ନୂଆଦିଲ୍ଲୀ : ବିଶ୍ବରେ ପ୍ରଥମ ଥର ପାଇଁ ପକ୍ଷୀଙ୍କ ଶରୀରରୁ ମନୁଷ୍ୟ ଦେହକୁ ସଂକ୍ରମିତ ହୋଇଥିବା ବାର୍ଡଫ୍ଳୁ ଭୂତାଣୁ ଏଚ୍୫ଏନ୍୮ ସମ୍ପର୍କରେ ଜାଣିବା ଲାଗି ପାଠକଙ୍କର ଉତ୍ସୁକତା ରହିବା ସ୍ବାଭାବିକ। ଅତୀତରେ ଅନେକ ଥର ପକ୍ଷୀଙ୍କ ମଧ୍ୟରେ ଏଚ୍୫ଏନ୍୮ ସଂକ୍ରମଣ ସଂଘଟିତ ହୋଇଥିବା ବେଳେ ଗତ ଡିସେମ୍ବର ମାସରେ ହିଁ ରୁଷିଆର ଏକ କୁକୁଡ଼ା ଫାର୍ମରେ କାମ କରୁଥିବା ୭ ଜଣ ଶ୍ରମିକଙ୍କ ଶରୀରକୁ ଏହା ପ୍ରଥମ ଥର ପାଇଁ ସଂକ୍ରମିତ ହୋଇଛି। ଯଦିଓ ଏହି ସଂକ୍ରମିତମାନେ ଚିକିତ୍ସା ପରେ ଏବେ ସୁସ୍ଥ ହୋଇ ସାରିଛନ୍ତି, ତେବେ ଏ ସମ୍ପର୍କରେ ରୁଷିଆ ସରକାର ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ଅବଗତ କରାଇଛନ୍ତି।
ସୂଚନା ଥାଉ କି, ଏହି ସ୍ବତନ୍ତ୍ର ପ୍ରଜାତିର ଏଚ୍୫ଏନ୍୮ ଭୂତାଣୁ ହେଉଛି ଇନ୍ଫ୍ଲୁଏଞ୍ଜା-ଏ ଭୂତାଣୁର ଅନ୍ୟତମ ରୂପ। ବାର୍ଡଫ୍ଳୁ ସଂକ୍ରମଣ ପାଇଁ ବହୁଳ ଭାବେ ପରିଚିତ ଏଚ୍୧ଏନ୍୧ ଭୂତାଣୁ ଠାରୁ ଭିନ୍ନ ଏହି ଏଚ୍୫ଏନ୍୮ ଭୂତାଣୁ ସାଧାରଣତଃ ପକ୍ଷୀ ଏବଂ ସ୍ତନ୍ୟପାୟୀମାନଙ୍କୁ ବେଶୀ ଆକ୍ରାନ୍ତ କରୁଥିବା ବେଳେ କୁକୁଡ଼ା ଓ ଅନ୍ୟ ପକ୍ଷୀମାନଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଥାଏ। ଏପରିକି ଗତ ମାସରେ ଭାରତରେ ଦେଖାଦେଇଥିବା ଏଚ୍୫ଏନ୍୮ ସଂକ୍ରମଣକୁ ରୋକିବା ପାଇଁ କେରଳରେ ୪୦ ହଜାର ଗୃହପାଳିତ ପକ୍ଷୀଙ୍କୁ ବଧ କରାଯାଇଥିଲା। ଅପରପକ୍ଷେ, ଅତି ସାଧାରଣ ଏଚ୍୧ଏନ୍୧ ଭୂତାଣୁ ଦ୍ବାରା ମନୁଷ୍ୟ ମଧ୍ୟ ସଂକ୍ରମିତ ହେବାର ଅନେକ ନଜିର ଥିବା ବେଳେ ରୁଷିଆ ମାମଲା ଆଗରୁ ମନୁଷ୍ୟ ଶରୀରକୁ ଏଚ୍୫ଏନ୍୮ ପରିବାହିତ ହେବାର ସାମାନ୍ୟତମ ପ୍ରମାଣ ନଥିଲା। ତେବେ ଏହା କେବଳ ପକ୍ଷୀଙ୍କ ସଂସ୍ପର୍ଶରେ ଆସୁଥିବା ମନୁଷ୍ୟ ଶରୀରକୁ ସଂକ୍ରମିତ ହୋଇଥାଏ। ସଂକ୍ରମିତ ମନୁଷ୍ୟଙ୍କ ଠାରେ କୌଣସି ବଡ଼ ଧରଣର ଲକ୍ଷଣ ପରିଲକ୍ଷିତ ହୋଇନଥିଲା ବେଳେ ମନୁଷ୍ୟଠାରୁ ମନୁଷ୍ୟ ଶରୀରକୁ ମଧ୍ୟ ତାହା ସଂକ୍ରମିତ ହୋଇନଥାଏ।
Follow Us