The Indian Express
ନୂଆଦିଲ୍ଲୀ : ଜ୍ଞାନବାପି ମସ୍ଜିଦ ମାମଲାରେ ଶୁଣାଣି ଆଜି ସୁପ୍ରିମକୋର୍ଟରେ ସ୍ଥଗିତ ରହିଛି। ମାମଲାରେ ଜଣେ ହିନ୍ଦୁ ଆବେଦନକାରୀଙ୍କ ଓକିଲ ଦିନକ ପାଇଁ ମାମଲା ସ୍ଥଗିତ ରଖିବା ପାଇଁ ନିବେଦନ କରିବାରୁ କୋର୍ଟ ଆସନ୍ତାକାଲି ଏହି ମାମଲାର ଶୁଣାଣି କରିବେ ବୋଲି ଧାର୍ଯ୍ୟ କରିଛନ୍ତି। ଅନ୍ୟପକ୍ଷେ ଜ୍ଞାନବାପି ମସ୍ଜିଦ ପରିସରର ଭିଡିଓଗ୍ରାଫି ସର୍ଭେ ରିପୋର୍ଟ ଆଜି ବାରଣାସୀ କୋର୍ଟରେ ଦାଖଲ ହୋଇଛି। ମସ୍ଜିଦ ପରିସରର ଭିଡିଓଗ୍ରାଫି କରିଥିବା ଟିମ୍ ୩ଟି ଫୋଲ୍ଡର୍ ଦ୍ବାରା ରିପୋର୍ଟକୁ ଏକ ଜଉମୁଦ ଲଫାପାରେ କୋର୍ଟରେ ଦାଖଲ କରିଛନ୍ତି। ଏଥିସହ ୧୦-୧୫ ପୃଷ୍ଠାର ଏକ ରିପୋର୍ଟ ଦାଖଲ ହୋଇଛି। ଜ୍ଞାନବାପି ମସଜିଦ୍ ସର୍ଭେକୁ ଚ୍ୟାଲେଂଜ କରି ମସଜିଦ୍ କମିଟି ସୁପ୍ରିମକୋର୍ଟରେ କରିଥିବା ଆବେଦନର ଶୁଣାଣି ଆସନ୍ତାକାଲି ହେବ। ଅନ୍ୟପକ୍ଷେ ବାରଣାସୀ କୋର୍ଟ ଉକ୍ତ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୩ ତାରିଖରେ ରଖିଛନ୍ତି। ତେବେ ସର୍ଭେ ରିପୋର୍ଟ ଆଜି କୋର୍ଟରେ ଉପସ୍ଥାପନ ହେବାର କିଛି ଘଣ୍ଟା ପରେ ପ୍ରଘଟ ହୋଇଯାଇଛି।
ଏହି ରିପୋର୍ଟରୁ ଜଣାପଡ଼ିଛି ଯେ ଚଳିତ ସପ୍ତାହରେ ହୋଇଥିବା ସର୍ଭେ ସମୟରେ ମସଜିଦ ପରିସରରୁ ବିଭିନ୍ନ ହିନ୍ଦୁ ଦେବଦେବୀଙ୍କ ମୂର୍ତ୍ତିର ଭଗ୍ନଖଣ୍ଡ ମିଳିଛି। ମସଜିଦ ପରିସରରୁ ଶେଷନାଗର କଳାକୃତି ମିଳିଛି। ମସଜିଦରେ ସନାତନ ଧର୍ମର ଅନେକ ସଙ୍କେତ ରହିଛି। ମସଜିଦ୍ର ବେସମେଣ୍ଟ୍ କାନ୍ଥରେ ପଦ୍ମ, ଡମ୍ବରୁ, ତ୍ରିଶୂଳ ଆଦି ଚିହ୍ନ ମିଳିଛି। ବେସମେଣ୍ଟ୍ର ଏକ ସ୍ତମ୍ଭରେ ପ୍ରାଚୀନ ହିନ୍ଦୀ ଭାଷାର ଖୋଦେଇ ରହିଛି।
ଉଲ୍ଲେଖଯୋଗ୍ୟ, ବାରଣାସୀ କୋର୍ଟ ଜ୍ଞାନବାପି ମସଜିଦ୍ ମାମଲାରେ ୫ ଜଣ ହିନ୍ଦୁ ମହିଳାଙ୍କ ଆବେଦନର ଶୁଣାଣି କରୁଛନ୍ତି। ମସଜିଦ୍ ସର୍ଭେରେ ସାମିଲ ହୋଇଥିବା ଜଣେ କମିସନର ମସଜିଦ ପୋଖରିରେ ଶିବଲିଙ୍ଗ ମିଳିଥିବା ଦାବି କରିଥିଲେ। ଏଥିପାଇଁ ତାଙ୍କୁ ଦାୟିତ୍ବରୁ ହଟାଇ ଦିଆଯାଇଛି। ସୁପ୍ରିମ୍ କୋର୍ଟ କହିଥିଲେ, ଯଦି ଶିବଲିଙ୍ଗ ମିଳିଛି ତେବେ ଏହାକୁ ସୁରକ୍ଷା ଦିଆଯାଉ କିନ୍ତୁ ନମାଜ ପାଠ ବନ୍ଦ ନହେଉ।
Follow Us