୍ୟାହାର ପାଇଁ ଭାରତ ଓ ଚୀନ୍ ଗତ ଫେବ୍ରୁଆରିରେ ସହମତ ହୋଇଥିଲେ।
ସୁତରାଂ କୈଳାସ ପାର୍ବତ୍ୟାଞ୍ଚଳର ଶିଖର ଦେଶକୁ କବ୍ଜା କରି ରଖିଥିବା ଭାରତୀୟ ଯବାନମାନେ ଏପରି ସ୍ଥାନ ଖାଲି କରିବାଟା ଉକ୍ତ ଦ୍ବିପାକ୍ଷିକ ସହମତିର ଅଂଶବିଶେଷ ବୋଲି ସେ ସୂଚନା ଦେଇଛନ୍ତି। ତେଣୁ ଭାରତ ଚାପରେ ପଡ଼ି କିଛି ସାଲିସ କରିବାର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଛନ୍ତି। ଅପରପକ୍ଷେ, ଉଷ୍ମ ପ୍ରସ୍ରବଣ, ଗୋଗ୍ରା ଓ ଦେପସାଙ୍ଗ ଇଲାକା ପରି ମୁହାଁମୁହିଁ ସ୍ଥିତି ଲାଗି ରହିଥିବା ଇଲାକାରୁ ସେନା ପ୍ରତ୍ୟାହାର ପାଇଁ ମଧ୍ୟ ଦୁଇ ଦେଶ ଭିତରେ ବହୁବାର ସାମରିକ ଓ କୂଟନୈତିକସ୍ତରୀୟ ଆଲୋଚନା ଜାରି ରହିଛି। ଏହାର ସମାଧାନ ସମୟସାପେକ୍ଷ ଏବଂ ଆମକୁ ଅପେକ୍ଷା କରିବାକୁ ହେବ ବୋଲି ସେ କହିଛନ୍ତି। ଏଥି ସହିତ ସଂପୃକ୍ତ ଇଲାକାରେ ୨୦୨୦ ଏପ୍ରିଲ ପୂର୍ବର ସ୍ଥିତାବସ୍ଥା ବଜାୟ ରଖିବା ଦିଗରେ ଉଭୟ ପକ୍ଷ ଉଦ୍ୟମ କରିବା ଉଚିତ ବୋଲି ଭାରତ ନିଜର ଆଭିମୁଖ୍ୟକୁ ମଧ୍ୟ ଚୀନ୍ କର୍ତ୍ତୃପକ୍ଷଙ୍କ ପାଖରେ ପହଞ୍ଚାଇ ଦେଇ ସାରିଛି। ପରିସ୍ଥିତି ଏବେ ଶାନ୍ତ ଥିଲେ ହେଁ ଆମେ ନିର୍ବିକାର ହୋଇ ରହିବୁନି। ତେଣୁ ଚୀନ୍ର କୌଣସି ପ୍ରକାର ଅତିକ୍ରମଣର ମୁକାବିଲା ପାଇଁ ୫୦,୦୦୦ରୁ ୬୦,୦୦୦ ଭାରତୀୟ ଯବାନ ସେଠାରେ ସତର୍କ ରହିଛନ୍ତି ବୋଲି ଜେନେରାଲ ନରବଣେ କହିଛନ୍ତି।
Follow Us