ପଶ୍ଚିମବଙ୍ଗ: କାଳବୈଶାଖୀରେ ୨ ମୃତ

ବ୍ରହ୍ମପୁରରେ ଅପହରଣ ପରେ ଯୁବକଙ୍କୁ ହତ୍ୟା : ୪ ଦିନ ପରେ ଗଳିତ ଶବ ଉଦ୍ଧାର, ହତ୍ୟା ପଛରେ ବ୍ୟବସାୟିକ ଶତ୍ରୁତା

image-sisat

କୋଲକାତା: ବାତ୍ୟା ପରେ କାଳବୈଶାଖୀ। ସାରା ରାତି ଜୋର୍‌ରେ ପବନ ବହିବା ସହ ମୂଷଳ ଧାରାରେ ବର୍ଷା ଯୋଗୁଁ ୨ ଜଣଙ୍କ ମୃତ୍ୟୁ ହୋ‌ଇଛି। ଏହି କାରଣରୁ ସହର ସମେତ ରାଜ୍ୟର ଦକ୍ଷିଣ ଜିଲ୍ଲାଗୁଡ଼ିକରେ ଆଜି ଆଉ ଏକ ସମସ୍ୟା ସୃ୍ଷ୍ଟି ହୋଇଛି। ସପ୍ତାହେ ପୂର୍ବରୁ ଅମ୍ଫାନ ଦକ୍ଷିଣ ବଙ୍ଗର ବିଭିନ୍ନ ଜିଲ୍ଲାରେ ଯେଭଳି ତାଣ୍ଡବ ରଚିଥିଲା, ବୁଧବାର ସନ୍ଧ୍ୟାରେ ହଠାତ୍‌ କାଳବୈଶାଖୀ ସେହି ଭୟାବହ ସ୍ମୃତିକୁ ତାଜା କରିଦେଲା। ଘଣ୍ଟାକୁ ୧୦୦ କିମି ବେଗରେ ପବନ ବହିଲା। ବିଜୁଳି, ଘଡ଼ଘଡ଼ି ସହ ରାତିସାରା ମୂଷଳ ଧାରାରେ ବର୍ଷା ହେଲା। ପୁଣି ଥରେ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହେଲା। ରାଜ୍ୟ ପ୍ରଶାସନର କାର୍ଯ୍ୟ ବଢ଼ିଗଲା। ପୁଲିସ ସୂତ୍ରରୁ ପ୍ରକାଶ, ଉତ୍ତର ୨୪ ପ୍ରଗଣାରେ ଆଜି କାନ୍ଥପଡ଼ି ଜଣେ ୪୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ୫ ଜଣ ଆହତ ହୋଇଛନ୍ତି। ପଶ୍ଚିମ ବର୍ଦ୍ଧମାନ ଜିଲ୍ଲାର ଦୁର୍ଗାପୁରରେ ବଜ୍ରପାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଗତକାଲି ସନ୍ଧ୍ୟାରୁ ଭାରି ବର୍ଷା ଆରମ୍ଭ ହୋଇଥିଲା। କିଛି ସମୟ ମଧ୍ୟରେ ସହରର ବିଭିନ୍ନ ଅଞ୍ଚଳରେ ବର୍ଷାପାଣି ଜମି ରହିଥିଲା। ଫଳରେ ବାତ୍ୟାରେ କ୍ଷତିଗ୍ରସ୍ତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ଲାଗିଥିବା କର୍ମଚାରୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଅମ୍ଫାନ ଯୋଗୁଁ ଗତ ଆଠ ଦିନ ହେଲା ବିଶେଷ ପ୍ରଭାବିତ ହୋଇଥିବା ନଦିଆ, ହୁଗୁଳି, ଉତ୍ତର ଏବଂ ଦକ୍ଷିଣ ୨୪ ପ୍ରଗଣା, ପୂର୍ବ ଏବଂ ପଶ୍ଚିମ ମେଦିନୀପୁର ଜିଲ୍ଲା ପୁଣି କାଳବୈଶାଖୀର ତାଣ୍ଡବକୁ ସାମ୍ନା କରୁଛି। ବୋଝ ଉପରେ ନଳିତା ବିଡ଼ା ଭଳି ବାତ୍ୟା ଯୋଗୁଁ କ୍ଷତିଗ୍ରସ୍ତ ଅଞ୍ଚଳ ଟିକେ ଅଣ୍ଟା ସଳଖିବାବେଳକୁ ପୁଣି ଚୋଟ!

ପାଣିପାଗ ବିଭାଗ ସୂଚନା ଦେଇଛି, ଆଗାମୀ ଶନିବାର ପର୍ଯ୍ୟନ୍ତ ରାଜ୍ୟରେ ପବନ ସହ ଭାରି ବର୍ଷା ଲାଗି ରହିବ। ଆଜି ବି ଆକାଶ ମେଘାଚ୍ଛନ୍ନ ରହିଛି। ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି। ପାଣିପାଗ ବିଭାଗ ଅଧିକାରୀ କହିଛନ୍ତି, ଦକ୍ଷିଣ ବଙ୍ଗର ଉତ୍ତର ୨୪ ପ୍ରଗଣା, ପୂର୍ବ ଓ ପଶ୍ଚିମ ବର୍ଦ୍ଧମାନ, ମୁର୍ସିଦାବାଦ ଏବଂ ବୀରଭୂମ ଜିଲ୍ଲାରେ ଶନିବାର ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ। ଘଣ୍ଟାକୁ ୫୦-୬୦ କିମି ବେଗରେ ପବନ ବହିବ। ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ଏହାର ପ୍ରଭାବ ପଡ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe