bus-metro Photograph: (sambad.in)
ନୂଆଦିଲ୍ଲୀ: ଯେଉଁ ଲୋକମାନେ ବସ୍ରେ ଯିବା ବେଳେ ଠେଲାପେଲା ହୋଇଥାନ୍ତି ସେମାନେ ମେଟ୍ରୋରେ ଯାତ୍ରା କରିବା ବେଳେ ଧାଡ଼ିରେ ଓ ଧୈର୍ଯ୍ୟର ସହ ଅପେକ୍ଷା କରନ୍ତି। ଏହା ପଛର କାରଣ ଜଣାଇଛି ସର୍ଭେ ରିପୋର୍ଟ। ଲୋକଙ୍କ ଏହି ଆଚରଣ ସହ ସଂସ୍କୃତିକ କିମ୍ବା ନାଗରିକ ଭାବର ବିଶେଷ ସମ୍ପର୍କ ନାହିଁ। ଡିଜାଇନ ଓ ଅନୁଷ୍ଠାନ ଉପରେ ବିଶ୍ବାସ ଲୋକଙ୍କ ଆଚରଣରେ ପରିବର୍ତ୍ତନ ଆଣିଥାଏ ବୋଲି ସର୍ଭେରେ କୁହାଯାଇଛି। ଏଥିରେ କୁହାଯାଇଛି ଯେ ପ୍ରବେଶ ଓ ପ୍ରସ୍ଥାନ ପାଇଁ ସ୍ବତନ୍ତ୍ର ସୁବିଧା, ଧାଡ଼ିର ବ୍ୟବସ୍ଥା ଓ ପ୍ଲାଟଫର୍ମ ଡୋର୍ ଭଳି ବ୍ୟବସ୍ଥା ଲୋକମାନଙ୍କୁ ଭଦ୍ର ଆଚରଣ କରିବାକୁ ବାଧ୍ୟ କରିଥାଏ।
ଯେତେବେଳେ କେଉଁ କାମ ପାଇଁ କେଉଁ ସ୍ଥାନକୁ ନିର୍ଧାରଣ କରାଯାଇଥାଏ, ସେଠାରେ ଲୋକମାନେ ନିୟମ ମାନି ଆଗକୁ ବଢ଼ନ୍ତି। କେବଳ ସେତିକି ନୁହେଁ ବ୍ୟବସ୍ଥାକୁ ସୁଚାରୁ ରୁପେ ପରିଚାଳନା କରିବା ପାଇଁ ଷ୍ଟାଫ୍ମାନଙ୍କ ଉପସ୍ଥିତି, ନିୟମିତ ନିରୀକ୍ଷଣ ଓ ଉଲ୍ଲଂଘନକାରୀଙ୍କ ଉପରେ ଜରିମାନା ଭଳି କାର୍ଯ୍ୟାନୁଷ୍ଠାନ ଲୋକଙ୍କ ଆଚରଣରେ ପରିବର୍ତ୍ତନ ଆଣିଥାଏ। ମେଟ୍ରୋରେ ଲୋକମାନେ ଏଥିପାଇଁ ଠେଲାପେଲା ହୋଇ ନଥାନ୍ତି କାରଣ ନିୟମିତ ବ୍ୟବଧାନରେ ଟ୍ରେନ ଆସିଥାଏ। ଲୋକମାନେ ଜାଣିଛନ୍ତି ସେମାନେ କେତେ ସମୟରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବେ। କିନ୍ତୁ ବସ୍ କ୍ଷେତ୍ରରେ ସେହି ସୁବିଧା ନଥାଏ। କେଉଁ ବସ୍ କେତେ ବେଳେ ଆସିବ ଓ କେତେବେଳେ ଯିବ ତାହାର କିଛି ନିର୍ଦ୍ଦିଷ୍ଟତା ନଥାଏ। ସେହି ସମୟରେ ଲୋକମାନେ ନିଜକୁ ସୁହାଇବା ଭଳି ବାଟ ବାଛିନିଅନ୍ତି। ସେଥିପାଇଁ ବସ୍ ଯାତ୍ରାରେ ଠେଲାପେଲା ଓ ଅତ୍ୟଧିକ ଭିଡ଼ ଭଳି ସମସ୍ୟା ସୃଷ୍ଟି ହୁଏ ବୋଲି ସର୍ଭେରେ କୁହାଯାଇଛି।
Follow Us