Image Courtesy of Times of India
ଅହମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନରେ ୧୫୦ରୁ ଅଧିକ ଆସନରେ ଅଗ୍ରଣୀ ଥାଇ ‘ବିଜେପି’ ରେକର୍ଡ ସଂଖ୍ୟକ ବିଜୟାଭିମୁଖୀ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ୍ କହିଛନ୍ତି ଯେ, ଦଳ ଗୁଜରାଟବାସୀଙ୍କ ଭୋଟ୍କୁ ସବିନୟ ଗ୍ରହଣ କରୁଛି।
ସେ କହିଛନ୍ତି, ଗୁଜରାଟରେ ଭୋଟ୍ ଫଳାଫଳ ସୁସ୍ପଷ୍ଟ। ଗୁଜରାଟରେ ବିକାଶଯାତ୍ରା ବଜାୟ ରଖିବାକୁ ଜନତା ମନସ୍ଥ କରିଛନ୍ତି। ଆମେ ସବିନୟ ଜନାଦେଶକୁ ସ୍ବୀକାର କରୁଛୁ। ‘ବିଜେପି’ର ପ୍ରତି କର୍ମୀ ଜନସେବା ପାଇଁ ପ୍ରତିବଦ୍ଧ।
ସଦ୍ୟତମ ରିପୋର୍ଟ ଅନୁସାରେ, ଗୁଜରାଟର ମୁଖ୍ୟମନ୍ତ୍ରୀ ଅପରିବର୍ତ୍ତିତ ରହିବେ ବୋଲି ଗୁଜରାଟ ‘ବିଜେପି’ ମୁଖ୍ୟ ସି. ଆର୍. ପଟେଲ୍ କହିଛନ୍ତି।
Image Grabbed from Videoଅନ୍ୟ ଏକ ରିପୋର୍ଟ ଅନୁସାରେ, ଡିସେମ୍ବର ୧୨ ତାରିଖ ଅପରାହ୍ଣ ୨ଟାରେ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କର ଶପଥ ଗ୍ରହଣ ଉତ୍ସବ ଆୟୋଜନ କରାଯିବ। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ଯୋଗ ଦେବାର ସମ୍ଭାବନା ରହିଛି ବୋଲି ପଟେଲ୍ କହିଛନ୍ତି।
ସଦ୍ୟତମ ସୂଚନା ଅନୁସାରେ, ସମୁଦାୟ ୧୮୨ଟି ଆସନରୁ ରାଜ୍ୟରେ ଦଳ ୧୫୮ଟି ଆସନରେ ଆଗୁଆ ଥିବା ବେଳେ ସୁରଟରେ ‘ବିଜେପି’ କର୍ମୀମାନେ ବିଜୟ ଉତ୍ସବ ପାଳନ ଆରମ୍ଭ କଲେଣି।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଟୁଇଟ୍ କରି କହିଛନ୍ତି, ଗୁଜରାଟ ସର୍ବଦା ଇତିହାସ ସୃଷ୍ଟି କରେ।
ଏଯାବତ୍ ମିଳିଥିବା ସୂଚନା ଅନୁସାରେ, ଗୁଜରାଟରେ ‘ବିଜେପି’ ୧୫୮, କଂଗ୍ରେସ ୧୬, ‘ଆପ୍’ ୫ ଓ ଅନ୍ୟାନ୍ୟ ୩ଟି ଆସନରେ ଅଗ୍ରଣୀ ଅଛନ୍ତି।
Follow Us