National Herald
ପାଟନା : ମୃତ୍ୟୁ ପୂର୍ବରୁ ନିଜ ବିବାହ ଉତ୍ସବରେ ଯୋଗଦେଇଥିବା ୧୧୩ ଜଣଙ୍କୁ କୋଭିଡ୍-୧୯ ସଂକ୍ରମଣ କରି ମହାସଂକ୍ରମଣକାରୀର ମାନ୍ୟତା ଲାଭ କରିଥିବା ବିହାର ପାଲିଗଞ୍ଜର ଜନୈକ ସଫ୍ଟୱେର୍ ଇଞ୍ଜିନିଅରଙ୍କ ଶେଷକୃତ୍ୟରେ ପାଖାପାଖି ୨୦୦ ଲୋକ ଯୋଗଦେଇଥିବା ଜଣାଯାଇଛି। ତେବେ ତାଙ୍କ ବିବାହ ଉତ୍ସବ ଓ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିବା ୪୦୦ରୁ ଅଧିକ ଲୋକଙ୍କୁ ଚିହ୍ନଟ କରାଯାଇଛି ଏବଂ ସମସ୍ତଙ୍କୁ ସଂଗରୋଧ କେନ୍ଦ୍ରରେ ରଖାଯିବ ବୋଲି ସ୍ଥାନୀୟ ପ୍ରଶାସନ କହିଛି।
ସୂଚନା ଥାଉ କି, ନାମ ଗୋପନ ରଖାଯାଇଥିବା ଏହି ୩୦ ବର୍ଷୀୟ ସଫ୍ଟୱେର୍ ଇଞ୍ଜିନିଅର ଜଣକ ଗୁଡ଼ଗାଓଁରେ କାମ କରୁଥିବା ବେଳେ ଗତ ଜୁନ୍ ୧୫ ତାରିଖରେ ସ୍ଥିର ହୋଇଥିବା ନିଜର ବିବାହ ଉତ୍ସବ ପାଇଁ ଗତ ମେ ଶେଷ ସପ୍ତାହ ବେଳକୁ ଘରେ ପହଞ୍ଚିଥିଲେ। ତେବେ ଜୁନ୍ ୧୪ ସୁଦ୍ଧା ସେ ଅସୁସ୍ଥ ଅନୁଭବ କରୁଥିବାରୁ ବିବାହକୁ ଘୁଞ୍ଚାଇବା ପାଇଁ ପ୍ରସ୍ତାବ ଦେଇଥିଲେ। ମାତ୍ର ଉଭୟ ପକ୍ଷ ତାଙ୍କ କଥାକୁ ଏଡ଼ାଇ ନିର୍ଦ୍ଧାରିତ ତାରିଖରେ ବିବାହ ସଂପନ୍ନ ପାଇଁ ବ୍ୟବସ୍ଥା କରିଥିଲେ ଏବଂ ଏଥିରେ ୩୦୦ରୁ ଅଧିକ ଅତିଥି ଯୋଗଦେଇଥିଲେ। ତେବେ ନିଜ ହାତଗଣ୍ଠି ବେଳେ ମଧ୍ୟ ଭୀଷଣ ଜ୍ବର ପରି କୋଭିଡ୍ ଲକ୍ଷଣ ପ୍ରଦର୍ଶନ କରୁଥିବା ଏହି ଯୁବ ଇଞ୍ଜିନିଅରଙ୍କର ୧୭ ତାରିଖରେ ମୃତ୍ୟୁ ହୋଇଥିଲା। ବିବାହ ଉତ୍ସବ ଓ ଶେଷକୃତ୍ୟରେ ଉପସ୍ଥିତ ଥିବା ସମ୍ପର୍କୀୟମାନଙ୍କ ନମୁନା ପରୀକ୍ଷଣରୁ ବର୍ତ୍ତମାନ ସୁଦ୍ଧା ୧୧୩ ଜଣଙ୍କର ପଜିଟିଭ୍ ବାହାରିଥିବା ବେଳେ ସଂପୃକ୍ତ କନ୍ୟା ଏଥିରୁ ବାଦ୍ ପଡ଼ିଥିବା ଜଣାଯାଇଛି।
Follow Us