ନୂଆଦିଲ୍ଲୀ : ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର ଦିନ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରିଛି। ଇଡିର ଏକ ୮ ଜଣିଆ ଟିମ୍ ଶୁକ୍ରବାର ସକାଳ ପ୍ରାୟ ୭ଟା ୩୦ରେ ପାର୍ଥ ଚାଟାର୍ଜୀଙ୍କ ଦକ୍ଷିଣ କୋଲକାତା ସ୍ଥିତ ବାସଭବନରେ ପହଞ୍ଚି ଚଢ଼ଉ ଆରମ୍ଭ କରିଥିଲା। ଇଡି ଅଧିକାରୀମାନେ ଦୀର୍ଘ ୨୬ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ପାର୍ଥଙ୍କୁ ମାରାଥନ ଜେରା କରିବାପରେ ଆଜି ଗିରଫ କରିଛନ୍ତି। କୋର୍ଟରେ ହାଜର କରାଯିବା ପରେ କୋର୍ଟ ତାଙ୍କୁ ୨ ଦିନ ପାଇଁ ଇଡି ହାଜତ ପଠାଇଛନ୍ତି। ଇଡି ପାର୍ଥ ଚାଟାର୍ଜୀଙ୍କୁ ୧୪ ଦିନ ରିମାଣ୍ଡରେ ନେବାକୁ ଚାହିଥିଲା। କିନ୍ତୁ କୋର୍ଟ ୨ ଦିନ ପାଇଁ ଅନୁମତି ଦେଇଛନ୍ତି। ଆସନ୍ତା ସୋମବାର ଦିନ ତାଙ୍କୁ ସ୍ବତନ୍ତ୍ର ପିଏମଏଲଏ କୋର୍ଟରେ ହାଜର କରାଯିବ। ପାର୍ଥ ଚାଟାର୍ଜୀ ଏବେ ପଶ୍ଚିମବଙ୍ଗର ଶିଳ୍ପ ଏବଂ ବାଣିଜ୍ୟ ମନ୍ତ୍ରୀ। ସେ ଶିକ୍ଷା ମନ୍ତ୍ରୀ ଥିବା ବେଳେ ଏହି ଦୁର୍ନୀତି ହୋଇଥିଲା।
ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ କୁହାଯାଉଥିବା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କୁ ମଧ୍ୟ ଶନିବାର ଦିନ ଇଡି ଗିରଫ କରିଛି । ଗତକାଲି ଅର୍ପିତା ମୁଖାର୍ଜୀଙ୍କ ବାସଭବନରେ ଚଢ଼ଉ କରି ନଗଦ ୨୧ କୋଟିରୁ ଅଧିକ ଟଙ୍କା ଜବତ କରାଯାଇଥିଲା। ଆଜି ସକାଳେ ଇଡି ଅଧିକାରୀମାନେ ଟଙ୍କା ଗଣିବା ମେସିନ୍ ଧରି ଅର୍ପିତାଙ୍କ ବାସଭବନରେ ପହଞ୍ଚିଥିଲେ। ଜବତ ଟଙ୍କା ନେବାପାଇଁ ଅପରାହ୍ନରେ ଆର୍ବିଆଇର ଟ୍ରକ୍ ଯାଇ ଅର୍ପିତାଙ୍କ ବାସଭବନ ପାଖରେ ଲାଗିଥିଲା। ଜେରା ବେଳେ ଅର୍ପିତା କୌଣସି ପ୍ରଶ୍ନର ଉତ୍ତର ଦେଇନଥିଲେ। ସେ ସବୁ ପ୍ରଶ୍ନକୁ ଏଡ଼ାଇବାକୁ ଚେଷ୍ଟା କରିଥିଲେ।
/sambad/media/post_attachments/wp-content/uploads/2022/07/ssss-1.jpg)
ସେହିଭଳି ୨୦୧୧ରୁ ପାର୍ଥ ଚାଟାର୍ଜୀଙ୍କ ବ୍ୟକ୍ତିଗତ ସଚିବ ଭାବେ ତାଙ୍କ ସହ ସମ୍ପୃକ୍ତ ଥିବା ଜଣେ ପୂର୍ବତନ ଅମଲା ସୁକାନ୍ତ ଆଚାର୍ଯ୍ୟଙ୍କୁ ମଧ୍ୟ ଇଡି ଅଧିକାରୀମାନେ ଜେରା କରୁଛନ୍ତି। ତାଙ୍କୁ ଗିରଫ କରାଯାଇପାରେ।
ଇଡି ଗତକାଲି ପଶ୍ଚିମବଙ୍ଗ (ଏସଏସସି) ସ୍କୁଲ ସର୍ଭିସ କମିସନ୍ର ପୂର୍ବତନ ପରାମର୍ଶଦାତା ଶାନ୍ତି ପ୍ରସାଦ ସିହ୍ନା, ପଶ୍ଚିମବଙ୍ଗ ଉଚ୍ଚ ମାଧ୍ୟମିକ ଶିକ୍ଷା ବୋର୍ଡ୍ର ପୂର୍ବତନ ସଭାପତି କଲ୍ୟାଣମୟ ଗାଙ୍ଗୁଲି ଏବଂ ଅନ୍ୟ ୯ ଜଣଙ୍କ ବାସଭବନରେ ଚଢ଼ଉ କରିଥିଲା। ଉଲ୍ଲେଖଯୋଗ୍ୟ ଯେ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ହେବା ସମୟରେ ଚାଟାର୍ଜୀ ରାଜ୍ୟ ଶିକ୍ଷା ମନ୍ତ୍ରୀ ଥିଲେ। କାଲକାଟା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଶିକ୍ଷକ ନିଯୁକ୍ତିରେ ହୋଇଥିବା ଅନିୟମିତତା ସଂକ୍ରାନ୍ତରେ ତଦନ୍ତ କରୁଛି। ଅନ୍ୟପକ୍ଷେ ଇଡି ଅର୍ଥ ହେରଫେର ମାମଲାର ତଦନ୍ତ କରୁଛି। ଚାଟାର୍ଜୀଙ୍କୁ ଏହି ମାମଲାରେ ସିବିଆଇ ପୂର୍ବରୁ ୨ ଥର (ଏପ୍ରିଲ ୨୬ ଏବଂ ମେ’ ୧୮ରେ) ଜେରା କରିଥିଲା। ଇତିମଧ୍ୟରେ ଟିଏମ୍ସି ଏହି ବିବାଦରୁ ଦୂରେଇ ରହିଛି। ମାମଲାରେ ପ୍ରଥମ ପ୍ରତିକ୍ରିୟା ରଖି ଦଳର ମୁଖପାତ୍ର କୁନାଲ ଘୋଷ ଏହି ମାମଲାରେ ଦଳ କିମ୍ବା ରାଜ୍ୟ ସରକାରଙ୍କ ସମ୍ପୃକ୍ତିକୁ ଖଣ୍ଡନ କରିଛନ୍ତି। ବିଶେଷ କରି ଅର୍ପିତା ମୁଖାର୍ଜୀଙ୍କ ବାସଭବନରୁ ବିପୁଳ ଟଙ୍କା ଜବତ ହେବା ପ୍ରସଙ୍ଗରେ ଦଳର କିଛି ସମ୍ପୃକ୍ତି ନାହିଁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ମନ୍ତ୍ରୀ ପାର୍ଥ ଚାଟାର୍ଜୀ କହିଛନ୍ତି, ସେ ଗିରଫ ହେବାପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ତାଙ୍କ ସହ ଯୋଗାଯୋଗ ହୋଇପାରୁନି।
Follow Us