ନୂଆଦିଲ୍ଲୀ: ୨୦୧୯ ମାନହାନି ମାମଲାରେ ଗୁଜରାଟର ଏକ ଅଦାଲତ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧିଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ୍ ଦଣ୍ଡାଦେଶ ଦେବା ପରେ ସେ ସଂସଦ ସଦସ୍ୟତା ହରାଇଛନ୍ତି । କେବଳ ଏତିକି ନୁହେଁ, ୮ ବର୍ଷ ପାଇଁ ସେ ନିର୍ବାଚନ ବି ଲଢିପାରିବେ ନାହିଁ । କିନ୍ତୁ ଏବେ ରାହୁଲଙ୍କ ପାଖରେ କ’ଣ ଉପାୟ ରହିଛି ?
ଜନପ୍ରତିନିଧି ଆଇନ, ୧୯୫୧ର ଧାରା ୮(୩) ଅନୁଯାୟୀ, ଜଣେ ସାଂସଦ କୌଣସି ଅପରାଧରେ ଦୋଷୀ ସାବ୍ୟସ୍ତ ହେବା କ୍ଷଣି ଏବଂ ଅତି କମରେ ଦୁଇ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ ହେବା କ୍ଷଣି ସେ ସଂସଦ ସଦସ୍ୟ ରହିବାପାଇଁ ଅଯୋଗ୍ୟ ହୋଇପଡ଼ନ୍ତି । କିନ୍ତୁ ଏହି ରାୟ ବିରୋଧରେ ରାହୁଲ ଗାନ୍ଧି ଉପର କୋର୍ଟରେ ଆବେଦନ କରିପାରିବେ, ଏଥିଲାଗି ତାଙ୍କ ହାତରେ ୩୦ ଦିନ ସମୟ ରହିଛି।
ପ୍ରଖ୍ୟାତ ଆଇନଜୀବୀ ତଥା ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ମହେଶ ଜେଠମଲାନୀ ଏନଡିଟିଭିକୁ କହିଛନ୍ତି, ଆଇନ ଅନୁଯାୟୀ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି, କିନ୍ତୁ ଏହି ନିଷ୍ପତ୍ତି ବାଚସ୍ପତିଙ୍କୁ ଜଣାଇବାକୁ ପଡ଼ିବ। କିନ୍ତୁ ଆଜି ସେ ଅଯୋଗ୍ୟ ହୋଇସାରିଛନ୍ତି । ତେବେ ଏହି ରାୟ ବିରୋଧରେ ସେ ଉପର କୋର୍ଟ ଯାଇପାରନ୍ତି ।
ପୂର୍ବରୁ କଂଗ୍ରେସରେ ଥିବା ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ କେନ୍ଦ୍ର ଆଇନ ମନ୍ତ୍ରୀ କପିଲ ସିବଲ ମଧ୍ୟ କହିଛନ୍ତି ଯେ ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ସହ ସେ ଆପେ ଆପେ ସାଂସଦ ପଦରୁ ଅଯୋଗ୍ୟ ହୋଇଯାଇଛନ୍ତି । ସିବଲ କହିଛନ୍ତି, ଯଦି କୋର୍ଟ ଦଣ୍ଡାଦେଶକୁ ସ୍ଥଗିତ ରଖନ୍ତି, ତେବେ ଏହା ଯଥେଷ୍ଟ ହେବ ନାହିଁ। ଉପର କୋର୍ଟ ଯଦି ରାହୁଲ ଦୋଷୀ ସାବ୍ୟସ୍ତ ହେବା ଉପରେ ସ୍ଥଗିତାଦେଶ ଲଗାନ୍ତି ତେବେ ସେ ସାଂସଦ ପଦ ଫେରିପାଇବେ । ଯଦି ଉପର ଅଦାଲତ ଏହି ନିଷ୍ପତ୍ତିକୁ ଖାରଜ ନ କରନ୍ତି, ତେବେ ରାହୁଲ ଗାନ୍ଧି ଆସନ୍ତା ୮ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିପାରିବେ ନାହିଁ।
Follow Us