ଜାଣନ୍ତୁ କେମିତି ଆରମ୍ଭ ହୋଇ ସଫଳତାର ସହ ଶେଷ ‌ହେଲା ବନ୍ଦୀ ଯବାନ ରାକେଶ୍ବରଙ୍କୁ ଫେରାଇ ଆଣିବାର ପୂରା ପ୍ରକ୍ରିୟା

ଜାଣନ୍ତୁ କେମିତି ଆରମ୍ଭ ହୋଇ ସଫଳତାର ସହ ଶେଷ ‌ହେଲା ବନ୍ଦୀ ଯବାନ ରାକେଶ୍ବରଙ୍କୁ ଫେରାଇ ଆଣିବାର ପୂରା ପ୍ରକ୍ରିୟା

ବିଜାପୁର: ଶେଷରେ ସାରା ଦେଶର ଉତ୍କଣ୍ଠା ଓ ଉତ୍ସୁକତାର ଅବସାନ ଘଟିଛି। ଗତ ୫ଦିନ ତଳେ ଛତିଶଗଡ଼ର ବିଜାପୁର ନିକଟରେ ମାଓବାଦୀଙ୍କ ସହ ସିଆରପିଏଫ ଯବାନଙ୍କ ଗୁଳି ବିନିମୟ ପରେ ମାଓବାଦୀଙ୍କ କବଳରେ ପଡ଼ିଥିବା କୋବ୍ରା ବାଟାଲିୟନର ଯବାନ ରାକେଶ୍ବର ସିଂହ ମାନହାସ ମୁକ୍ତ ହୋଇଛନ୍ତି। ଏପ୍ରିଲ ୩ତାରିଖରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଘଟଣାରେ ୨୨ଜଣ ଯବାନ ସହିଦ ହୋଇଥିବା ବେଳେ ରାକେଶ୍ବରଙ୍କୁ ମାଓବାଦୀମାନେ ଅପହରଣ କରିନେଇଥିଲେ। ପ୍ରଥମେ ସେ ନିଖୋଜ ଥିବା କୁହାଯାଉଥିବା ବେଳେ ପରେ ମାଓବାଦୀଙ୍କ ପକ୍ଷରୁ ଏକ ପ୍ରେସ ବିବୃତି ଜାରି କରାଯାଇ ତାଙ୍କୁ ବନ୍ଦୀ କରାଯାଇଛି ବୋଲି ସୂଚନା ଦିଆଯାଇଥିଲା।

publive-image

ଏହାପରଠାରୁ ମାଓବାଦୀଙ୍କ ଦ୍ବାରା ବନ୍ଦୀ ହୋଇଥିବା ରାକେଶ୍ବରଙ୍କୁ ମୁକୁଳାଇବା ଲାଗି ପ୍ରୟାସ ଆରମ୍ଭ ହୋଇଥିଲା। ଗୋଟିଏ ପଟେ ଜମ୍ମୁ-କଶ୍ମୀରର ବାସିନ୍ଦା ରାକେଶ୍ବରଙ୍କ ପରିବାର ପକ୍ଷରୁ ଗଣମାଧ୍ୟମ ଜରିଆରେ ତାଙ୍କୁ ମୁୁକ୍ତ କରିବା ଲାଗି ନିବେଦନ କରାଯାଇଥିଲା। ଏହା ପରେ ମାଓବାଦୀମାନେ ସରକାରୀ ମଧ୍ୟସ୍ଥିଙ୍କ ସହ ଆଲୋଚନା କରିବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବେ ବୋଲି ସୂଚନା ଦେଇଥିଲେ। ତେବେ ରାକେଶ୍ବରଙ୍କ ମୁକ୍ତି ଲାଗି ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ସ୍ଥାନୀୟ ସାମ୍ବାଦିକ ଗଣେଶ ମିଶ୍ର ଓ ମୁକେଶ ଚକ୍ରଧର ପ୍ରମୁଖ।

publive-image

ଗଣେଶ ମିଶ୍ରଙ୍କ କହିବା ଅନୁସାରେ, ଯେବେଠାରୁ ସେ ଜଣେ ଯବାନ ଜୀବିତାବସ୍ଥାରେ ମାଓବାଦୀଙ୍କ ନିକଟରେ ବନ୍ଦୀ ଅଛନ୍ତି ବୋଲି ଜାଣିବାକୁ ପାଇଥିଲେ ସେବେଠାରୁ ତାଙ୍କୁ ମୁକୁଳାଇବାକୁ ଉଦ୍ୟମ ଆରମ୍ଭ କରିଥିଲେ। ସାମ୍ବାଦିକ ଶ୍ରୀ ମିଶ୍ର ମାଓବାଦୀଙ୍କ ସହ ଯୋଗାଯୋଗ କରିବା ଆରମ୍ଭ କରି ଯବାନଙ୍କ ଛୋଟ ଝିଅ କରିଥିବା ଆକୁଳ ନିବେଦନର ଭିଡିଓ ମଧ୍ୟ ପଠାଇଥିଲେ। ମାଓବାଦୀମାନେ ଏହାପରେ ରାକେଶ୍ବରଙ୍କର ଏକ ଭିଡିଓ ଜାରି କରି ସେ ଜୀବିତ ଓ ସୁସ୍ଥ ଅଛନ୍ତି ବୋଲି ସ୍ପଷ୍ଟ କରିଥିଲେ।

ପ୍ରଶାସନିକ ସ୍ତରରେ ମଧ୍ୟ ରାକେଶ୍ବରଙ୍କୁ ମୁକୁଳାଇବା ଉଦ୍ୟମ ଆରମ୍ଭ ହୋଇଥିଲା‌। ଛତିଶଗଡ଼ ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ଧରମପାଲ ସାଇନି ଓ ଗଣ୍ଡୱାନା ସମାଜର ମୁଖ୍ୟ ତେଲମ୍ ବୁରାଇୟାଙ୍କୁ ମାଓବାଦୀଙ୍କ ସହ ଆଲୋଚନା ଲାଗି ମଧ୍ୟସ୍ଥି ନିଯୁକ୍ତ କରାଯାଇଥିଲା। ଏହି ଦୁଇଜଣଙ୍କ ସହ ସ୍ଥାନୀୟ ସାମ୍ବାଦିକଙ୍କର ୭ ଜଣିଆ ପ୍ରତିନିଧି ଦଳ ମଧ୍ୟ ଜଙ୍ଗଲକୁ ଯାଇଥିଲା। ଦୁଇ ମଧ୍ୟସ୍ଥିଙ୍କ ସହ ଆଲୋଚନା ପରେ ମାଓବାଦୀମାନେ ଯବାନଙ୍କୁ ନିଃସର୍ତ୍ତ ମୁକ୍ତ କରିବାକୁ ଘୋଷଣା କରିଥିଲେ। ତେବେ ସେମାନେ ଅଭିଯୋଗ କରିଥିଲେ ଯେ, ଯେତେବେଳେ ଜଣେ ମାଓବାଦୀ ପୁଲିସ କବଳରେ ପଡ଼ୁଛି ‌ସେତେବେଳେ ତାକୁ ଛଡ଼ାଯାଉନାହିଁ ମାତ୍ର ମାନବିକତା ଦୃଷ୍ଟିରୁ ଆମେ ଯବାନଙ୍କୁ ମୁକ୍ତ କରୁଛୁ।

publive-image

ଗତକାଲି ରାତିରେ ଦୁଇ ମଧ୍ୟସ୍ଥିଙ୍କ ସହ ସାମ୍ବାଦିକଙ୍କ ଦଳ ମାଓବାଦୀଙ୍କୁ ଭେଟିବା ଲାଗି ଯାତ୍ରା କରି ଆଜି ମଧ୍ୟାହ୍ନରେ ଘଞ୍ଚ ଜଙ୍ଗଲରେ ଥିବା ମାଓବାଦୀଙ୍କ ଆଡ୍ଡାରେ ପହଞ୍ଚିଥିଲେ। ଏହା ପ‌ରେ ୨ମଧ୍ୟସ୍ଥିଙ୍କୁ ଡକାଇ ମାଓବାଦୀମାନେ ସେମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ଆଲୋଚନା ‌ପରେ ବନ୍ଦୀ ଯବାନ ରାକେଶ୍ବରଙ୍କୁ ନିକଟସ୍ଥ ଗାଁକୁ ଅଣାଯାଇଥିଲା। ସେଠାରେ ଏକ ପ୍ରଜାକୋର୍ଟ କରାଯାଇ ଦଉଡ଼ିରେ ବନ୍ଧା ଯାଇଥିବା ରାକେଶ୍ବରଙ୍କୁ ମୁକ୍ତ କରାଯାଇଥିଲା। ମାଓବାଦୀଙ୍କ ଶିବିରରୁ ରାକେଶ୍ବରଙ୍କୁ ସ୍ଥାନୀୟ ସାମ୍ବାଦିକମାନେ ବାଇକରେ ବସାଇ ଆଣିଥିଲେ। ପ୍ରଜାକୋର୍ଟରେ ସମସ୍ତଙ୍କ ଉପସ୍ଥିତିରେ ମାଓବାଦୀମାନେ ବିନା ସର୍ତ୍ତରେ ରାକେଶ୍ବରଙ୍କୁ ମାନବିକତା ଦେଖାଇ ଛାଡ଼ୁଛୁ ବୋଲି ଘୋଷଣା କରିଥିଲେ।

ଉଲ୍ଲେଖଯୋଗ୍ୟ, ସୁରକ୍ଷାକର୍ମୀ-ନକ୍ସଲଙ୍କ ଗୁଳିବିନିମୟ ପରେ ଅସୁସ୍ଥ ଅବସ୍ଥାରେ ପଥହରା ହୋଇଯାଇଥିବା ରାକେଶ୍ବର ଘଟଣାର ଦିନକ ପରେ ମାଓବାଦୀଙ୍କ କବଳରେ ପଡ଼ିଥିଲେ। ତାଙ୍କୁ ନିରସ୍ତ୍ର ଓ ଅସୁସ୍ଥ ଅବସ୍ଥାରେ ଥିବା ଦେଖି ମାଓବାଦୀମାନେ ବନ୍ଦୀ କରି ନେଇଥିଲେ। ଏହା ପରେ ତାଙ୍କର ମାଓ ଶିବିରରେ ଚିକିିତ୍ସା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe