ଦୁର୍ବଳ ହେଉଛି ଭୂ-ଚୁମ୍ବକୀୟ କ୍ଷେତ୍ର, ବିମାନ ଓ ଉପଗ୍ରହ ପାଇଁ ହୋଇପାରେ ସମସ୍ୟା

Advertisment
ଦୁର୍ବଳ ହେଉଛି ଭୂ-ଚୁମ୍ବକୀୟ କ୍ଷେତ୍ର, ବିମାନ ଓ ଉପଗ୍ରହ ପାଇଁ ହୋଇପାରେ ସମସ୍ୟା

News Break

ନୂଆଦିଲ୍ଲୀ: ଆଫ୍ରିକା ମହାଦେଶ ଏବଂ ଦକ୍ଷିଣ ଆମେରିକା ମଧ୍ୟରେ ରହିଥିବା ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ବିଗତ କିଛି ବର୍ଷ ହେଲା ଉଲ୍ଲେଖନୀୟ ଭାବେ ଜଣାପଡି଼ଥିବା 'ଦକ୍ଷିଣ ଆଟଲାଣ୍ଟୀୟ ଅସଙ୍ଗତି' ନାମକ ଏହି ପ୍ରାକୃତିକ ପ୍ରକ୍ରିୟାର ପରିଣତି ସ୍ବରୂପ ବିମାନ ଚଳାଚଳ, ଉପଗ୍ରହ ପ୍ରେରଣ ଓ ଯୋଗାଯୋଗ ବ୍ୟବସ୍ଥା ପ୍ରଭାବିତ ହେବ ବୋଲି ବୈଜ୍ଞାନିକମାନେ ସତର୍କ କରାଇ ଦେଇଛନ୍ତି। ୟୁରୋପୀୟ ମହାକାଶ ଗବେଷଣା ସଂସ୍ଥା ପ୍ରେରିତ ବିଭିନ୍ନ ଉପଗ୍ରହର ତଥ୍ୟ ଅନୁଯାୟୀ, ୧୯୭୦ ମସିହାରୁ ୨୦୨୦ ମସିହା ମଧ୍ୟରେ ଉପରୋକ୍ତ ଅଞ୍ଚଳରେ ପୃଥିବୀର ଚୁମ୍ବକୀୟ ବଳ ୮ ପ୍ରତିଶତ କମିଯାଇଛି। ଭୂଚୁମ୍ବକର ଉତ୍ତରମେରୁ ଓ ଦକ୍ଷିଣମେରୁ ମଧ୍ୟରେ ସ୍ଥାନ ପରିବର୍ତ୍ତନ ଯୋଗୁଁ ପୃଥିବୀର ଚୁମ୍ବକୀୟ କ୍ଷେତ୍ରରେ ଏପରି ପରିବର୍ତ୍ତନ ଘଟିଥିବା ଭୂବିଜ୍ଞାନୀମାନେ ଅନୁମାନ କରୁଛନ୍ତି।

ସୂଚନାଯୋଗ୍ୟ, ପୃଥିବୀର ଦୁଇ ଚୁମ୍ବକୀୟ ମେରୁ ମଧ୍ୟରେ ଏପରି ସ୍ଥାନ ପରିବର୍ତ୍ତନ ଶେଷ ଥର ପାଇଁ ୭.୮ ଲକ୍ଷ ବର୍ଷ ତଳେ ହୋଇଥିବା ଆକଳନ କରାଯାଇଛି। ସାଧାରଣତଃ ଅଢେ଼ଇ ଲକ୍ଷ ବର୍ଷରେ ଥରେ ଏପରି ଦୁଇ ଚୁମ୍ବକୀୟ ମେରୁ ମଧ୍ୟରେ ସ୍ଥାନ ପରିବର୍ତ୍ତନ ହୋଇଥାଏ। ଏବେ ଯଦି ତାହା ଘଟେ, ଆମକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡି଼ବ। ବିଶେଷ କରି ଟେଲିଯୋଗାଯୋଗ ଓ ଉପଗ୍ରହ ପ୍ରଣାଳୀରେ ଏହାର ଉଲ୍ଲେଖନୀୟ ପ୍ରଭାବ ପଡି଼ବ। ଏପରିକି ଏହା ଦ୍ବାରା କିଛି ମୋବାଇଲ୍ ଫୋନ୍ ମଧ୍ୟ କାମ ନକରିବାର ଆଶଙ୍କା ପ୍ରକଟ କରାଯାଇଛି। ସେହିପରି ପୃଥିବୀର ଏହି ବିଶାଳ ଚୁମ୍ବକୀୟ କ୍ଷେତ୍ର ମଧ୍ୟ କୋଟି କୋଟି ଜୀବଙ୍କୁ ଧାରଣ କରିଥିବା ଏହି ଗ୍ରହକୁ କ୍ଷତିକାରକ ସୌରଝଡ଼ ଏବଂ ଅନ୍ୟାନ୍ୟ ମହାଜାଗତିକ ବିକିରଣରୁ ରକ୍ଷା କରିଥାଏ। ସୁତରାଂ ଭୂଚୁମ୍ବକୀୟ କ୍ଷେତ୍ରରେ ଏପରି ପରିବର୍ତ୍ତନ ଦ୍ବାରା ପୃଥିବୀର ଏହି ରକ୍ଷା କବଚ ଭୀଷଣ ମାତ୍ରାରେ ପ୍ରଭାବିତ ହେବାର ଆଶଙ୍କା ରହିଛି। ଯଦିଓ ଏହି 'ଦକ୍ଷିଣ ଆଟଲାଣ୍ଟୀୟ ଅସଙ୍ଗତି' ସମ୍ପର୍କରେ ଦୁଇ ବର୍ଷ ତଳେ ନାସନାଲ୍ ଏକାଡେମି ଅଫ୍ ସାଇନ୍‌ସେସ ପତ୍ରିକାରେ ବିଶଦ ଭାବେ ସ୍ଥାନ ପାଇଥିଲା; ତେବେ ସେତେବେଳେ ଚୁମ୍ବକୀୟ ମେରୁ ମଧ୍ୟରେ ସ୍ଥାନ ପରିବର୍ତ୍ତନ ଯୋଗୁଁ ଏପରି ଘଟୁଥାଇପାରେ ବୋଲି କଳ୍ପନା କରାଯାଇନଥିଲାା କାରଣ ଏଭଳି ପ୍ରକ୍ରିୟା ସାଧିତ ହେବାକୁ ହଜାର ହଜାର ବର୍ଷ ଲାଗିଥାଏ। ଏବେ ଚୁମ୍ବକୀୟ କ୍ଷେତ୍ରରେ ଉଲ୍ଲେଖନୀୟ ହ୍ରାସ ଯୋଗୁଁ ଏଭଳି ଅନୁମାନ ଲଗାଯାଉଛି। ତଥାପି ଏହି ବିରଳ ପ୍ରାକୃତିକ ପ୍ରକ୍ରିୟା ପଛର ନିର୍ଦ୍ଦିଷ୍ଟ କାରଣ ସମ୍ପର୍କରେ କୌଣସି ଠୋସ୍‌ ବ୍ୟାଖ୍ୟା ମିଳିପାରିନାହିା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe