ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ରୁଷ୍ର ତେଲ ଉପରେ ଅଷ୍ଟ୍ରେଲିଆ, ବ୍ରିଟେନ୍, ଆମେରିକା ଓ କାନାଡା କଟକଣା ଲଗାଇଛନ୍ତି। ୟୁରୋପୀୟ ସଂଘ ଏବେବି ଏହି ପ୍ରସଙ୍ଗରେ ବିଭାଜିତ ରହିଛି। ରୁଷ୍ ତେଲ ଉପରେ କଟକଣା ଲଗାଇବା ଲାଗି ୨୭ଟି ଦେଶକୁ ନେଇ ଗଠିତ ଏହି ସଂଘ ନିଷ୍ପତ୍ତି ନେଇପାରୁନାହିଁ। ଜର୍ମାନି କହୁଛି ଯେ ତରବରିଆ ଭାବେ ନିଷ୍ପତ୍ତି ନେଲେ ଅର୍ଥନୀତି ପ୍ରତି ମାନ୍ଦାବସ୍ଥା ବିପଦ ଦେଖାଦେବ। ହଙ୍ଗେରି ମଧ୍ୟ କଟକଣାକୁ ବିରୋଧ କରୁଛି। ଜର୍ମାନି ଓ ପୋଲାଣ୍ଡ ଚଳିତ ବର୍ଷ ଶେଷ ସୁଦ୍ଧା ରୁଷ୍ର ବିକଳ୍ପ ସନ୍ଧାନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଚୀନ୍ ଯେଉଁ ପୁରୁଣା ବରାଦ ଦେଇଥିଲା ସେହି ଅନୁସାରେ ରୁଷ୍ରୁ ତେଲ ଆଣୁଛି। କିନ୍ତୁ ନୂଆ ବରାଦ ଦେଉନାହିଁ। ଏହି ସମୟରେ ରିହାତି ଦରରେ ମିଳୁଥିବା ତେଲକୁ ଭାରତ କିନ୍ତୁ ଅଧିକ ମାତ୍ରାରେ କିଣିବା ଜାରି ରଖିଛି। ଫେବ୍ରୁଆରି ୨୪ରେ ୟୁକ୍ରେନ୍ ଉପରେ ରୁଷ୍ ଆକ୍ରମଣ କରିବା ପରଠାରୁ ରୁଷ୍ରୁ ଭାରତ ୧୬ ନିୟୁତ ବ୍ୟାରେଲ ତେଲ କିଣିସାରିଲାଣି। ରୁଷ୍ରୁ ଏବେ ଭାରତର ଭାରତ ପେଟ୍ରୋଲିୟମ୍, ହିନ୍ଦୁସ୍ତାନ ପେଟ୍ରୋଲିୟମ୍, ଇଣ୍ଡିଆନ ଅଏଲ୍, ନାୟରା ଏନର୍ଜି; ଗ୍ରିସ୍ର ହେଲେନିକ୍ ପେଟ୍ରୋଲିୟମ୍; ଇଟାଲିର ଇସାବ୍, ଜର୍ମାନିର ଲେଉନା, ମିରୋ; ବୁଲଗାରିଆର ନେଫ୍ଟୋଚିମ୍ ବୁର୍ଗାସ୍ , ଇଣ୍ଡୋନେସିଆର ପେଟ୍ରାମିନା, ପୋଲାଣ୍ଡର ପିକେଏନ୍ ଓରଲେନ୍; ନେଦରଲ୍ୟାଣ୍ଡ୍ର ରୋଟରଡାନ୍ ରିଫାଇନାରି ଓ ଜିଲ୍ୟାଣ୍ଡ୍ ରିଫାଇନାରି ଓ ଚୀନ୍ର ସିନୋପେକ୍ ରୁଷ୍ ତେଲ କିଣିବା ଜାରି ରଖିଛନ୍ତି କିମ୍ବା ବନ୍ଦ କରିବା ଲାଗି ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହାନ୍ତି।
ୟୁକ୍ରେନ୍ ଆକ୍ରମଣ ପୂର୍ବରୁ ରୁଷ୍ରୁ ତେଲ କିଣୁଥିବା ବ୍ରିଟେନ୍ର ବିପି, ଜାପାନର ଇନିଓସ୍, ଇଟାଲିର ଇଏନଆଇ, ନରୱେର ଇକ୍ବିନର, ପର୍ତୁଗାଲର ଗାଲ୍ପ, ଫିନ୍ଲ୍ୟାଣ୍ଡ୍ର ନେଷ୍ଟି, ସ୍ପେନ୍ର ରେପ୍ସୋଲ୍, ଫ୍ରାନ୍ସର ଟୋଟାଲ୍ ଏନର୍ଜିସ୍ ଓ ସ୍ବିଜରଲ୍ୟାଣ୍ଡ୍ର ଭାରୋ ଏନର୍ଜି ରୁଷ୍ରୁ ତେଲ କିଣିବା ବନ୍ଦ କରିଦେଇଛନ୍ତି।
Follow Us