ମୁମ୍ବାଇରେ ରହୁଛନ୍ତି ଜୋ’ ବାଇଡେନ୍‌ଙ୍କ ପାଞ୍ଚଜଣ ଦୂର ସମ୍ପର୍କୀୟ

Advertisment
ମୁମ୍ବାଇରେ ରହୁଛନ୍ତି ଜୋ’ ବାଇଡେନ୍‌ଙ୍କ ପାଞ୍ଚଜଣ ଦୂର ସମ୍ପର୍କୀୟ

Image Courtesy of India Today

ମୁମ୍ବାଇ: ୨୦୧୩ରେ ଭାରତର ଅର୍ଥନୈତିକ ରାଜଧାନୀ ମୁମ୍ବାଇକୁ ଆସିଥିବା ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି-ନିର୍ବାଚିତ ଜୋ’ ବାଇଡେନ୍‌ ଏକ ସଭାରେ ଶ୍ରୋତାମାନଙ୍କୁ କହିଥିଲେ ଯେ, ତାଙ୍କର ଦୂର ସମ୍ପର୍କୀୟମାନେ ମୁମ୍ବାଇରେ ବାସ କରୁଛନ୍ତି।

ଦୁଇ ବର୍ଷ ପରେ ୱାସିଂଟନ୍‌ରେ ଏକ କାର୍ଯ୍ୟକ୍ରମରେ ଜୋ’ ବାଇଡେନ୍‌ ତାଙ୍କ ଦାବିର ପୁନରାବୃତ୍ତି କରି କହିଥିଲେ ଯେ, ମୁମ୍ବାଇରେ ପାଞ୍ଚଜଣ ବାଇଡେନ୍‌ ରହୁଛନ୍ତି।

କେତେ ଦଶନ୍ଧି ତଳେ ‌ସିନେଟର୍‌ ହେବା ପରେ ମୁମ୍ବାଇରୁ ‘ବାଇଡେନ୍‌’ ସାଜ୍ଞା ଥିବା କୌଣସି ବ୍ୟକ୍ତିଙ୍କ ଚିଠି ପାଇ ଜୋ’ ବାଇଡେନ୍‌ ଜାଣିଲେ ଯେ, ତାଙ୍କ ଜେଜେଙ୍କ ଗୋସେଇଁ ଜେଜେ (ଗ୍ରେଟ୍‌, ଗ୍ରେଟ୍‌, ଗ୍ରେଟ୍‌, ଗ୍ରେଟ୍‌, ଗ୍ରେଟ୍‌ ଗ୍ରାଣ୍ଡ୍‌ଫାଦର୍‌) ଜର୍ଜ ବାଇଡେନ୍‌ ‘ଇ‌ଷ୍ଟ୍‌ ଇଣ୍ଡିଆ କମ୍ପାନି’ରେ କ୍ୟାପ୍‌ଟେନ୍ ଚାକିରି କରୁଥିଲେ। ଅବସର ଗ୍ରହଣ କରିବା ପରେ ସେ ଭାରତରେ ସ୍ଥାୟୀ ଭାବେ ରହିବାକୁ ସ୍ଥିର କରି ଜଣେ ଭାରତୀୟ ମହିଳାଙ୍କୁ ବିବାହ କରିଥିଲେ।

୨୦୧୫ରେ ୱାସିଂଟନ୍‌ରେ ଭାରତ-ଆମେରିକା ବେସାମରିକ ଆଣବିକ ଚୁକ୍ତିର ୧୦ମ ବାର୍ଷିକୀ ଅବସରରେ ‘କନ୍‌ଫେଡେରେସନ୍‌ ଅଫ୍ ଇଣ୍ଡିଆନ୍‌ ଇଣ୍ଡଷ୍ଟ୍ରି ଆଣ୍ଡ୍‌ କାର୍ଣ୍ଣିଜ୍‌ ଏଣ୍ଡାଓମେଣ୍ଟ୍‌ ଫର୍ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ପିସ୍‌’ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ତତ୍‌କାଳୀନ ଉପରାଷ୍ଟ୍ରପତି ଜୋ’ ବାଇଡେନ୍ ଶ୍ରୋତାମାନଙ୍କୁ କହିଥିଲେ, ଭାତରର ମୁମ୍ବାଇରେ ୫ଜଣ ବାଇଡେନ୍‌ ରହୁଛନ୍ତି।

publive-image Image Courtesy of Politico

ଉପରାଷ୍ଟ୍ରପତି ହେବା ପରେ ୨୦୧୩ରେ ପ୍ରଥମ ଭାରତ ଗସ୍ତରେ ବାଇଡେନ୍‌ ସେ ଚିଠି କଥା କହିଥିଲେ। ୨୦୧୩ ଜୁଲାଇ ୧୪ ତାରିଖ ଦିନ ‘ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌’ରେ ଭାଷଣ ଦେଇ ବାଇଡେନ୍‌ ‘ମୁମ୍ବାଇର ବାଇଡେନ୍‌’ଙ୍କ କାହାଣୀ ବର୍ଣ୍ଣନା କରିଥିଲେ।

ସେ କହିଥିଲେ, ଭାରତକୁ ଫେରି ଆସିବା ଓ ମୁମ୍ବାଇରେ ପହଞ୍ଚିବା ସମ୍ମାନର କଥା। ଏଠାରେ କିଛି ସମୟ ପାଇଁ ଲିଖିତ ଭାଷଣର ବାହାରକୁ ଯାଉଛି। ୧୯୭୨ରେ ମୁଁ ୨୯ ବର୍ଷର ପିଲାଟିଏ ହୋଇଥିବା ବେଳେ ‘ଯୁକ୍ତରାଷ୍ଟ୍ର ଆମେରିକାର ସିନେଟ୍‌’କୁ ନିର୍ବାଚିତ ହୋଇଥିଲି। ସେତେବେଳ ମୁଁ ପାଇଥିବା ପ୍ରଥମ ଚିଠିଗୁଡ଼ିକରୁ ମୁମ୍ବାଇ ଚିଠି ଥିଲା ଗୋଟିଏ। ସେ ସମ୍ପର୍କରେ କୌଣସି ଅନୁସନ୍ଧାନ କରି ନ ଥିବାରୁ ମୁଁ ମନଦୁଃଖ କରେ।

ହୁଏ ତ ଶ୍ରୋତାମାନଙ୍କ ମଧ୍ୟରୁ କୌଣସି ‘ଜିନିଆଲୋଜିଷ୍ଟ୍‌’ ମୋ ତରଫରୁ ସେମାନଙ୍କ ଅନୁସନ୍ଧାନ କରିପାରନ୍ତି। କିନ୍ତୁ, ବାଇଡେନ୍‌ ନାମକ କୌଣସି ଭଦ୍ରଲୋକଙ୍କ ଠାରୁ ମୁଁ ଖଣ୍ଡେ ଚିଠି ପାଇଥିଲି। ମୁମ୍ବାଇରୁ ବାଇଡେନ୍‌- ମୋ ନାଁ ବି ବାଇଡେନ୍‌, ଆମେ ସମ୍ପର୍କୀୟ ହୋଇଥିବୁ।

ସେ ଆହୁରି ମଧ୍ୟ କହିଥିଲେ ଯେ, ଜଣେ ତାଙ୍କୁ ମୁମ୍ବାଇର ବାଇଡେନ୍‌ମାନଙ୍କ ଫୋନ୍‌ ନମ୍ବର ସମେତ ପୂର୍ଣ୍ଣ ବିବରଣୀ ଦେଇଛନ୍ତି, କିନ୍ତୁ ସେ କାହାରି ପାଖକୁ ଫୋନ୍‌ କରିନାହାନ୍ତି। ଫୋନ୍‌ କରିବେ ବୋଲି ଚିନ୍ତା କରୁଛନ୍ତି।

ସେ ପାଞ୍ଚଜଣ ବାଇଡେନ୍‌ଙ୍କ ସହ ଜୋ’ ବାଇଡେନ୍‌ ଯୋଗାଯୋଗ କରିବାରେ ସମର୍ଥ ହେଲେ କି, ନାହିଁ ତାହା ଜଣାପଡ଼ିନାହିଁ।

ଦୁଇ ମାସ ମଧ୍ୟରେ ୭୭ ବର୍ଷିୟ ‘ଡେମୋକ୍ରାଟ୍‌’ ବାଇଡେନ୍‌ ଯୁକ୍ତରାଷ୍ଟ୍ର ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେବାକୁ ଯାଉଥିବା ବେଳେ ଏପର୍ଯ୍ୟନ୍ତ ମୁମ୍ବାଇର କୌଣସି ବ୍ୟକ୍ତି ବାଇଡେନ୍‌ଙ୍କ ଆତ୍ମୀୟ ବୋଲି ଦାବି କରିବାକୁ ବାହାରି ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe