ଅଗ୍ନିପଥ ଯୋଜନା: କିଏ କ’ଣ କହିଲେ

Advertisment
ଅଗ୍ନିପଥ ଯୋଜନା: କିଏ କ’ଣ କହିଲେ

Aaj Tak

ଅମିତ ଶାହ, (କେନ୍ଦ୍ର ଗୃହମନ୍ତ୍ରୀ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଯୁବଗୋଷ୍ଠୀଙ୍କ ଭବିଷ୍ୟତ ପ୍ରତି ସର୍ବଦା ଧ୍ୟାନ ଦେଉଛନ୍ତି। ଅଗ୍ନିପଥ ଯୋଜନା ଅଧୀନରେ ବୟସ ସୀମା ବଢ଼ିବା ଦ୍ବାରା ଯୁବଗୋଷ୍ଠୀ ବିଶେଷ ଉପକୃତ ହେବେ। କରୋନା ମହାମାରୀ ପାଇଁ ଗତ ୨ ବର୍ଷ ହେବ ସେନାରେ ନିଯୁକ୍ତି ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ଦେଶର ଯୁବଗୋଷ୍ଠୀଙ୍କ ଯତ୍ନ ନିଅନ୍ତି। ସରକାର ଅଗ୍ନିବୀରଙ୍କ ବୟସ ସୀମା ୨୧ରୁ ୨୩କୁ ବୃଦ୍ଧି ସଂକ୍ରାନ୍ତ ନିଷ୍ପତ୍ତି ନେଇ ସମ୍ବେଦନଶୀଳତା ଦେଖାଇଛନ୍ତି। ଏହାଦ୍ବାରା ଯୁବଗୋଷ୍ଠୀଙ୍କ ଭବିଷ୍ୟତ ଉଜ୍ଜ୍ବଳ ହୋଇପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁଁ ଏଥିପାଇଁ ଧନ୍ୟବାଦ ଜଣାଉଛି।

ଶରଦ ଯାଦବ (ଆର୍‌ଜେଡି ନେତା): ଅଗ୍ନିପଥ ଯୋଜନା ଏକ ସଂସ୍କାର ନୁହେଁ। ସେନାବାହିନୀରେ ନିଯୁକ୍ତି ପାଇଁ ରହିଥିବା ବର୍ତ୍ତମାନର ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ନଷ୍ଟ କରିଦେବା ପାଇଁ ଏହା ଏକ ଉଦ୍ୟମ। ସରକାର ଏହି ଯୋଜନାର ପୁନଃ ନିରୀକ୍ଷଣ କରନ୍ତୁ। ମାତ୍ର ୪ ବର୍ଷର କାର୍ଯ୍ୟକାଳ ଚିନ୍ତାଜନକ। ଦକ୍ଷତାର ଅପବ୍ୟବହାର ହେବା ସମ୍ଭାବନା ବହୁତ ଅଧିକ ରହିଛି।

କେସି ବେଣୁଗୋପାଳ (କଂଗ୍ରେସ ସାଂସଦ): ଅଗ୍ନିପଥ ଯୋଜନାକୁ ବିରୋଧ କରି ଦେଶବ୍ୟାପୀ ହିଂସା ବଢ଼ିଥିବାରୁ ସଂସଦର ପ୍ରତିରକ୍ଷା ଷ୍ଟାଣ୍ଡିଂ କମିଟି ତୁରନ୍ତ ଜରୁରୀ ବୈଠକ ଡାକନ୍ତୁ ଏବଂ ସମସ୍ତ ପକ୍ଷ , ପ୍ରତିରକ୍ଷା ବିଶେଷଜ୍ଞଙ୍କ ସହ ଏନେଇ ଆଲୋଚନା କରାଯାଉ।

ଏସ୍‌ ଜୟଶଙ୍କର (ବିଦେଶ ମନ୍ତ୍ରୀ): ଅଗ୍ନିପଥ ନିଯୁକ୍ତି ଯୋଜନା ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଯୁବଗୋଷ୍ଠୀଙ୍କ ନିଯୁକ୍ତି ଏବଂ ଦେଶସେବା ପାଇଁ ଅପୂର୍ବ ସୁଯୋଗ ଆଣିଦେଇଛି। କରୋନା ମହାମାରୀ ଯୋଗୁଁ ଯେଉଁମାନଙ୍କ ନିଯୁକ୍ତି ଚିନ୍ତା ରହିଥିଲା ସରକାର ସେମାନଙ୍କ ପ୍ରତି ବି ସମ୍ବେଦନଶୀଳତା ଦେଖାଇ ବୟସ ସୀମା ବୃଦ୍ଧି କରିଛନ୍ତି।

ପ୍ରିୟଙ୍କା ଗାନ୍ଧି (କଂଗ୍ରେସ ସାଧାରଣ ସମ୍ପାଦିକା): ପ୍ରଧାନମନ୍ତ୍ରୀ ନ‌ରେନ୍ଦ୍ର ମୋଦୀ ତୁରନ୍ତ ଏହି ଯୋଜନାକୁ ପ୍ରତ୍ୟାହାର କରିନିଅନ୍ତୁ। ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ର ସରକାର ନିଯୁକ୍ତି ଯୋଜନାର ନିୟମ ପରିବର୍ତ୍ତନ ତଥା ବୟସସୀମା ବଢ଼ାଇବାର ଅର୍ଥ ‌ହେଉଛି ଏହି ନିଷ୍ପତ୍ତି ତରବରିଆ ଭାବେ ନିଆଯାଇଛି।

ଭୂପେଶ ବାଘେଲ, (ଛତିଶଗଡ଼ ମୁଖ୍ୟମନ୍ତ୍ରୀ): ସରକାର ଦେଶର ସୁରକ୍ଷା ଏବଂ ଯୁବଗୋଷ୍ଠୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି। ତୁରନ୍ତ ଏହି ଯୋଜନା ପ୍ରତ୍ୟାହାର କରାଯାଉ। ଅସ୍ତ୍ରଶସ୍ତ୍ର ତାଲିମ ନେଉଥିବା ଯୁବଗୋଷ୍ଠୀ ୪ ବର୍ଷର କାର୍ଯ୍ୟକାଳ ଶେଷ ହେବାପରେ ଅପରାଧିକ କାର୍ଯ୍ୟକଳାପରେ ଯୋଗ ଦେଇପାରନ୍ତି।

ଆଡମିରାଲ୍‌ ଆର୍‌ ହରି କୁମାର (ନୌସେନା ମୁଖ୍ୟ): ଏଭଳି ଆନ୍ଦୋଳନ ହେବ ବୋଲି ଆଶା କରିନଥିଲି। ଆମେ ପ୍ରାୟ ‌ଦେଢ଼ବର୍ଷ ଧରି ଅଗ୍ନିପଥ ଯୋଜନାରେ କାମ କରିଛୁ। ଭାରତୀୟ ସେନାରେ ମାନବ ସମ୍ବଳ ପରିଚାଳନା ପରିବର୍ତ୍ତନ କ୍ଷେତ୍ରରେ ଏହା ସବୁଠୁ ବଡ଼ ପଦକ୍ଷେପ। ଭୁଲ୍‌ ଖବର ଏବଂ ଭୁଲ୍‌ ବୁଝାମଣା ପାଇଁ ଆନ୍ଦୋଳନ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe