Zee News
ନୂଆଦିଲ୍ଲୀ : ଗୁଜରାଟରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ କରିବାପାଇଁ ଗୁଜରାଟ କ୍ୟାବିନେଟ୍ ଏକ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛି । ତେବେ ବିଜେପିର ଏହି ଘୋଷଣା ପରେ ବିରୋଧୀ ଦଳ ପକ୍ଷରୁ ବିଜେପିକୁ ସମାଲୋଚନା ଆରମ୍ଭ ହୋଇଯାଇଛି। ଏଆଇଏମ୍ଆଇଏମ୍ ମୁଖ୍ୟ ଅସଉଦ୍ଦିନ ଅୱେସୀଙ୍କ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଗୁଜରାଟରେ ୟୁସିସି କାର୍ଯ୍ୟକାରୀ କରିବା ପ୍ରସଙ୍ଗରେ ବିଜେପି ଉପରେ ବର୍ଷିଛନ୍ତି। ସରକାରଙ୍କୁ ଏକ ପ୍ରଶ୍ନ କରି କେଜ୍ରିୱାଲ କହିଛନ୍ତି, ବିଜେପି ଦେଶବ୍ୟାପୀ କାହିଁକି ସମାନ ନାଗରିକ ସଂହିତା ଲାଗୁ କରୁନାହିଁ।
ଆପ୍ ମୁଖ୍ୟ କହିଛନ୍ତି, ବିଜେପିର ଉଦ୍ଦେଶ୍ୟ ଅତି ଖରାପ। ସମ୍ବିଧାନର ଧାରା ୪୪ ସ୍ପଷ୍ଟ ସୂଚାଉଛି ଯେ ୟୁସିସି କାର୍ଯ୍ୟକାରୀ କରିବା କେନ୍ଦ୍ର ସରକାରଙ୍କ ଦାୟିତ୍ବ। ତେଣୁ ସରକାର ସମାନ ନାଗରିକ ସଂହିତା ଆଣିବା ଉଚିତ। ଭାବନଗରରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ କେଜ୍ରିୱାଲ କହିଛନ୍ତି, ସମସ୍ତ ପକ୍ଷଙ୍କ ମତାମତ ନେବାପରେ ୟୁସିସି କାର୍ଯ୍ୟକାରୀ ହେବା ଉଚିତ। ଉଲ୍ଲେଖଯୋଗ୍ୟ ଯେ କେଜ୍ରିୱାଲ ଏବଂ ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଆଜି ଭାବନଗରରେ ୨ଟି ରୢାଲି କରିଛନ୍ତି।
Follow Us