ହ୍ବାଟ୍‌ସଆପ୍‌ ସ୍ପାଇୱେର୍‌ ଟାର୍ଗେଟ୍‌ରେ ଭାରତୀୟ ସାମ୍ବାଦିକ, ଇସ୍ରାଏଲ୍‌ ପ୍ରଯୁକ୍ତି କମ୍ପାନି ବିରୋଧରେ ମକଦ୍ଦମା ରୁଜୁ

Advertisment

ବଦନାମ କରିବା ପାଇଁ ଷଡ଼ଯନ୍ତ୍ର: ଗୃହ ମନ୍ତ୍ରାଳୟ

ବଦନାମ କରିବା ପାଇଁ ଷଡ଼ଯନ୍ତ୍ର: ଗୃହ ମନ୍ତ୍ରାଳୟ

ହ୍ବାଟ୍‌ସଆପ୍‌ ସ୍ପାଇୱେର୍‌ ଟାର୍ଗେଟ୍‌ରେ ଭାରତୀୟ ସାମ୍ବାଦିକ, ଇସ୍ରାଏଲ୍‌ ପ୍ରଯୁକ୍ତି କମ୍ପାନି ବିରୋଧରେ ମକଦ୍ଦମା ରୁଜୁ

ନୂଆଦିଲ୍ଲୀ: ଇସ୍ରାଏଲ୍‌ର ଏକ ପ୍ରଯୁକ୍ତି କମ୍ପାନି ଏନ୍‌ଏସ୍‌ଓ ଗ୍ରୁପ୍‌ ‘ସ୍ପାଇୱେର ପିଗାସସ୍‌’ ବ୍ୟବହାର କରି ଭାରତୀୟ ସାମ୍ବାଦିକ ଏବଂ ମାନବାଧିକାର କାର୍ଯ୍ୟକର୍ତ୍ତାଙ୍କୁ ଟାର୍ଗେଟ୍‌ କରିଛି। ଏହି ସ୍ପାଇୱେର୍‌ ମାଧ୍ୟମରେ ହ୍ବାଟ୍‌ସଆପ୍‌ ଆକାଉଣ୍ଟ ହ୍ୟାକ୍‌ କରି ତଥ୍ୟ ଚୋରି କରାଯାଇଥିବା ଜଣାପଡ଼ିଛି। ଟେକ୍‌ ଫାର୍ମ ଏନ୍‌ଏସ୍‌ଓ ଗ୍ରୁପ୍‌ ବିଶ୍ବର ମୋଟ ୧୪ ଶହ ହ୍ବାଟ୍‌ସଆପ୍‌ ବ୍ୟବହାରକାରୀଙ୍କ ଫୋନ୍‌ ହ୍ୟାକ୍‌ କରି ସେମାନଙ୍କ ତଥ୍ୟ ଚୋରି କରିଥିବା ହ୍ବାଟ୍‌ସଆପ୍‌ ସ୍ବୀକାର କରିବା ସହ ସଂପୃକ୍ତ ଗ୍ରୁପ୍‌ ବିରୋଧରେ ଆଜି ମକଦ୍ଦମା ରୁଜୁ କରିଛି। ଭାରତ ସରକାରଙ୍କ ପକ୍ଷରୁ ଏ ବାବଦରେ ହ୍ବାଟ୍‌ସଆପ୍‌କୁ ଜବାବ ମଗାଯାଇଛି ଏବଂ ସୋମବାର ସୁଦ୍ଧା ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଅନ୍ୟପକ୍ଷରେ ଏହି ମାମଲାରେ ସରକାର ବ୍ୟକ୍ତିଗତ ଗୋପନୀୟତାକୁ ବିପନ୍ନ କରୁଥିବା ସଂକ୍ରାନ୍ତ କେତେକ ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପାଇଥିବାରୁ ସରକାର ଏହାକୁ ଖଣ୍ଡନ କରିଛନ୍ତି। ବ୍ୟକ୍ତିଗତ ଗୋପନୀୟତା ଅଧିକାରକୁ ସୁରକ୍ଷିତ ରଖିବାକୁ ସରକାର ପ୍ରତିଶୃତିବଦ୍ଧ ଏବଂ ଏଭଳି ଅଭିଯୋଗ କେବଳ ସରକାରଙ୍କୁ ବଦନାମ କରିବା ପାଇଁ ଉଦ୍ଦିଷ୍ଟ ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

ଇସ୍ରାଏଲ୍‌ର ସର୍ଭେଲାନ୍ସ ଫାର୍ମ ଏନ୍‌ଏସ୍‌ଓ ଗ୍ରୁପ୍‌ ବିଶ୍ବ ବ୍ୟାପୀ ସାମ୍ବାଦିକ ଏବଂ ମାନବାଧିକାର କର୍ମୀଙ୍କୁ ଟାର୍ଗେଟ୍‌ କରି ସେମାନଙ୍କ ଫୋନ୍‌ ହ୍ୟାକ୍‌ କରିବା ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଫାର୍ମ ଯେଉଁ ସ୍ପାଏ ସଫ୍‌ଟୱେର ପ୍ରସ୍ତୁତ କରିଛି ତାହା ଦ୍ବାରା ହ୍ବାଟ୍‌ସଆପ୍‌ ଆକାଉଣ୍ଟ୍‌କୁ ଅତି ସହଜରେ ହ୍ୟାକ୍‌ କରାଯାଇପାରୁଛି। ଏହା ବିରୋଧରେ କର୍ଲିଫର୍ଣ୍ଣିଆ ସଂଘୀୟ ଅଦାଲତରେ ମାମଲା ରୁଜୁ ହୋଇଛି। ତେବେ କାହା ନିର୍ଦ୍ଦେଶରେ ଏଭଳି ଗୁଇନ୍ଦାଗିରି କରାଯାଇଛି ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ। ଯେଉଁମାନଙ୍କ ଫୋନ୍‌ ହ୍ୟାକ୍‌ ହୋଇଛି ସେମାନଙ୍କ ମଧ୍ୟରେ ସାମ୍ବାଦିକ ଏବଂ ମାନବାଧିକାରୀ କର୍ମୀଙ୍କ ସମେତ ଅନେକ କୂଟନୀତିଜ୍ଞ ଏବଂ ବିରୋଧୀ ଦଳ ନେତା ମଧ୍ୟ ରହିଛନ୍ତି। ହ୍ବାଟ୍‌ସଆପ୍‌ ବ୍ୟାବହାରକାରୀଙ୍କ ଏଭଳି ତଥ୍ୟ ଚୋରି ଘଟଣା ପଛରେ ଇସ୍ରାଏଲ୍‌ ସଫ୍‌ଟୱେର୍‌ ଫାର୍ମର କି ସ୍ବାର୍ଥ ରହିଛି ତାହାର ଖୋଳତାଡ଼ ଆରମ୍ଭ ହୋଇଛି। ହ୍ବାଟ୍‌ସଆପ୍‌ ମାଧ୍ୟମରେ ‌ଏଭଳି ବଡ଼ ଧରଣର ଫୋନ୍‌ ହ୍ୟାକ୍‌ ପ୍ରକ୍ରିୟା କାର୍ଯ୍ୟକାରୀ କରିବା ପ୍ରଥମ ଘଟଣା ବୋଲି ଜଣାପଡ଼ିଛି । ବିଶ୍ବରେ ହ୍ବାଟ୍‌ସଆପ୍‌ର ୧୫୦ କୋଟି ବ୍ୟବହାରକାରୀ ରହିଥିବା ବେଳେ ସେଥିରୁ କେବଳ ଭାରତରେ ୪୦ କୋଟି ରହିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe