ନୂଆଦିଲ୍ଲୀ: ଯେତେବେଳେ ଆଇଏସ୍ସି ଟପ୍ପଟ ସାକ୍ଷୀ ପ୍ରଦ୍ୟୁମ୍ନ ବୁଧବାର ସକାଳୁ ବିଛଣା ଛାଡ଼ିଲେ ସେତେବେଳେ ସେ କେବେ ସ୍ୱପ୍ନରେ ବି ଭାବି ନଥିଲେ ଯେ ଏପରି ଏକ ସର୍ପ୍ରାଇଜ୍ ତାଙ୍କ ପାଇଁ ଅପେକ୍ଷା କରି ରହିଛି।
ଲକ୍ଷ୍ନୌରେ ରହୁଥିବା ସାକ୍ଷୀ ଦେଖିବାକୁ ପାଇଲେ ଯେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କରିଥିବା ଏକ ଇମେଲ୍କୁ ମୋଦି ନିଜ ଟୁଇଟର୍ରେ ପୋଷ୍ଟ୍ କରି ସାକ୍ଷୀଙ୍କୁ ଧନ୍ୟବାଦ୍ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସାକ୍ଷୀଙ୍କର ଇମେଲ୍ର ଏକ ଫଟୋ ପୋଷ୍ଟ୍ କରି ତାଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଚଳିତମାସ ଆରମ୍ଭରୁ ସାକ୍ଷୀ ମୋଦିଙ୍କୁ ଧନ୍ୟବାଦ୍ ଦେଇ ଏକ ମେଲ୍ ଲେଖିଥିଲେ। ମୋଦିଙ୍କ ଲିଖିତ ପୁସ୍ତକ ‘ଏକ୍ଜାମ୍ ଓ୍ୱାରିଅର’ ତାଙ୍କୁ ପରୀକ୍ଷାରେ ଅଧିକ ନମ୍ବର ରଖିବାରେ ସହାୟ ହୋଇଛି ବୋଲି ଉଲ୍ଲେଖ କରି ସାକ୍ଷୀ ମୋଦିଙ୍କୁ ଏକ ମେଲ୍ କରିଥିଲେ।
/sambad/media/post_attachments/wp-content/uploads/2018/07/65036948-300x221.png)
ଏହାର ଉତ୍ତରରେ ମୋଦି ସେହି ମେଲ୍ର ଏକ ସ୍କ୍ରିନ୍ସଟ୍ ଟୁଇଟ୍ କରି ଲେଖିଛନ୍ତି, ‘ଏପରି ଏକ ସୁନ୍ଦର ଚିଠି ପାଇଁ ତୁମକୁ ଧନ୍ୟବାଦ ସାକ୍ଷୀ। ମୁଁ ଖୁସି ଯେ ତୁମର ପରୀକ୍ଷା ପ୍ରସ୍ତୁତିରେ ‘ଏକ୍ଜାମ୍ ଓ୍ୱାରିଅର’ ତୁମକୁ ସାହାଯ୍ୟ କରିଛି। ମୋ ଶୁଭେଚ୍ଛା ଗ୍ରହଣ କର।’
ପ୍ରଧାନମନ୍ତ୍ରୀ ମୋଦି ସାକ୍ଷୀଙ୍କ ଚିଠିକୁ ମାଇକ୍ରୋବଲଗିଂ ସାଇଟ୍ରେ ଅପ୍ଲୋଡ କରିବା ପରେ ସେ ନିଜକୁ ଭାଗ୍ୟବାନ୍ ବୋଲି ଅନୁଭବ କରୁଥିବାର କହିଛନ୍ତି। ସେ କହିଛନ୍ତି ଯେ ନିଜ ବାପାଙ୍କ ଟୁଇଟର୍ ଆକାଉଣ୍ଟରୁ ମୋଦିଙ୍କର ଏହି ଟୁଇଟ୍ ଦେଖିବା ପରେ ତାଙ୍କ ଖୁସିର ସୀମା ନାହିଁ।
ସାକ୍ଷୀ ତାଙ୍କ ଚିଠିରେ ମୋଦିଙ୍କ ଲିଖିତ ପୁସ୍ତକ ସଂପର୍କରେ ଅନେକ କଥା ବର୍ଣ୍ଣନା କରିଛନ୍ତି। ପୁସ୍ତକଟିରେ ଏମିତି କିଛି କଥା ଲେଖାଯାଇଛି ଯାହାକି ଛାତ୍ରଛାତ୍ରୀମାନେ ସାଧାରଣତଃ ଅନୁକରଣ କରିନଥାନ୍ତି। ମୋଦିଙ୍କ ଏହି ପୁସ୍ତକ ପଢ଼ିବା ପରେ ଛାତ୍ରଛାତ୍ରୀମାନେ ପ୍ରୋତ୍ସାହିତ ହେବେ। ସାକ୍ଷୀ ଭବିଷ୍ୟତରେ ଜଣେ ସଫ୍ଟେଓ୍ଵୟାର୍ ଇଞ୍ଜିନିୟର ହେବାକୁ ଚାହାନ୍ତି। ସେଥିପାଇଁ ସେ ବିଦେଶ ଯାଇ ପାଠ ପଢ଼ିବାର ଆଶା ରଖିଛନ୍ତି।
Follow Us