ଏବେ ସୀମାନ୍ତରେ ଶତ୍ରୁପକ୍ଷର ସବୁ ଯୋଜନାକୁ ପଣ୍ଡ କରିବ ଆଜି ମହାକାଶକୁ ଛଡ଼ାଯାଇଥିବା ରିସାଟ୍‌-୨ବି ଗୁପ୍ତଚର ସାଟେଲାଇଟ୍‌

Advertisment
ଏବେ ସୀମାନ୍ତରେ ଶତ୍ରୁପକ୍ଷର ସବୁ ଯୋଜନାକୁ ପଣ୍ଡ କରିବ ଆଜି ମହାକାଶକୁ ଛଡ଼ାଯାଇଥିବା ରିସାଟ୍‌-୨ବି ଗୁପ୍ତଚର ସାଟେଲାଇଟ୍‌

Photo: Govt. of India

ବେଙ୍ଗାଲୁରୁ/ ନୂଆଦିଲ୍ଲୀ: ଭାରତୀୟ ଅନ୍ତରୀକ୍ଷ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପିଏସ୍‌ଏଲ୍‌ଭି-ସି୪୬ ସହ ରିସାଟ୍‌ (ଆର୍‌ଆଇଏସ୍‌ଏଟି)-୨ବି ସାଟେଲାଇଟକୁ ସଫଳତା ପୂର୍ବକ ଅନ୍ତରୀକ୍ଷର କକ୍ଷପଥରେ ସ୍ଥାପିତ କରି ନିଜର ସଫଳତାରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବା ସହ ଭାରତକୁ ଆହୁରି ଶକ୍ତିଶାଳୀ କରି ବିଶ୍ୱ ସ୍ତରୀୟ କରିଦେଇଛି।

କାରଣ, ଇସ୍ରୋ ଯେଉଁ ରିସାଟ୍‌-୨ବି ସାଟେଲାଇଟକୁ ସଫଳତା ପୂର୍ବକ ଅନ୍ତରୀକ୍ଷର କକ୍ଷପଥରେ ସ୍ଥାପିତ କରାଇଛି, ତାହା ହେଉଛି ଏକ ଗୁପ୍ତଚର ସାଟେଲାଇଟ୍‌। ପୃଥିବୀ ପୃଷ୍ଠରୁ ହଜାର ହଜାର ମାଇଲ୍‌ ଉପରେ ନିଜର କକ୍ଷପଥରେ ଘୂର୍ଣ୍ଣାୟମାନ ଅବସ୍ଥାରେ ଥାଇ ଏହି ଗୁପ୍ତଚର ସାଟେଲାଇଟ୍‌ ତା’ର ଅତି ଉଚ୍ଚଶକ୍ତି ସଂପନ୍ନ ରାଡାର ଜରିଆରେ ଭାରତର ସୀମାନ୍ତ ଓ ସୁରକ୍ଷା ଉପରେ ଅହର୍ନିଶି ତୀକ୍ଷ୍ଣ ନଜର ରଖିବ। ଦିନ ହେଉ ଅବା ରାତି; ପାଗ ଭଲ ଥାଉ ଅବା ମନ୍ଦ, ସେସବୁ କିଛି ବି ରିସାଟ୍‌-୨ବିର କାର୍ଯ୍ୟକୁ ପ୍ରଭାବିତ କରିପାରିବ ନାହିଁ। ଦେଶର ସୁଦୀର୍ଘ ସୀମାନ୍ତର କୌଣସି ବି ସ୍ଥାନରେ ଶତ୍ରୁ ପକ୍ଷର ସମସ୍ତ ଗତିବିଧିକୁ ଖାଲି ନିରୀକ୍ଷଣ କରିବ ନାହିଁ ରିସାଟ୍‌-୨ବି ବରଂ ଏଥିରେ ଖଞ୍ଜା ଯାଇଥିବା ହାଇ ରିଜୋଲ୍ୟୁସନ୍‌ କ୍ୟାମେରାରେ ତୁରନ୍ତ ଶତ୍ରୁପକ୍ଷର ସମସ୍ତ ପ୍ରକାର ଗତିବିଧିର ୨ଡି, ୩ଡି ଫଟୋ ସବୁ ଉଠାଇ ସେସବୁକୁ ଭାରତୀୟ ସେନା ନିକଟକୁ ପଠାଇବ।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ଇସ୍ରୋ ରିସାଟ୍‌-୧ ଓ ରିସାଟ୍‌-୨ ନାମରେ ଦୁଇଟି ଗୁପ୍ତଚର ସାଟେଲାଇଟ୍‌କୁ ନେଇ ଅନ୍ତରୀକ୍ଷର କକ୍ଷପଥରେ ଛାଡ଼ିଥିଲା। ରିସାଟ୍‌-୧ ଖରାପ ହୋଇ ଅକାମୀ ହୋଇପଡ଼ିବା ପରେ ଭାରତ ନିକଟରେ କେବଳ ମାତ୍ର ଗୋଟିଏ ରାଡାର ଥିବା ରିସାଟ୍‌-୨ ସାଟେଲାଇଟ୍‌ ଏବେ ଉପଲବ୍ଧ ଥିଲା। ଯାହାକୁ ୨୦୦୮ର ମୁମ୍ବାଇ ଆକ୍ରମଣ ପରେ ନେଇ କକ୍ଷପଥରେ ଛଡ଼ା ଯାଇଥିଲା।

ତେବେ, ଆଜି ଛଡ଼ା ଯାଇଥିବା ରିସାଟ୍‌-୨ବି ପୂର୍ବରୁ ଛଡ଼ା ଯାଇଥିବା ରିସାଟ୍‌-୧ ଓ ରିସାଟ୍‌-୨ ଠାରୁ ମଧ୍ୟ ଆହୁରି ଶକ୍ତିଶାଳୀ। ଏହା କେବଳ ଭାରତର ପ୍ରତିରକ୍ଷା ବିଭାଗ ପାଇଁ ଗୁପ୍ତଚର ବୃତ୍ତି କରିବ ନାହିଁ ବରଂ ପାଣିପାଗ, ପରିବେଶ, କୃଷି ଓ ଶିଳ୍ପ ଇତ୍ୟାଦି ପାଇଁ ମହାକାଶରେ ଥାଇ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରେରଣ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe