ମଧ୍ୟପ୍ରଦେଶ: ବିଧବାଙ୍କୁ ବିବାହ କଲେ ମିଳିବ ନଗଦ ୨ ଲକ୍ଷ

ମଧ୍ୟପ୍ରଦେଶ: ବିଧବାଙ୍କୁ ବିବାହ କଲେ ମିଳିବ ନଗଦ ୨ ଲକ୍ଷ

India Times

ଭୋପାଳ: ରାଜ୍ୟରେ ବିଧବାମାନଙ୍କର ପୁନର୍ବିବାହକୁ ପ୍ରୋତ୍ସାହିତ କରିବା ପାଇଁ ମଧ୍ୟପ୍ରଦେଶ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିବାକୁ ଯାଉଛନ୍ତି। ସରକାରଙ୍କର ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ, ମଧ୍ୟପ୍ରଦେଶରେ ଏଣିକି ଯେଉଁମାନେ ବିଧବା ମହିଳାମାନଙ୍କୁ ବିବାହ କରିବେ ସେମାନେ ମଧ୍ୟପ୍ରଦେଶ ସରକାରଙ୍କ ପକ୍ଷରୁ ୨ ଲକ୍ଷ ଟଙ୍କାର ନଗଦ ଆର୍ଥିକ ପ୍ରୋତ୍ସାହନ ପାଇପାରିବେ। ସରକାରଙ୍କର ଏହି ଯୋଜନା କାର୍ଯ୍ୟକାରୀ ହେଲେ ମଧ୍ୟପ୍ରଦେଶରେ ବାର୍ଷିକ ଅନ୍ୟୁନ ୧୦୦୦ ବିଧବା ପୁନର୍ବିବାହ କରିପାରିବେ ବୋଲି ମଧ୍ୟପ୍ରଦେଶ ସରକାରଙ୍କର ସାମାଜିକ ନ୍ୟାୟ ବିଭାଗ ଆକଳନ କରିଛନ୍ତି। ଅବଶ୍ୟ ରାଜ୍ୟରେ ଏବେ ବାର୍ଷିକ କେତେ ବିଧବା ପୁନର୍ବିବାହ କରୁଛନ୍ତି, ତାହାର କୌଣସି ପରିସଂଖ୍ୟାନ ମଧ୍ୟପ୍ରଦେଶ ସରକାରଙ୍କ ନିକଟରେ ଉପଲବ୍ଧ ନାହିଁ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌ କୋର୍ଟ ଗତ ଜୁଲାଇ ମାସରେ ଦେଶରେ ବିଧବା ମାନଙ୍କର ପୁନର୍ବିବାହକୁ ପ୍ରୋତ୍ସାହିତ କରିବା ପାଇଁ ଏକ ନୀତି ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରମ୍‌ କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ମଧ୍ୟପ୍ରଦେଶ ସରକାର ଦେଶର ପ୍ରଥମ ରାଜ୍ୟ ଭାବେ ଏହି ନିଷ୍ପତ୍ତି ନେଇ ବିଧବା ପୁନର୍ବିବାହ କ୍ଷେତ୍ରରେ ଆର୍ଥିକ ପ୍ରୋତ୍ସାହନ ଦେବା ପାଇଁ ନୀତି ପ୍ରଣୟନ କରୁଥିବା ଜଣାପଡ଼ିଛି। ଅବଶ୍ୟ ଦେଶରେ ୧୮୫୬ ଠାରୁ ବିଧବା ମାନଙ୍କର ପୁନର୍ବିବାହକୁ ଆଇନ୍‌ ସମ୍ମତ୍ତ କରି ଦିଆଯାଇଛି।

ଏହି ବିଧବା ପୁନର୍ବିବାହ ଯୋଜନା ଯେପରି ଲକ୍ଷ୍ୟଭ୍ରଷ୍ଟ ନହୁଏ, ସେଥିପାଇଁ ମଧ୍ୟପ୍ରଦେଶ ରାଜ୍ୟ ସରକାର ମଧ୍ୟ କିଛି ନୀତି ନିୟମ ରଖିଛନ୍ତି। ଏହି କ୍ରମରେ ଯେଉଁ ବିଧବା ପୁନର୍ବିବାହ କରୁଥିବେ ତାଙ୍କର ବୟସ ୧୮ରୁ ୪୫ ବର୍ଷ ମଧ୍ୟରେ ହୋଇଥିବ। ଅନ୍ୟପକ୍ଷରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା, ଯେଉଁ ବ୍ୟକ୍ତି ସଂପୃକ୍ତା ବିଧବାଙ୍କୁ ବିବାହ କରୁଥିବେ, ତାହା ତାଙ୍କର ପ୍ରଥମ ବିବାହ ହୋଇଥିବ। ବିବାହ ପରେ ଉଭୟେ ସେମାନଙ୍କ ବିବାହକୁ ସରକାରୀ ସ୍ତରରେ ପଞ୍ଜିକୃତ କରାଇବା ବାଧ୍ୟତାମୂଳକ ହେବ। ଏସବୁ କାର୍ଯ୍ୟକାରୀ ହେବାପରେ ସରକାରଙ୍କ ପକ୍ଷରୁ ଆର୍ଥିକ ପ୍ରୋତ୍ସାହନ ମିଳିବ।

ଏହି ଯୋଜନାରେ ବାର୍ଷିକ ୨୦ କୋଟି ଟଙ୍କା ବ୍ୟୟ କରିବା ପାଇଁ ମଧ୍ୟପ୍ରଦେଶ ସରକାର ଲକ୍ଷ୍ୟ ରଖିଛନ୍ତି। ଆଗାମୀ କ୍ୟାବିନେଟ ବୈଠକରେ ଏହି ଯୋଜନାକୁ ମଞ୍ଜୁରୀ ମିଳିଯିବା ପରେ ଆଗାମୀ ୩ ମାସ ମଧ୍ୟରେ ଏହାକୁ ରାଜ୍ୟରେ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି, ମଧ୍ୟପ୍ରଦେଶ ସରକାରଙ୍କର ଜନୈକ ବରିଷ୍ଠ ଅଧିକାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe