ତାଜମହଲ ପ୍ରସଙ୍ଗରେ ପୁଣି ବର୍ଷିଲେ ସୁପ୍ରିମ୍‌ କୋର୍ଟ: ‘ଆମକୁ ପ୍ରଥମେ ଜଣାଅ ବିଶ୍ୱ ଐତିହ୍ୟ ମାନ୍ୟତା ପ୍ରାପ୍ତ ତାଜମହଲ ଅଛି କାହା ଦାୟିତ୍ୱରେ?’

Advertisment
ତାଜମହଲ ପ୍ରସଙ୍ଗରେ ପୁଣି ବର୍ଷିଲେ ସୁପ୍ରିମ୍‌ କୋର୍ଟ: ‘ଆମକୁ ପ୍ରଥମେ ଜଣାଅ ବିଶ୍ୱ ଐତିହ୍ୟ ମାନ୍ୟତା ପ୍ରାପ୍ତ ତାଜମହଲ ଅଛି କାହା ଦାୟିତ୍ୱରେ?’

ନୂଆଦିଲ୍ଲୀ: ବିଶ୍ୱ ଐତିହ୍ୟ ତାଜମହଲର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ପ୍ରସଙ୍ଗରେ ଆଜି ପୁଣିଥରେ ସୁପ୍ରିମ୍‌ କୋର୍ଟ ଉତ୍ତରପ୍ରଦେଶ ସରକାରଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି। ତାଜମହଲ ପ୍ରସଙ୍ଗରେ ଆଗତ ଏକ ମାମଲାର ଶୁଣାଣି କାଳରେ ଆଜି ସୁପ୍ରିମ୍‌ କୋର୍ଟର ଏକ ଖଣ୍ଡପୀଠ ଆଟର୍ଣ୍ଣି ଜେନେରାଲ କେ କେ ଭେନୁଗୋପାଲଙ୍କୁ କହିଛନ୍ତି, ‘ଆମକୁ ପ୍ରଥମେ ଜଣାଅ ତାଜମହଲ କାହା ଦାୟିତ୍ୱରେ ଅଛି? ଏଠି ବାମ ହାତ ଜାଣୁ ନାହିଁ ଡାହାଣ ହାତ କ’ଣ କରୁଛି। ଏହା ବଡ଼ ଆଶ୍ଚର୍ଯ୍ୟଜନକ ଘଟଣା ତାଜ୍‌ ଟ୍ରାପିଜିୟମ୍‌ ଜୋନ୍‌ (ଟିଟିଜେଡ୍‌) ବିଗତ ୧୯୯୬ରୁ ଗଠିତ ହୋଇ ସାରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କିଛି ବି ହେଲେ କରି ନାହାନ୍ତି!’

publive-image

ତାଜମହଲ ପ୍ରସଙ୍ଗରେ ଉତ୍ତରପ୍ରଦେଶ ସରକାର ଆଟର୍ଣ୍ଣି ଜେନେରାଲ କେ କେ ଭେନୁଗୋପାଲଙ୍କ ଦ୍ୱାରା ଦାଖଲ କରାଇଥିବା ସତ୍ୟପାଠକୁ ଦେଖିବା ପରେ ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ ନିଜର ଭୀଷଣ ବିରକ୍ତି ପ୍ରକାଶ କରି କହିଛନ୍ତି, ‘ପ୍ରଥମେ ପରିବେଶ ମନ୍ତ୍ରାଳୟ ସତ୍ୟପାଠ ଦାଖଲ କଲେ, ଏହାପରେ ଏଏସ୍‌ଆଇ (ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ) ଆଉ ଗୋଟିଏ ସତ୍ୟପାଠ ଦାଖଲ କଲେ, ଏବେ ସମାନ ମାମଲାରେ ଉତ୍ତରପ୍ରଦେଶ ସରକାର ଦାଖଲ କରୁଛନ୍ତି ଆଉ ଗୋଟିଏ ସତ୍ୟପାଠ! ଏଠି ଚାଲିଛି କ’ଣ? ଏସବୁ କାଣ୍ଡ କାରବାର ଦେଖି ଲାଗୁଛି ବିଶ୍ଟ ଐତିହ୍ୟ ମାନ୍ୟତା ପ୍ରାପ୍ତ ତାଜମହଲର ଦାୟିତ୍ୱ ନେବାକୁ କେହି ପ୍ରସ୍ତୁତ ନୁହନ୍ତି! ଏପ୍ରସଙ୍ଗରେ ସମସ୍ତେ ନିଜ ନିଜର ହାତ ଧୋଇବାରେ ବ୍ୟସ୍ତ। ଏହା ବାସ୍ତବିକ ଯେତିକି ଚିନ୍ତାଜନକ, ତା’ଠାରୁ ଅଧିକ ଲଜ୍ଜାଜନକ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe