Image Courtesy of NDTV
ନୂଆଦିଲ୍ଲୀ: ୧୯୬୩ ମସିହା ଜାନୁଆରି ୨୭ରେ ଦିଲ୍ଲୀର ରାମଲୀଳା ମୈଦାନରେ ସହିଦ ଭାରତୀୟ ଯବାନଙ୍କ ଉଦ୍ଦେଶ୍ୟରେ ଲତା ମଙ୍ଗେସ୍କର୍ ପରିବେଶଣ କରିଥିଲେ ‘ଏ ମେରେ ୱତନ୍ କେ ଲୋଗୋଁ, ଜରା ଆଁଖ୍ ମେଁ ଭର୍ଲୋ ପାନି, ଜରା ୟାଦ୍ କରୋ କୁର୍ବାନି’ ଗୀତ। ଅନ୍ୟାନ୍ୟ ବହୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ସହ ପ୍ରଧାନମନ୍ତ୍ରୀ ଜବାହର୍ଲାଲ୍ ନେହେରୁ ମଧ୍ୟ ସେଠାରେ ଉପସ୍ଥିତ ଥିଲେ।
ଏ ଗୀତଟି ଶୁଣିବାକ୍ଷଣି ସେତେବେଳେ ଚୀନ୍ ସହ ହୋଇଥିବା ଯୁଦ୍ଧରେ ଭାରତ ପରାସ୍ତ ହୋଇଥିବାରୁ ଗଭୀର ମାନସିକ ଆଘାତ ପାଇଥିବା ଜବାହର୍ଲାଲ୍ ନେହେରୁଙ୍କ ଆଖିରେ ଲୁହ ଜକେଇ ଆସିଥିଲା।
୧୯୬୨ ଭାରତ-ଚୀନ୍ ଯୁଦ୍ଧରେ ସହିଦ ଭାରତୀୟ ଯବାନଙ୍କ ସମ୍ମାନାର୍ଥେ କବି ପ୍ରଦୀପ ଲେଖିଥିବା ଏହି ଗୀତଟିର ସୁରକାର ଥିଲେ ସି. ରାମଚନ୍ଦ୍ର। ଲତା ମଙ୍ଗେସ୍କର୍ ସୁଲଳିତ କଣ୍ଠ ନିସୃତ କବି ପ୍ରଦୀପଙ୍କର ଏହି ମର୍ମଭେଦୀ ତଥା ପ୍ରଭାବଶାଳୀ ଗୀତରେ ବିଭୋର ହୋଇ ନେହେରୁ କାନ୍ଦି ପକାଇଥିଲେ।
Image Courtesy of One Indiaଥରେ କୌଣସି ଏକ ସାକ୍ଷାତ୍କାରରେ ଲତା ମଙ୍ଗେସ୍କର୍ କହିଥିଲେ ଯେ, ପ୍ରଥମେ ସେ ‘ଏ ମେରେ ୱତନ୍ କେ ଲୋଗୋଁ’ ଗୀତ ଗାଇବାକୁ ଅଗ୍ରାହ୍ୟ କରି ଦେଇଥିଲେ। ତେଣୁ, ତାଙ୍କ ଭଉଣୀ ଆଶା ଭୋସ୍ଲେଙ୍କୁ ଚୟନ କରାଯାଇଥିଲା। କିନ୍ତୁ, କବି ପ୍ରଦୀପ ବୁଝାଇବାରୁ ଲତା ଏହି ଗୀତଟିକୁ ଗାଇବା ପାଇଁ ରାଜି ହୋଇଥିଲେ।
କବି ପ୍ରଦୀପ ମଧ୍ୟ କହିଥିଲେ ଯେ, ମୁମ୍ବାଇର ମାହିମ୍ ବେଳାଭୂମିରେ ବୁଲୁଥିବା ବେଳେ ‘ଏ ମେରେ ୱତନ୍ କେ ଲୋଗୋଁ’ ପଙ୍କ୍ତି ସବୁ ତାଙ୍କ ମନକୁ ଆସିଥିଲା। ସେତେବେଳେ ତାଙ୍କ ପାଖରେ କାଗଜ ଓ କଲମ ନ ଥିବାରୁ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ଠାରୁ କଲମ ମାଗି ଆଣି ସିଗାରେଟ୍ ଖୋଳର ଆଲୁମିନିୟମ୍ ପତି ଉପରେ ପଙ୍କ୍ତି ସବୁ ଲେଖିଥିଲେ।
ସୂଚନାଯୋଗ୍ୟ, ପୂର୍ବରୁ ପ୍ରଧାନମନ୍ତ୍ରୀ ନେହେରୁ ହିଁ ଗାୟିକା ଲତା ମଙ୍ଗେସ୍କର୍ଙ୍କୁ ‘ଭାରତର କୋକିଳ’ ଆଖ୍ୟା ଦେଇଥିଲେ।
Follow Us