କାହିଁକି ଦଳ ଛାଡ଼ୁଛନ୍ତି ତୃଣମୂଳ ନେତା ଓ ମନ୍ତ୍ରୀ

Advertisment
କାହିଁକି ଦଳ ଛାଡ଼ୁଛନ୍ତି ତୃଣମୂଳ ନେତା ଓ ମନ୍ତ୍ରୀ

West Bengal, Sept 14 (ANI): West Bengal Chief Minister Mamata Banerjee addresses media during a press conference, in Kolkata on Monday. (ANI Photo)

କୋଲକାତା : ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନର ତାରିଖ ଘୋଷଣା ହୋଇନାହିଁ। କିନ୍ତୁ ଶାସକ ତୃଣମୂଳ କଂଗ୍ରେସ ଦଳରେ ଯେଭଳି ଦୁର୍ଗତି ବା ମହାପରିବର୍ତ୍ତନ ହେଉଛି ତାକୁ ନେଇ ଅନେକ ପ୍ରଶ୍ନ ମୁଣ୍ଡ ଟେକିଛି। ନୂଆବର୍ଷ ଆରମ୍ଭରେ ଦଳକୁ ଦୁଇଟି ବଡ଼ ଝଟ୍‌କା ଲାଗିଛି। ପ୍ରଥମ ଦଳର ସ୍ଥାପନା ଦିବସ ଅର୍ଥାତ୍‌ ୧ ତାରିଖ ଦିନ ପୂର୍ବ ମେଦିନୀପୁର ଜିଲ୍ଲାର କାଂଥି ନଗର ପାଳିକା ପ୍ରଶାସକ ସମେତ ୧୫ ଜଣ ପୂର୍ବତନ ପାର୍ଷଦ ବିଜେପିରେ ସାମିଲ ହେଲେ। ମଙ୍ଗଳବାର ମନ୍ତ୍ରୀ ଲକ୍ଷ୍ମୀରତନ ଶୁକ୍ଳା ମନ୍ତ୍ରୀ ପଦ ସହ ଅନ୍ୟାନ୍ୟ ପଦବୀରୁ ମଧ୍ୟ ଇସ୍ତଫା ଦେଲେ। କିନ୍ତୁ ସେ ବିଧାୟକ ଭାବେ କାର୍ଯ୍ୟ କରିବେ ବୋଲି କହିଛନ୍ତି। ଦଳର ସୁପ୍ରିମୋ ମମତା ବାନାର୍ଜୀ ଶୁକ୍ଳାଙ୍କ ଇସ୍ତଫା ପତ୍ର ଗ୍ରହଣ କରି କହିଛନ୍ତି, ରାଜନୀତି ଛାଡ଼ି ଖେଳ ଜଗତକୁ ଫେରିଯିବା ପାଇଁ ଶୁକ୍ଳା ଚାହୁଁଛନ୍ତି। ହେଲେ ଶୁକ୍ଳା କାହିଁକି ଇସ୍ତଫା ଦେଲେ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ। ତେବେ ପ୍ରଶ୍ନ ଉଠୁଛି, ପାର୍ଷଦ, ବିଧାୟକ, ସାଂସଦ ଏବଂ ମନ୍ତ୍ରୀ କାହିଁକି ତୃଣମୂଳ କଂଗ୍ରେସ ଛାଡ଼ୁଛନ୍ତି? ଏହାର କାରଣ କ’ଣ? ଅବଶ୍ୟ ସମସ୍ତେ ଉପର ଠାଉରିଆ ଭାବେ କହୁଛନ୍ତି ଅସନ୍ତୁଷ୍ଟ କାରଣରୁ ଦଳ ତ୍ୟାଗ କରୁଛନ୍ତି ବୋଲି। ତୃଣମୂଳ ସଂଗଠନ ଭିତରେ ମମତାଙ୍କ ସାଂସଦ ପୁତୁରା ଅଭି‌ଷେକ ବାନାର୍ଜୀ ଏବଂ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ ନେଇ କୁହୁଳୁଥିବା ଅସନ୍ତୋଷର କୁପରିଣତି ମଧ୍ୟ ଏବେ ସାମ୍ନାକୁ ଆସିଛି।

ଲକ୍ଷ୍ମୀ ରତନ ଶୁକ୍ଳାଙ୍କ ଇସ୍ତଫା ପରେ ହାଓଡ଼ାର ଅନ୍ୟତମ ତୃଣମୂଳ ବିଧାୟକ ବୈଶାଳୀ ଡାଲମିଆ କହିଲେ, ଭଲ ଲୋକମାନଙ୍କୁ କାମ କରିବାକୁ ଦିଆଯାଉ ନାହିଁ ସେମାନଙ୍କୁ ଅସମ୍ମାନ ଓ ଅପମାନିତ କରାଯାଉଛି। ଏଠାରେ ପ୍ରଶ୍ନ ଉଠୁଛି, ନିର୍ବାଚନ ଜିତିବା ପାଇଁ ସମସ୍ତ ନେତା ଓ କର୍ମୀମାନେ ଏକାଠି ହେବା ଜରୁରି। ହେଲେ ଏଠାରେ ଓଲଟା କଥା ଘଟୁଛି। ଏହା ପୂର୍ବରୁ ମଧ୍ୟ ତୃଣମୂଳର ଅନେକ ଆଗଧାଡ଼ିର ନେତା ଦଳତ୍ୟାଗ କରିଛନ୍ତି। ଇସ୍ତଫା ଦେଇଥିବା ନେତାମାନଙ୍କ ମଧ୍ୟରେ ମମତା ସରକାରର ବରିଷ୍ଠ ତଥା ଲୋକପ୍ରିୟ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଅନ୍ୟତମ। ଜଙ୍ଗଲ ବିଭାଗ ମନ୍ତ୍ରୀ ରାଜୀବ ବାନାର୍ଜୀଙ୍କ ସମେତ ଅନେକ ନେତା ଅସନ୍ତୁଷ୍ଟ ଅଛନ୍ତି। ଏଭଳି ପରିସ୍ଥିତି ଲାଗି ରହିଲେ ଆଗକୁ ଦଳରେ ବଡ଼ ଧରଣର ବିପର୍ଯ୍ୟୟ ଆଶଙ୍କା ଏଡ଼ାଇ ଦେଇହେବନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe