Image Courtesy of Hindustan Times
ଜେନିଭା: ନଭେଲ୍ କରୋନାଭାଇରସ୍ ବାୟୁ ଦ୍ବାରା ବ୍ୟାପୁଥିବା ପ୍ରମାଣକୁ ମଙ୍ଗଳବାର ଦିନ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସ୍ବୀକାର କରିଛି। ଏହି ଶ୍ବାସପ୍ରଶ୍ବାସଜନିତ ରୋଗ ବାୟୁବାହିତ ହୋଇ ଲୋକମାନଙ୍କ ଦେହକୁ ବ୍ୟାପୁଛି ବୋଲି ଦଳେ ବୈଜ୍ଞାନିକ ପ୍ରମାଣ କରିବା ସହ କୋଭିଡ୍-୧୯ ସଂକ୍ରମଣ ଗାଇଡାନ୍ସ୍ ନବୀକରଣ କରିବାକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ନିକଟରେ ଦାବି କରିଥିଲେ।
ସାମ୍ବାଦିକ ସମ୍ମିଳନୀରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର କୋଭିଡ୍-୧୯ ମହାମାରୀର ବୈଷୟିକ ନେତୃତ୍ବ ନେଉଥିବା ମାରିଆ ଭ୍ୟାନ୍ କେର୍ଖୋଭ୍ କହିଛନ୍ତି, କୋଭିଡ୍-୧୯ ବିସ୍ତାରର ଅନ୍ୟତମ ମାଧ୍ୟମ ଭାବେ ଆମେ ବାୟୁବାହିତ ଓ ବାୟୁମିଶ୍ରିତ ସଂକ୍ରମଣ ପ୍ରସଙ୍ଗରେ ଆଲୋଚନା କରି ଆସୁଥିଲୁ।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପୂର୍ବରୁ କହିଥିଲା ଯେ, ଏହି ରୋଗ ସଂକ୍ରମଣ ମୁଖ୍ୟତଃ ସଂକ୍ରମିତ ବ୍ୟକ୍ତିର ନାକ କିଂବା ପାଟିରୁ ବାହାରୁ ଥିବା ଅତି ସୂକ୍ଷ୍ମ ଜଳକଣା ଦ୍ବାରା ଜଣେ ଲୋକ ଠାରୁ ଅନ୍ୟ ଜଣେ ଲୋକ ଶରୀରରେ ପ୍ରବେଶ କରୁଛି। ଏହି ସୂକ୍ଷ୍ମ ଜଳକଣା କାଶ, ଛିଙ୍କ ବା କଥାବାର୍ତ୍ତା ଦ୍ବାରା ଦେହରୁ ବାହାରକୁ ଆସି ତୁରନ୍ତ ମାଟିରେ ମିଶିଯାଇଥାଏ।
କରୋନାଭାଇରସ୍ ମଧ୍ୟ ବାୟୁବାହିତ ବୋଲି ଏକ ଖୋଲା ଚିଠିରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନକୁ ଏ ପ୍ରସଙ୍ଗରେ ବୈଜ୍ଞାନିକମାନେ ସୂଚନା ଦେଇଥିଲେ। ୩୨ ଦେଶର ୨୩୯ ଜଣ ବୈଜ୍ଞାନିକ କରୋନାଭାଇରସ୍ ସଂକ୍ରମଣର ମାଧ୍ୟମ ଉପରେ ଗବେଷଣା କରି ପ୍ରସ୍ତୁତ କରିଥିବା ଏହି ଆଲେଖ୍ୟ ଆସନ୍ତା ସପ୍ତାହରେ କୌଣସି ଏକ ବୈଜ୍ଞାନିକ ଜର୍ଣ୍ଣାଲ୍ରେ ପ୍ରକାଶ ପାଇବ।
କେହି ଜଣେ କରୋନାଭାଇରସ୍ ଆକ୍ରାନ୍ତ ବ୍ୟକ୍ତି ଛିଙ୍କିବା ପରେ ବାହାରୁ ଥିବା ବଡ଼ ଆକାର ବା ଛୋଟ ଆକାର ଜଳକଣା ବାୟୁରେ ଉଡ଼ି ବୁଲେ ଏବଂ ଲୋକେ ସେ ବାୟୁ ନିଃଶ୍ବାସରେ ଗ୍ରହଣ କରି ସଂକ୍ରମିତ ହୁଏ ବୋଲି ସମ୍ପୃକ୍ତ ବୈଜ୍ଞାନିକମାନେ କହିଛନ୍ତି।
Follow Us