ନୂଆଦିଲ୍ଲୀ: ଦକ୍ଷିଣ ପୂର୍ବ ଆରବସାଗରରେ ସୃଷ୍ଟି ହୋଇଥିବା ଅବପାତ ଘନୀଭୂତ ହୋଇ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାମୁଦ୍ରିକ ଝଡ଼ର ରୂପ ନେବାକୁ ଯାଉଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ସାମୁଦ୍ରିକ ଝଡ଼ର ନାମ ‘ବାୟୁ’ ରଖାଯାଇଛି। ସାମୁଦ୍ରିକ ଝଡ଼ ‘ବାୟୁ’ ଜୁନ୍ ୧୧ ତାରିଖ ସୁଦ୍ଧା ଭୂଭାଗ ଛୁଇଁବ ବୋଲି ଆକଳନ କରାଯାଉଛି। ବାୟୁ ଅତି ଭୟଙ୍କର ସାମୁଦ୍ରକ ଝଡ଼ର ରୂପ ନେବାର ଆଶଙ୍କା ମଧ୍ୟ ରହିଛି।
ସ୍କାଇମେଟ୍ େଓ୍ଵଦର ପକ୍ଷରୁ ପ୍ରାପ୍ତ ସୂଚନା ଅନୁସାରେ, ଦକ୍ଷିଣପୂର୍ବ ଓ କେନ୍ଦ୍ରୀୟ ଆରବ ସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ସୋମବାର ଭୋରରୁ ଅବପାତରେ ପରିଣତ ହୋଇ ଗତି କରୁଛି। ବର୍ତ୍ତମାନ ଏହା ମୁମ୍ବାଇଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୮୦୦ କିଲୋମିଟର ଦୂରରେ ରହିଛି। ସୂଚନା ଅନୁସାରେ ଜୁନ ୧୦ ତାରିଖ ସଂଧ୍ୟା ସୁଦ୍ଧା ଏହି ଅବପାତ ଅଧିକ ଶକ୍ତିଶାଳୀ ହୋଇ ଗଭୀର ଅବପାତ ( ଡିପ୍ ଡିପ୍ରେସନ୍)ର ରୂପ ନେବ ବୋଲି ପୂର୍ବାନୁମାନ କରାଯାଇଛି। ଏହା ଜୁନ୍ ୧୧ ତାରିଖରେ ସାମୁଦ୍ରିକ ଝଡ଼ରେ ପରିଣତ ହେବ ବୋଲି ଆକଳନ କରାଯାଉଛି। ଏହାର ପ୍ରଭାବ ଗୁଜରାଟ ଓ କୋଙ୍କଣ ଉପକୂଳରେ ଅନୂଭୂତ ହେବ ବୋଲି ପୂର୍ବାନୁମାନ କରାଯାଉଛି।
ଏହାର ପ୍ରଭାବରେ କେରଳରେ ବର୍ଷା ଆରମ୍ଭ ହୋଇଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କର୍ଣ୍ଣାଟକ ଓ ଗୋଆ ଉପକୂଳ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ କୋଙ୍କଣ ଉପକୂଳରେ ମଧ୍ୟ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ପାଣିପାଗ ବିଜ୍ଞାନୀଙ୍କ ଅନୁସାରେ ସାମୁଦ୍ରିକ ଝଡ଼ ‘ବାୟୁ’ ପ୍ରଭାବରେ ମୁମ୍ବାଇରେ ପ୍ରାକ-ମୌସୁମୀ ବର୍ଷା ଅଧିକ ମାତ୍ରାରେ ହେବ।
Follow Us