ମୁମ୍ବାଇ:  ମହାରାଷ୍ଟ୍ରର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ହୁସେନ୍ ଦଲୱାଇ ସିନ୍ଧୁଦୁର୍ଗରେ ଛତ୍ରପତି ଶିବାଜୀ ମହାରାଜଙ୍କ ୩୫ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତି ଭୁଶୁଡ଼ିବା ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ଏହି ଘଟଣା ରାଜ୍ୟ ସରକାରଙ୍କ ପାଇଁ ରାଜନୈତିକ ବିବାଦ ଏବଂ ଲଜ୍ଜାଜନକ ଘଟଣା ସୃଷ୍ଟି କରିଛି। ଗଣମାଧ୍ୟମକୁ ସମ୍ବୋଧିତ କରି ଦଲୱାଇ ଏହି ପ୍ରତିମୂର୍ତ୍ତିର ସ୍ଥାନ ଚୟନକୁ ନେଇ ନିରାଶ ବ୍ୟକ୍ତ କରିଛନ୍ତି।

Advertisment

ସେ କହିଛନ୍ତି ଯେ ଯଦି ମୂର୍ତ୍ତିକୁ ପାଣିରେ ସ୍ଥାପନ କରିବା ଉଦ୍ଦେଶ୍ୟ ଥିଲା ତେବେ ଏହା ମୁମ୍ବାଇରେ ହୋଇ ପାରିଥାନ୍ତା। ଯେଉଁଠାରେ ଏପରି ପ୍ରକଳ୍ପ ପାଇଁ ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା। ସେ କହିଛନ୍ତି, ଏହା ମୂର୍ଖତା। ଏହାଦ୍ବାରା ଶିବାଜୀ ମହାରାଜଙ୍କ ପ୍ରତି ସେମାନଙ୍କର କେତେ ସମ୍ମାନ ଅଛି ତାହା ଜଣାପଡୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁଠାରେ ଏକ ପ୍ରତିମୂର୍ତ୍ତିର ଉଦ୍‌ଘାଟନ କରନ୍ତି, ସେଠାରେ ସମସ୍ୟା ଉପୁଜିଥାଏ ।

ଦଲୱାଇ ସମାଲୋଚନା କରି ନୂତନ ସଂସଦ ଭବନ ଏବଂ ଅଟଳ ସେତୁ ବ୍ରିଜ ବିଷୟରେ ଉଲ୍ଲେଖ କରିବା ସହ ଅଭିଯୋଗ କରିଛନ୍ତି ଯେ ସମସ୍ତ ନୂତନ ପ୍ରକଳ୍ପ ସମସ୍ୟାର ସମ୍ମୁଖୀନ ହେଉଛି। ଦଲୱାଇ କହିଛନ୍ତି, ପ୍ରଧାନମନ୍ତ୍ରୀ ଯେଉଁଆଡେ ଯାଆନ୍ତି ସେଠାରେ ସମସ୍ୟା ଦେଖାଦେଇଥାଏ।

ପ୍ରଧାନମନ୍ତ୍ରୀ ଅର୍ଥନୀତିକୁ ନଷ୍ଟ କରିଦେଇଛନ୍ତି ଏବଂ ଦେଶରେ ବେକାରୀ ବୃଦ୍ଧି କରିଛନ୍ତି। ଏହି ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣା ଏକ ରାଜନୈତିକ ପ୍ରସଙ୍ଗ ପାଲଟିଥିବା ବେଳେ ଶିବସେନା (ୟୁଟିବି) ନେତା ଆଦିତ୍ୟ ଠାକରେ ଏହି ଘଟଣାରେ ବିଜେପିକୁ ସମାଲୋଚନା କରିଛନ୍ତି। ଆଦିତ୍ୟ ବିଜେପି ଦଳ ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗ କରିଛନ୍ତି।

ରାଜ୍ୟରେ ବିଜେପି ଦଳ ଖରାପ କାମ କରୁଥିବା ସେ ଅଭିଯୋଗ କରିଛନ୍ତି। ଏକ୍ସରେ ପୋଷ୍ଟ କରାଯାଇଥିବା ଏକ ବିବୃତିରେ ଆଦିତ୍ୟ କହିଛନ୍ତି ଯେ ଆମ ଦେବତା ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ମଧ୍ୟ ବିଜେପିର ଦୁର୍ନୀତିର ବିଷୟ ହେବ ବୋଲି କଳ୍ପନା କରାଯାଇ ନ ଥିଲା। 

ଅଧିକ ପଢ଼ନ୍ତୁ: କୃଷକ ଆନ୍ଦୋଳନକୁ ନେଇ କଙ୍ଗନା ଦେଇଥିବା ବୟାନକୁ ବିରୋଧ କଲା ବିଜେପି

ଏହି ଘଟଣା ନେଇ ଭାରତୀୟ ନୌସେନା ମୁଣ୍ଡରେ ଦୋଷ ବୋଳିବାର ଚେଷ୍ଟା କରାଯାଉଥିବା ଆଦିତ୍ୟ ଅଭିଯୋଗ କରିଛନ୍ତି। ପ୍ରତିମୂର୍ତ୍ତିର ଉଦ୍‌ଘାଟନ ପ୍ରକୃତ ଭାବନା ପରିବର୍ତ୍ତେ ନିର୍ବାଚନୀ ଚିନ୍ତାଧାରା ଦ୍ୱାରା ପ୍ରେରିତ ହୋଇଥିବା ଜଣାପଡୁଛି ବୋଲି ସେ କହିଛନ୍ତି।

 ଡିସେମ୍ବର ୨୦୨୩ରେ ନୌସେନା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିବା ଏହି ପ୍ରତିମୂର୍ତ୍ତି ଏବେ ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ସମାଲୋଚନା ଏବଂ ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି।

ଅଧିକ ପଢ଼ନ୍ତୁ: ଟଏଲେଟ୍ ସିଟ୍ ନେଇ ବସ୍‌ରେ ଯାଉଥିବା ମହିଳାଙ୍କ ଭିଡ଼ିଓ ଭାଇରାଲ