Image Credit : Arab News
ଓ୍ଵାସିଂଟନ : ଆମେରିକା ଦ୍ୱାରା ଇରାନର ସେନା କମାଣ୍ଡର ମେଜର ଜେନେରାଲ କାସିମ ସୁଲେମାନିଙ୍କ ହତ୍ୟା ପରେ ମଧ୍ୟପ୍ରାଚ୍ୟ ଓ ସମଗ୍ର ବିଶ୍ୱରେ ଯୁଦ୍ଧର କଳାବାଦଲ ଦେଖାଦେଇଛି । ବିଶ୍ୱ ପାଇଁ ବିପଦ ମାଡ଼ିଆସୁଛି ବୋଲି ନିଜ ପ୍ରତିକ୍ରିୟାରେ ଫ୍ରାନ୍ସ କହିଛି । ତେବେ କିଏ ଏହି ସୁଲେମାନି ଓ ଆମେରିକା କାହିଁକି ତାଙ୍କୁ ହତ୍ୟା କଲା ?
ମେଜର ଜେନେରାଲ କାସିମ ସୁଲେମାନି ହେଉଛନ୍ତି ଇରାନ ସେନାର ‘କୁଦ୍ସ୍ ଫୋର୍ସ’ର କମାଣ୍ଡର । ୧୯୫୭ରେ ଜନ୍ମଗ୍ରହଣ କରିଥିବା ସୁଲେମାନି ୧୯୭୯ରେ ଇରାନ ସେନାରେ ଯୋଗଦେଇଥିଲେ । ଏହି ଫୋର୍ସ ଇରାନ ବାହାରେ ଇରାନର ପ୍ରଭାବ ବୃଦ୍ଧି ଓ ସ୍ୱାର୍ଥ ରକ୍ଷା ପାଇଁ କାର୍ଯ୍ୟ କରିଥାଏ । ମଧ୍ୟପ୍ରାଚ୍ୟରେ ଆମେରିକାର ପ୍ରଭାବ ହ୍ରାସ ଓ ଇରାନର ପତିଆରା ବୃଦ୍ଧି ଦିଗରେ ଏହି ବାହିନୀ କାମ କରିଥାଏ । ଏପରିକି ଇରାନର ଶତ୍ରୁ ତଥା ଆମେରିକାର ମିତ୍ର ସାଉଦି ଆରବ ଓ ଇସ୍ରାଏଲର ପ୍ରଭାବ ହ୍ରାସ ଓ ସେମାନଙ୍କ ବିରୁଦ୍ଧରେ ଏହି ବାହିନୀ କାମ କରୁଥିଲା । ଏହି କାରଣରୁ ସୁଲେମାନି ବିଗତ ଅନେକ ବର୍ଷ ହେଲା ସିଆଇଏର ଟାର୍ଗେଟରେ ରହିଆସିଥିଲେ ।
Image Credit : Tehran Timesସିରିଆରେ ଚାଲିଥିବା ଗୃହଯୁଦ୍ଧରେ ଆମେରିକାର ବିଦ୍ରୋହୀମାନଙ୍କୁ ସମର୍ଥନ କରୁଥିବାବେଳେ ଇରାନ ସିରିଆର ଶାସକ ବସର ଅଲ ଅସଦଙ୍କୁ ସହାୟତା କରୁଥିଲା । ଅନ୍ୟପକ୍ଷରେ ଇରାକ ଓ ସିରିଆରେ ଆଇଏସର ପ୍ରଭାବ ଓ ଶକ୍ତି ହ୍ରାସ କରିବାରେ ସୁଲେମାନି ସଫଳତା ହାସଲ କରିଥିଲେ ।
ଅନ୍ୟପକ୍ଷରେ ବିଦେଶରେ ଥିବା ଆମେରିକୀୟମାନଙ୍କ ସୁରକ୍ଷା ନିମନ୍ତେ ପ୍ରତିଷେଧକ ବ୍ୟବସ୍ଥା ସ୍ବରୂପ ‘ଇରାନ୍ ରିଭୋଲ୍ୟୁସ୍ନାରି ଗାର୍ଡସ୍’ କମାଣ୍ଡର୍ କାଶିମ୍ ସୁଲେମାନିଙ୍କୁ ହତ୍ୟା କରିବାକୁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଆଦେଶ ଦେଇଥିଲେ ବୋଲି ଆମେରିକୀୟ ପ୍ରତିରକ୍ଷା ବିଭାଗ ପେଣ୍ଟାଗନ୍ କହିଛି। ଇରାକ୍ ଏବଂ ଉପସାଗରୀୟ ଅଞ୍ଚଳରେ ଥିବା ଆମେରିକୀୟ କୁଟନୀତିଜ୍ଞ ଏବଂ ସରକାରୀ-ବେସରକାରୀ ଚାକିରି କରିଥିବା କର୍ମଚାରୀମାନଙ୍କୁ ଆକ୍ରମଣ କରିବାକୁ ଜେନେରାଲ୍ ସୁଲେମାନି ଷଡ଼ଯନ୍ତ୍ର କରିଥିଲେ। ଶହ ଶହ ଆମେରିକୀୟ ଏବଂ ମିଳିତ ସେବା ସଦସ୍ୟମାନଙ୍କ ମୃତ୍ୟୁ ଲାଗି ଜେନେରାଲ୍ ସୁଲେମାନି ଏବଂ ତାଙ୍କ ‘କୁଦ୍ସ୍ ଫୋର୍ସ’ ଦାୟୀ। ତେଣୁ ଆମେରିକା ପକ୍ଷରୁ ଏହି ପଦକ୍ଷେପ ନିଆ ଯାଇଥିବା ସ୍ପଷ୍ଟ କରିଛି ପେଣ୍ଟାଗନ୍।
Follow Us