Wikipedia
ଭୁବନେଶ୍ବର: ଦେଶର ଉଚ୍ଚଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବାକୁ କେନ୍ଦ୍ର ସରକାର ୨୦୨୦ରେ ଜାତୀୟ ଶିକ୍ଷା ନୀତି(ଏନ୍ଇପି) ଆଣିଥିଲେ। ଛାତ୍ରଛାତ୍ରୀଙ୍କ ପାଇଁ ସମୟୋପଯୋଗୀ ପାଠ୍ୟକ୍ରମରେ ଶିକ୍ଷାଦାନ ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଏହି ନୀତିକୁ ୨୦୨୧ରେ କର୍ଣ୍ଣାଟକ ରାଜ୍ୟ ପ୍ରଥମେ ଲାଗୁ କରିଥିଲା। ପରବର୍ତ୍ତୀ ସମୟରେ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ସମେତ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକ ଏଦିଗରେ ପଦକ୍ଷେପ ନେଇଛନ୍ତି। ସିଲାବସ୍ ପରିବର୍ତ୍ତନ ସହ ପାଠପଢ଼ା ଢାଞ୍ଚାରେ ପରିବର୍ତ୍ତନ ହୋଇଛି। ତେବେ ୪ ବର୍ଷ ବିତିଯାଇଥିଲେ ମଧ୍ୟ ଓଡ଼ିଶାରେ ଏନ୍ଇପି କାର୍ଯ୍ୟକାରୀ ହୋଇପାରି ନାହିଁ। ଉଚ୍ଚଶିକ୍ଷା ବିଭାଗ ଏକାଧିକ ଥର ସମୀକ୍ଷା ବୈଠକ କରିଥିଲେ, କିଭଳି ଭାବେ ଏନ୍ଇପି ଲାଗୁ କରାଯିବ ତାହାର ରୂପରେଖ ପ୍ରସ୍ତୁତ କରିବାକୁ ଟାସ୍କଫୋର୍ସକୁ ଦାୟିତ୍ବ ଦିଆଯାଇଥିଲା। ଏତେ ସବୁ ପରେ ମଧ୍ୟ ଆଜି ଯାଏଁ ଓଡ଼ିଶାରେ ଏନ୍ଇପିର କୌଣସି ନାଁ ଗନ୍ଧ ହିଁ ନାହିଁ। ୟୁଜି(ସ୍ନାତକ)ରେ ଲାଗୁ କରିବାକୁ ଦୁଇ ବର୍ଷ ହେଲା ସିଲାବସ୍ ପ୍ରସ୍ତୁତ ଚାଲିଥିଲେ ମଧ୍ୟ ତାହା ଶେଷ ହୋଇପାରି ନାହିଁ। ପିଜିରେ ତ ଆଉ କେତେ ବର୍ଷ ଲାଗିବ ତାହାକୁ ନେଇ ଅନିଶ୍ଚିତତା ଲାଗିରହିଛି।
ଯଦି ଉଚ୍ଚଶିକ୍ଷା କଥା ବିଚାରକୁ ନିଆଯାଏ ଏନ୍ଇପି-୨୦୨୦ ଲାଗୁ ହେବା ପରେ ପିଜି ସ୍ତରରେ ତିନି-ବର୍ଷିଆ ଓ ଚାରି ବର୍ଷିଆ ଡିଗ୍ରି ରହିବ। ପିଲାମାନେ ଇଚ୍ଛାନୁସାରେ କଳା, ବିଜ୍ଞାନ, ବାଣିଜ୍ୟ, କ୍ରୀଡ଼ା, ସଙ୍ଗୀତ ଓ ଧନ୍ଦାମୂଳକ ପରି ଯେ କୌଣସି ବିଷୟ ଚୟନ କରିପାରିବେ। ଏପରିକି ଇଞ୍ଜିନିୟରି˚, ମେଡିକାଲ, ମ୍ୟାନେଜମେଣ୍ଟ ଭଳି ବିଷୟ ମଧ୍ୟ ନେଇପାରିବେ। ପିଲାଟି ଯେକୌଣସି ବର୍ଷର ପରୀକ୍ଷା ପରେ ପାଠପଢ଼ା ଛାଡ଼ି ପରବର୍ତ୍ତୀ ସମୟରେ ଯୋଗ ଦେଇ ସ୍ନାତକ ଡିଗ୍ରି ପାଇପାରିବ। ଯୁକ୍ତ୩ ସ୍ତରରେ କିଛି ଗବେଷଣା କଲେ ଚାରିବର୍ଷିଆ ସ୍ନାତକ ଡିଗ୍ରି ମିଳିବ। ତିନି ବର୍ଷିଆ ସ୍ନାତକ ଡିଗ୍ରିଧାରୀମାନେ ସ୍ନାତକୋତ୍ତର ଉପାଧି ପାଇଁ ଦୁଇ ବର୍ଷ ଓ ଚାରି-ବର୍ଷିଆ ସ୍ନାତକମାନେ ଗୋଟିଏ ବର୍ଷ ପଢ଼ିବେ। ଏମ୍.ଫିଲ୍. ପାଠ୍ୟକ୍ରମ ସମ୍ପୂର୍ଣ୍ଣ ଭାବେ ଉଠାଇ ଦିଆଯିବ। ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ସ୍ତରର ଏକକ ପ୍ରବେଶିକା ପରୀକ୍ଷା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନ୍ଟିଏ) ଦ୍ବାରା ପରିଚାଳିତ ହେବ। କେତେକ ବିଶ୍ବବିଦ୍ୟାଳୟ ଗବେଷଣା-କେନ୍ଦ୍ରିତ ଓ ଆଉ କିଛି ଶିକ୍ଷାଦାନ-କେନ୍ଦ୍ରିତ ହେବ। ନୂଆ ମଲଟିଡିସିପ୍ଲିନାରି ଏଜୁକେସନ ରିସର୍ଚ୍ଚ ୟୁନିଭରସିଟି(ଏମ୍ଇଆର୍ୟୁ) ପ୍ରତିଷ୍ଠା କରାଯିବ। ବିଦେଶୀ ବିଶ୍ବବିଦ୍ୟାଳୟଗୁଡ଼ିକୁ ଭାରତରେ ଶାଖା ଖୋଲିବା ପାଇଁ ପ୍ରୋତ୍ସାହିତ କରାଯିବ। ମହାବିଦ୍ୟାଳୟଗୁଡ଼ିକ କେବଳ ଶିକ୍ଷା ପ୍ରଦାନକାରୀ ଅନୁଷ୍ଠାନ ଭାବରେ କାର୍ଯ୍ୟ କରିବେ। ଧୀରେ ଧୀରେ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ସ୍ବୟ˚ଶାସିତ ହେବେ ବୋଲି ଏନ୍ଇପିରେ ଉଲ୍ଲେଖ ହୋଇଛି।
ଏହାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ୨୦୨୦ରେ ତତ୍କାଳୀନ ରାଜ୍ୟ ସରକାର ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କଫୋର୍ସ ଗଠନ କରିଥିଲେ। ଯେଉଁଥିରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ସଚିବ ଓ ଅଧିକାରୀମାନେ ସଦସ୍ୟ ରହିଥିଲେ। ଟାସ୍କଫୋର୍ସକୁ ସହଯୋଗ କରିବାକୁ ୧୦ ଜଣ ନିମନ୍ତ୍ରିତ ଅତିଥି ରହିଥିବା ବେଳେ ୬ଟି ସବ୍ କମିଟି ଗଠନ ହୋଇଥିଲା। ଏହି ଟାସ୍କଫୋର୍ସରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ସମେତ ମହିଳା ଓ ଶିଶୁ ବିକାଶ ବିଭାଗ, ଅର୍ଥ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଏସ୍ଟି ଓ ଏସ୍ ଉନ୍ନୟନ, ପଛୁଆ ବର୍ଗ ଉନ୍ନୟନ ବିଭାଗ, ଉଚ୍ଚଶିକ୍ଷା ସଚିବ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସଚିବ ସଦସ୍ୟ ରହିଥିଲେ। ଗଣଶିକ୍ଷା ବିଭାଗର ଅତିରିକ୍ତ/ଯୁଗ୍ମ ସଚିବଙ୍କୁ ଟାସ୍କଫୋର୍ସର ଆବାହକ ଭାବେ ନିଯୁକ୍ତି ଦିଆଯାଇଥିଲା। ଟାସ୍କଫୋର୍ସ କେତେଦୂର କାମ କଲା ଏବଂ କେତେ ସଫଳତା ମିଳିଲା ସେନେଇ କାହା ପାଖରେ ଉତ୍ତର ନାହିଁ। ୨୦୨୩ ଡିସେମ୍ବରରେ ବିଶ୍ବବିଦ୍ୟାଳୟ କୁଳପତିମାନଙ୍କ ସମ୍ମିଳନୀରେ ରାଜ୍ୟପାଳ ରଘୁବର ଦାସ ଏହାଉପରେ ଗୁରୁତ୍ବ ଦେଇଥିଲେ। ସବୁ ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ଉଚ୍ଚଶିକ୍ଷା କ୍ଷେତ୍ରରେ ଏନ୍ଇପି ଲାଗୁ ହୋଇପାରି ନଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଉଚ୍ଚଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଏନ୍ଇପି ଲାଗୁ କରିବାକୁ ପ୍ରସ୍ତୁତି ଚାଲିଛି। ୨୦୨୪-୨୫ ଶିକ୍ଷାବର୍ଷରେ ୟୁଜି ସ୍ତରରେ ଏନ୍ଇପି କାର୍ଯ୍ୟକାରୀ କରାଯିବ। ୪୦ଟି ସିଲାବସ୍ର କାମ ଶେଷ ହୋଇଛି। ପିଜି ସ୍ତରରେ ଲାଗୁ କରିବାକୁ ସମୟ ଲାଗିବ। ତେଣୁ ବିଶ୍ବବିଦ୍ୟାଳୟଗୁଡ଼ିକ ସେଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି।
Follow Us