ନାଗରିକତା ସଂଶୋଧନ ଆଇନ ହିଂସା ଥମୁନି: ଗୁଳିମାଡ଼ରେ ଆହତ ଆଉ ୨ ଆନ୍ଦୋଳନକାରୀ ଆଖି ବୁଜିଲେ

ପଶ୍ଚିମବଂଗ: ୫ ଜିଲ୍ଲାରେ ଇଣ୍ଟରନେଟ୍‌ ବନ୍ଦ

ନାଗରିକତା ସଂଶୋଧନ ଆଇନ ହିଂସା ଥମୁନି: ଗୁଳିମାଡ଼ରେ ଆହତ ଆଉ ୨ ଆନ୍ଦୋଳନକାରୀ ଆଖି ବୁଜିଲେ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ହିଂସା ଜାରି ରହିଛି। ଗତକାଲିଠାରୁ ପଶ୍ଚିମବଙ୍ଗ ଏବଂ ଦିଲ୍ଲୀରେ ମଧ୍ୟ ହିଂସାତ୍ମକ ବିକ୍ଷୋଭ ଆରମ୍ଭ ହୋଇଥିବାରୁ ଜଟିଳ ସ୍ଥିତି ଉପୁଜିଛି। ପୂର୍ବରୁ ନାଗରିକ ସଂଶୋଧନ ଆଇନ୍‌କୁ ସମର୍ଥନ କରୁଥିବା ଆସାମ ଗଣ ପରିଷଦ ଏବେ ତା’ର ଆଭିମୁଖ୍ୟ ସଂପୂର୍ଣ୍ଣ ବଦଳାଇ ଦେଇଛି। ଆସାମରେ ବିଜେପିର ସହଯୋଗୀ ଏଜିପି ରାଜ୍ୟରେ ବିରୋଧକୁ ଦେଖି ସରକାରଙ୍କ ଏହି ଆଇନ ବିରୋଧରେ ସୁପ୍ରିମ୍‌ କୋର୍ଟ ଯିବାକୁ ନିଷ୍ପତ୍ତି ନେଇଛି। ଆସନ୍ତାକାଲି ଦଳ ପକ୍ଷରୁ ସୁପ୍ରିମ୍‌ କୋର୍ଟରେ ପିଟିସନ୍‌ ଦାଖଲ ହେବ ବୋଲି ଏଜିପି ମୁଖପାତ୍ର ଜୋନିଆଥ୍‌ ଶର୍ମା କହିଛନ୍ତି। ଏଜିପି ଏବେ ଆସାମରେ ବିଜେପି ନେତୃତ୍ବାଧୀନ ସରକାରରେ ସାମିଲ ଥିବାରୁ ଏଭଳି ବିରୋଧ ବିଜେପି ପାଇଁ ବଡ଼ ସମସ୍ୟା ସୃଷ୍ଟି କରିବ ବୋଲି କୁହାଯାଉଛି। ତେବେ ସୁପ୍ରିମ୍‌ କୋର୍ଟରେ ପିଟିସନ୍‌ ଦାଖଲ କରିବା ପୂର୍ବରୁ ଦଳ ଏ ବାବଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଏହି ଆଇନକୁ ଆସାମରେ ଲାଗୁ ନ କରିବା ପାଇଁ ଦାବି କରିବ ବୋଲି ଶର୍ମା କହିଛନ୍ତି। ନାଗରିକତା ଆଇନକୁ ରାଜ୍ୟରେ ଜୋର୍‌ଦାର ବିରୋଧ ହେଉଥିବାରୁ ଏହାକୁ ନେଇ ବିଜେପିରେ ମଧ୍ୟ ଅସନ୍ତୋଷ ଦେଖିବାକୁ ମିଳିଛି। ବରିଷ୍ଠ ବିଜେପି ନେତା ଜଗଦୀଶ ଭୂୟାଁ ଶୁକ୍ରବାର ଦିନ ଦଳରୁ ଇସ୍ତଫା ଦେଇଥିବା ବେଳେ ଅନ୍ୟ କେତେକ ନେତା ମଧ୍ୟ ସେମାନଙ୍କ ଅସନ୍ତୋଷ ଖୋଲାଖୋଲି ପ୍ରକାଶ କରିଛନ୍ତି। ଆସାମର ସୁପର୍‌ଷ୍ଟାର୍‌ ଜତିନ୍‌ ବୋରା ମଧ୍ୟ ବିଜେପିରୁ ଇସ୍ତଫା ଦେଇଛନ୍ତି।

ପଶ୍ଚିମବଂଗ: ୫ ଜିଲ୍ଲାରେ ଇଣ୍ଟରନେଟ୍‌ ବନ୍ଦ
କୋଲକାତା: ନାଗରିକତା ସଂଶୋଧନ ଆଇନକୁ ନେଇ ପଶ୍ଚିମବଂଗରେ ହିଂସାତ୍ମକ ବିକ୍ଷୋଭ ଜାରି ରହିଛି। ହିଂସା ନିୟନ୍ତ୍ରଣ ପାଇଁ ପୁଲିସର ଉଦ୍ୟମ ଭଣ୍ଡୁର ହୋଇଥିବା ବେଳେ ଆଜି ମଧ୍ୟ ଆନ୍ଦୋଳନକାରୀମାନେ ବ୍ୟାପକ ଭଂଗାରୁଜା ଓ ପୋଡ଼ାଜଳା କରିଛନ୍ତି। ସୋସିଆଲ ମିଡିଆରେ ମିଛ ଖବର ଓ ଗୁଜବ ପ୍ରସାର ହେଉଥିବାରୁ ୫ଟି ଜିଲ୍ଲାରେ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି। ରାଜ୍ୟର ମାଲଦା, ମୁର୍ସିଦାବାଦ, ହାୱଡ଼ା, ଉତ୍ତର ୨୪ ପ୍ରଗଣା ଏବଂ ଦକ୍ଷିଣ ୨୪ ପ୍ରଗଣାରେ ହିଂସା ବ୍ୟାପୁଥିବାରୁ ମୋବାଇଲଟ୍‌ ଇଣ୍ଟରନେଟ ସେବା ୪୮ ଘଣ୍ଟା ପାଇଁ ବନ୍ଦ ରଖାଯାଇଛି।

ଆସାମରେ ମୃତ୍ୟୁ ସଂଖ୍ୟ ୫କୁ ବୃଦ୍ଧି
ଗୌହାଟି: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଆସାମରେ ହିଂସା ଜାରି ରହିଛି। ବିଗତ ୩ ଦିନ ମଧ୍ୟରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲେ ମଧ୍ୟ ଆନ୍ଦୋଳନକାରୀମାନେ ହଠାତ୍‌ ହିଂସା ଘଟାଉଥିବାରୁ ସୁରକ୍ଷା ବାହିନୀର ଚିନ୍ତା ବଢ଼ିଯାଇଛି। ରାଜଧାନୀ ଗୌହାଟିରେ ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି। ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଏ ପର୍ଯ୍ୟନ୍ତ ହିଂସାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ସରକାର ସ୍ବୀକାର କରିଛନ୍ତି। ୩ ଦିନ ତଳେ ଗୁଳିକାଣ୍ଡରେ ଆହତ ହୋଇଥିବା ୨ ଜଣଙ୍କର ଆଜି ହସ୍ପିଟାଲରେ ମୃତ୍ୟୁ ଘଟିବାରୁ ଏହି ସଂଖ୍ୟା ୫ରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe