ରୁଷ୍‌ ଆଣବିକ ଅସ୍ତ୍ର ପ୍ରୟୋଗ କରିପାରେ; ପ୍ରତୀକ୍ଷା ନ କରି ପ୍ରସ୍ତୁତ ରହିବାକୁ ପଡ଼ିବ: ଜେଲେନ୍‌ସ୍କି

ରୁଷ୍‌ ଆଣବିକ ଅସ୍ତ୍ର ପ୍ରୟୋଗ କରିପାରେ; ପ୍ରତୀକ୍ଷା ନ କରି ପ୍ରସ୍ତୁତ ରହିବାକୁ ପଡ଼ିବ: ଜେଲେନ୍‌ସ୍କି

Image Courtesy of Zee News

କିବ୍: ରୁଷ୍‌ ଆଣବିକ ଅସ୍ତ୍ର ପ୍ରୟୋଗ କରିବାର ସମ୍ଭାବନା ଥିବାରୁ ବିଶ୍ବ ପ୍ରସ୍ତୁତ ରହିବା ଉଚିତ ବୋଲି ଶନିବାର ଦିନ ପୁଣି ଥରେ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କି ସାମ୍ବାଦିକମାନଙ୍କୁ କହିଛନ୍ତି।

ୟୁକ୍ରେନୀୟ ଗଣମାଧ୍ୟମ ସହିତ ସାକ୍ଷାତ୍‌କାର ବେଳେ ସେ କହିଛନ୍ତି, ରୁଷ୍‌ ଆଣବିକ ଅସ୍ତ୍ର ବ୍ୟବହାର କରିବ ବୋଲି ନିଷ୍ପତ୍ତି ନେଇ ସାରିଥିବାରୁ ଆଉ ମୁହୂର୍ତ୍ତେ ମଧ୍ୟ ବିଳମ୍ବ କରିବା ଅନୁଚିତ। ଆମେ ସେଥିପ୍ରତି ପ୍ରସ୍ତୁତି କରିବା ଆବଶ୍ୟକ।

ଏଥିପାଇଁ ବିକିରଣ-ନିରୋଧୀ ଔଷଧ ଏବଂ ବିମାନ ଆକ୍ରମଣ ଆଶ୍ରୟସ୍ଥଳ ଆବଶ୍ୟକ ହେବ। ମୁଁ ଜାଣିସାରିଛି, ରୁଷୀୟମାନେ ଯେକୌଣସି ଅସ୍ତ୍ର ପ୍ରୟୋଗ କରି ପାରନ୍ତି।

ଜେଲେନ୍‌ସ୍କିଙ୍କର ଏହି ସାକ୍ଷାତ୍‌କାର ୬ଟି ୟୁକ୍ରେନୀୟ ନିଉଜ୍‌ ୱେବ୍‌ସାଇଟ୍‌ ଏବଂ ୟୁକ୍ରେନୀୟ ରାଷ୍ଟ୍ରପତିଙ୍କ ‘ଟେଲିଗ୍ରାମ୍‌’ରେ ପ୍ରସାରିତ ହୋଇଛି।

publive-image Image Courtesy of NDTV

ସେ ଆହୁରି ମଧ୍ୟ କହିଛନ୍ତି, ମାରିୟୁପୋଲ୍‌ରେ ଏବେ ଚାଲିଥିବା ନରସଂହାର ଓ ଧ୍ବଂସଲୀଳା ସବୁ ପ୍ରକାରର ବୁଝାମଣା ପାଇଁ ପଥରୋଧ କରିପାରେ। ପରେ ପରେ ରାତ୍ରୀକାଳୀନ ଭିଡିଓ ବାର୍ତ୍ତାରେ ସେ କହିଛନ୍ତି, ମାରିୟୁପୋଲ୍‌କୁ ରକ୍ଷା କରିବା ନିମନ୍ତେ ୟୁକ୍ରେନ୍‌ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କ ଠାରୁ ଆହୁରି ସହାୟତା ଆବଶ୍ୟକ କରୁଛି। ସେଠାକାର ପରିସ୍ଥିତି ଅତ୍ୟନ୍ତ ଅମାନବୀୟ। ସେଠାରେ ଯିଏ ଅଛନ୍ତି ଓ ଯାହାକିଛି ଅଛି ରୁଷ୍‌ ସେସବୁକୁ ଜାଣିଶୁଣି ନଷ୍ଟ କରିବାକୁ ଉଦ୍ୟମ କରୁଛି।

ତେଣେ, ରୁଷ୍‌ର ପ୍ରତିରକ୍ଷା ମନ୍ତ୍ରାଳୟ ମୁଖପାତ୍ର ଇଗୋର୍‌ କୋନାଶେଙ୍କୋଭ୍‌ କହିଛନ୍ତି, ଅଧିକାଂଶ ନଗରୀରୁ ୟୁକ୍ରେନୀୟ ସୈନିକମାନଙ୍କୁ ତଡ଼ି ଦିଆଯାଇଛି। କେବଳ ବିରାଟକାୟ ‘ଆଜୋଭ୍‌ସ୍ତଲ୍‌ ଇସ୍ପାତ କାରଖାନା’ରେ କିଛି ସୈନିକ ଅଛନ୍ତି।

ବିସ୍ଫୋରଣ ଘଟି ‘ମୋସ୍କଭ୍‌’ ଯୁଦ୍ଧପୋତ କୃଷ୍ଣସାଗରରେ ବୁଡ଼ି ଯିବାରୁ ଉତ୍‌କ୍ଷିପ୍ତ ରୁ‌ଷ୍‌ ସମ୍ପ୍ରତି କିବ୍‌ ଏବଂ ପଶ୍ଚିମ ୟୁକ୍ରେନ୍‌ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ଆକ୍ରମଣ ଜୋର୍‌ଦାର୍‌ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe